ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ମହାରାଷ୍ଟ୍ରରେ ସରକାର ଗଠନ ନେଇ ବିଜେପି ଓ ଶିବସେନା ମଧ୍ୟରେ କୌଣସି ବୁଝାମଣା ଆଖିରେ ପଡୁନାହିଁ। ଏହି ପରିସ୍ଥିତିରେ ସେଠାକାର ରାଜ୍ୟପାଳ ୪ ଟି ବିକଳ୍ପ ପନ୍ଥା ଅବଲମ୍ବନ କରି ପାରିବେ। ଶନିବାର ସୁଦ୍ଧା ସରକାର ଗଠନ ନହେଲେ ମହାରାଷ୍ଟ୍ରରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ରାଜ୍ୟପାଳଙ୍କ ନିକଟରେ ଚାରୋଟି ବିକଳ୍ପ କ’ଣ ଦେଖିବା ଆସନ୍ତୁ:
ରାଜ୍ୟପାଳ ବିଏସ କୋଶ୍ୟାରୀ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଥିବା ଦେବେନ୍ଦ୍ର ଫଡନାଭିସ୍ଙ୍କୁ କାର୍ଯ୍ୟବାହୀ ମୁଖ୍ୟମନ୍ତ୍ରୀ ଭାବେ କାମ କରିବା ପାଇଁ କହିପାରନ୍ତି ଯେତେବେଳ ପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନ ନେଇଛନ୍ତି। ଶନିବାର ଦିନ ବିଧାନସଭା କାର୍ଯ୍ୟକାଳ ଶେଷ ହେଲେ ବି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକାଳ ଶେଷ ହେବ ନାହିଁ।
ରାଜ୍ୟପାଳ ସବୁଠାରୁ ବଡ଼ ଦଳ ଭାବରେ ବିଜେପି ବିଧାୟକ ଦଳର ନେତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତି ଦେଇପାରନ୍ତି, ଯଦିଓ ତାଙ୍କୁ ଗୃହରେ ଆସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡ଼ିବ। ନୂଆ ବିଧାନସଭାରେ ୨୮୮ ଆସନ ଭିତରୁ ବିଜେପିକୁ ୧୦୫ ଆସନ ମିଳିଛି।
ରାଜ୍ୟପାଳ ସିଧାସଳଖ ଗୃହରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ କହିପାରନ୍ତି। ଯଦି କୌଣସି ବିବାଦର ଆଶଙ୍କା ରହିଛି, ବାଲେଟ ପେପର ବ୍ୟବହାର କରିବାକୁ ସେ ନିର୍ଦ୍ଦେଶ ଦେଇପାରନ୍ତି। ୧୯୯୮ରେ ଏହିଭଳି ଏକ ଘଟଣାରେ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ବିଧାନସଭାରେ ଏହି ବିକଳ୍ପ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ମୁଖ୍ୟମନ୍ତ୍ରୀ ଜଗଦମ୍ବିକା ପାଲ ଓ ତାଙ୍କ ପୂର୍ବବର୍ତ୍ତୀ କଲ୍ୟାଣ ସିଂଙ୍କ ମଧ୍ୟରୁ ଜଣଙ୍କୁ ବାଛିବାକୁ ପଡ଼ିଥିଲା।
ଯଦି କୌଣସି ଦଳ ସରକାର ଗଠନ ପାଇଁ ଦାବି କରୁନାହାନ୍ତି ଓ ପ୍ରଥମ ତିନୋଟି ବିକଳ୍ପ ଫେଲ ମାରେ ତେବେ ରାଜ୍ୟପାଳ ଗତିରୋଧ ଶେଷ କରିବା ପାଇଁ ରାଷ୍ଟ୍ରପତି ଶାସନ ଲାଗୁ କରିବା ସକାଶେ ସୁପାରିଶ କରିପାରନ୍ତି।


















