ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମୁଦ୍ରିକ ଝଡ଼ ବୁଲ୍‌ବୁଲ୍‌ ପାଇଁ ଆଗୁଆ ସଚେତନ ହୋଇଛନ୍ତି ଓଡ଼ିଶା ସରକାର। ଏନେଇ ରାଜ୍ୟ ସରକାରଙ୍କ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ଭାରତୀୟ ପାଣିପାଗ ବିଭାଗଙ୍କ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟ ଭୟଙ୍କର ସାମୁଦ୍ରିକ ଝଡ଼ ‘ବୁଲ୍‌ବୁଲ୍‌’ ଘଣ୍ଟା ପ୍ରତି ୧୭ କି.ମି. ବେଗରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଉଛି।

ଓଡ଼ିଶାରେ ଏହାର ବିଶେଷ ପ୍ରଭାବ ନେଥିଲେ ମଧ୍ୟ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ଓ ଝଡ଼ର ପ୍ରଭାବକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ  ଗ୍ରହଣ କରିଛନ୍ତି। ବାତ୍ୟା ଜନିତ ଯେକୌଣସି ପରିସ୍ଥିତିର ମୁକାବିଲା କରିବା ପାଇଁ  ଜିଲ୍ଲା ପ୍ରଶାସନଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ସତର୍କ ରହିବାକୁ କୁହାଯାଇଛି।

ଏହାସହ ଗୁରୁବାର ସ୍ୱତନ୍ତ୍ର ରିଲିଫ୍‌ କମିଶନର ସମୁଦ୍ର ତଟ୍ଟବର୍ତ୍ତୀ ଏବଂ ପାଶ୍ୱବର୍ତ୍ତୀ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଭିଡ଼ିଓ କନ୍‍ଫରେନସିଂ ମାଧ୍ୟମରେ ଆଲୋଚନା କରିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ଉପକୂଳ ଜିଲ୍ଲାଗୁଡ଼ିକର କଚ୍ଚା ଘରେ ଏବଂ ତଳିଆ ଅଞ୍ଚଳରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ଲୋକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କୁ ଆଶ୍ରୟସ୍ଥଳରେ ଆବଶ୍ୟକ ଖାଦ୍ୟ, ପାନୀୟଜଳ ଯୋଗାଇଦେବା ସହିତ ଆଶ୍ରୟସ୍ଥଳରେ   ଆଲୋକ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରିବା ପାଇଁ କୁହାଯାଇଛି।

ଅଧିକ ପ୍ରଭାବିତ ହେବାକୁଥିବା ଜିଲ୍ଲା ଗଞ୍ଜାମ, ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର, ଖୋର୍ଦ୍ଧା, କଟକ, ଯାଜପୁର ଓ ମୟୂରଭଞ୍ଜ ଜିଲ୍ଲାଗୁଡ଼ିକରେ ୨ଟି ଲେଖାଏଁ ଓଡ୍ରାଫ୍‍ ଟିମ୍‍ ଆଗୁଆ ମୁତୟନ କରାଯାଇଅଛି। ଏହା ବ୍ୟତୀତ ପୁରୀ, ଜଗତ୍‍ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ ଏବଂ ବାଲେଶ୍ଵର ଜିଲ୍ଲାଗୁଡ଼ିକରେ ୬ଟି ଏନ୍‍ଡିଆର୍‍ଏଫ୍‍ ଟିମ୍‍କୁ ମୁତୟନ କରାଯାଇଅଛି।

ସେହିପରି ବାତ୍ୟା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକରେ ବିପଦର ମୁକାବିଲା କରିବା ପାଇଁ ଅଗ୍ନିଶମ ବାହିନୀକୁ ନିୟୋଜିତ କରାଯାଇଅଛି ଏବଂ ସମୁଦ୍ର ତଟ୍ଟବର୍ତ୍ତୀ ୬ଟି ଜିଲ୍ଲାକୁ ଅନ୍ୟ ଜିଲ୍ଲାରୁ ୨ଟି ଲେଖାଏଁ ଅତିରିକ୍ତ ଅଗ୍ନିଶମ ବାହିନୀ ଟିମ୍‍ ପଠାଯାଇଅଛି। ଏହାସହ ରାଜ୍ୟସ୍ତରରେ ୬୦ଜଣ ଅଗ୍ନିଶମ କର୍ମଚାରୀଙ୍କୁ ଉପକରଣ ଓ ଗାଡ଼ି ସହିତ ଆବଶ୍ୟକସ୍ଥଳେ ତୁରନ୍ତ ମୁତୟନ ପାଇଁ ପ୍ରସ୍ତୁତ କରି ରଖାଯାଇଛି।

ବାତ୍ୟାଦ୍ୱାରା ବିଦ୍ୟୁତ୍‍ କ୍ଷତିଗ୍ରସ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ଶକ୍ତି ବିଭାଗ ସେସୁ ଓ ନେସ୍କୋ ଅଧିକାରୀମାନଙ୍କୁ ବିଦ୍ୟୁତ୍‍ ଲାଇନକୁ ତୁରନ୍ତ ମରାମତି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ଆବଶ୍ୟକ ଯନ୍ତ୍ରପାତି, ଉପକରଣ ଏବଂ କୁଶଳୀ ଶ୍ରମିକଙ୍କୁ ପ୍ରସ୍ତୁତ କରି ରଖିବା ପାଇଁ ପରାମର୍ଶ ଦିଆଯାଇଅଛି।

ସେହିପରି ଝଡ଼ବାତ୍ୟାର ପ୍ରଭାବରେ ଯଦି ରାସ୍ତାଘାଟ ଗଛ ପଡ଼ି ବିଛିନ୍ନ  ହୁଏ, ତେବେ ରାସ୍ତାରୁ ଗଛ ହଟାଇ ଗମନାଗମନକ୍ଷମ କରିବା ପାଇଁ ସମ୍ପୃକ୍ତ ବିଭାଗମାନେ ଆଗୁଆ ପଦକ୍ଷେପ ନେବାପାଇଁ ନିର୍ଦ୍ଦେଶ  ଦିଆଯାଇଅଛି। ଏହି କାର୍ଯ୍ୟରେ ଓଡ୍ରାଫ୍‍, ଅଗ୍ନିଶମ ବାହିନୀ ଏବଂ ଏନ୍‍ଡିଆର୍‍ଏଫ୍‍ ମଧ୍ୟ ସହାୟତା କରିବେ।

Comment