ଓଡ଼ିଶାଲାଇଭ୍ ବ୍ୟୁରୋ

କଟକ: ବାଲିଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ଜାତୀୟସ୍ତରୀୟ ପଲିଶ୍ରୀ ମେଳା ତଥା ଓରମାସ୍। ପ୍ରତିବର୍ଷ ଭଳି ଏଥର ଓରମାସ କିଛି ନୂଆ ଚିନ୍ତାଧାରା ଏବଂ ସାମଗ୍ରୀ ନେଇ ବାଲିଯାତ୍ରାକୁ ଓହ୍ଲାଇବ। ଏଥିରେ ମୁଖ୍ୟ ଆକର୍ଷଣ ରହିବ ନାଗାଲାଣ୍ଡର ଡ୍ରାଏ ଫୁଲ। ନାଗାଲାଣ୍ଡ ପ୍ରଥମ ଥର ପାଇଁ ବାଲିଯାତ୍ରାକୁ ଆସୁଥିବାରୁ ନାଗାଲାଣ୍ଡର ଏହି ଫୁଲ ବାଲିଯାତ୍ରାରେ ମହକ ଭରିବ।

ପୂର୍ବବର୍ଷ ତୁଳନାରେ ଓରମାସକୁ ଅଧିକ ଆକର୍ଷଣୀୟ କରାଯାଉଛି। ଏଥିରେ ୪୦୮ଟି ଷ୍ଟଲ୍ ନିର୍ମାଣ କରାଯାଇଛି। ମଣିପୁର, ଆସାମ, ଓ୍ୱେଷ୍ଟବେଙ୍ଗଲ, ବିହାର, ଝାଡ଼ଖଣ୍ଡ, ୟୁପି, ପଞ୍ଜାବ, ହରିୟାଣା, ହିମାଚଳପ୍ରଦେଶ, ଜମ୍ମୁ କାଶ୍ମୀର, ତେଲେଙ୍ଗାନା, ମଧ୍ୟପ୍ରଦେଶ ସମେତ ୨୦ଟି ରାଜ୍ୟରୁ ବ୍ୟବସାୟୀ ଏଥିରେ ଅଂଶଗ୍ରହଣ କରିବେ। ପ୍ରଥମଥର ନାଗାଲାଣ୍ଡ ବାଲିଯାତ୍ରାକୁ ଆସିବ। ଏହାଛଡ଼ା ଓରମାସର ମୁଖ୍ୟ ଫୋକସ୍ ରହିବ ଟେରାକୋଟା। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମୀଣ ଉେଦ୍ୟୋଗୀଙ୍କ ହସ୍ତଶିଳ୍ପ, କାଠକାରୁକାର୍ଯ୍ୟ, ଲୌହ କାରୁକାର୍ଯ୍ୟ, ବୟନଶିଳ୍ପ, ହସ୍ତତନ୍ତ ସହିତ ରାଜ୍ୟ ଏବଂ ଜାତୀୟ ସ୍ତରର ଖାଦ୍ୟସାମଗ୍ରୀର ବ୍ୟବସାୟ କରିବା ପାଇଁ ବ୍ୟବସ୍ଥା କରାଯାଇଛି।

ପୂର୍ବବର୍ଷ ଭଳି ମିଶନଶକ୍ତି, ବୟନ ଶିଳ୍ପ ବିଭାଗ, ନାବାର୍ଡ, ୟୁକୋ ବ୍ୟାଙ୍କ, ରିଜର୍ଭ ବ୍ୟାଙ୍କ, କେନ୍ଦ୍ର ବୟନଶିଳ୍ପ ମନ୍ତ୍ରାଳୟ ବାଲିଯାତ୍ରାରେ ଭାଗ ନେବେ। ଟେରାକୋଟା ସହିତ ମାର୍ବଲ,ଝୋଟଜାତୀୟ ସାମଗ୍ରୀର ପ୍ରଦର୍ଶନୀ ଖୋଲାଯିବ। ତେବେ ଏହାସହ ପ୍ରଥମଥର ପାଇଁ ଅଗରବତୀ ବିପ୍ଲବ ସଂକ୍ରାନ୍ତୀୟ ଏକ ପ୍ରଦର୍ଶନୀ ଅନୁଷ୍ଠିତ ହେବାକୁ ଯାଉଛି। ପୂର୍ବରୁ ପିଢ଼ା ସହାୟତାରେ ଅଗରବତୀ ନିର୍ମାଣ କରିବାଠାରୁ ଆରମ୍ଭ କରି ଏବେର ମେସିନ୍ ଚାଳିତ ରୋଲର୍ ଅଗରବତୀର ଉଦ୍‌ଭାବନ ବାବଦରେ ପ୍ରଦର୍ଶନୀରେ ଲୋକେ ଦେଖିବାକୁ ପାଇବେ। ଏହାସହ ବନଜାତ ମହୁ, କେନ୍ଦୁଝର ଫୁଲବଢ଼ି, ଓରିଫ୍ରେସ ଫିନାଇଲ, କନ୍ଧମାଳ ହଳଦୀ, ବାସୁମତି ଚାଉଳ, କୋରାପୁଟ କଳାଜିରା ଚାଉଳ ମିଳିବ।

ଚଳିତବର୍ଷ କାଶ୍ମୀରର ଶୀତବସ୍ତ୍ର, ଉତ୍ତରପ୍ରଦେଶର କାଠଶିଳ୍ପ, ମଧ୍ୟପ୍ରଦେଶର ଚାନ୍ଦୋରୀ ଶାଢ଼ି, ତାମିଲନାଡୁର ବୟନଶିଳ୍ପ, ରାଜସ୍ଥାନର ଚମଡ଼ା ସାମଗ୍ରୀ, କେରଳର ନଡ଼ିଆ ଶିଳ୍ପ, ବିହାରର ଟସର, ପଶ୍ଚିମବଙ୍ଗର ଟାଙ୍ଗାଇ ଶାଢ଼ି, ପଞ୍ଜାବର ରେଶମ ସାମଗ୍ରୀ ପ୍ରମୁଖ ଆକର୍ଷଣ ହେବ ବୋଲି ଓରମାସର ଡେପୁଟି ନିର୍ଦ୍ଦେଶକ ବିପିନ ରାଉତ ସୂଚନା ଦେଇଛନ୍ତି। ଡୋକ୍ରା କାଷ୍ଟିଂ ବିଷୟକୁ ନେଇ ଏଥର ଓରମାସ ପ୍ୟାଭିଲିୟନ୍ ନିର୍ମାଣ କରାଯିବ। ଏହାସହିତ ଡୋକ୍ରା କାଷ୍ଟିଂ ଜାତୀୟ ଜୁଏଲାରୀ ମଧ୍ୟ ବ୍ରିକ୍ରି ହେବ।

ପ୍ରଥମଥର ପାଇଁ କୋରାପୁଟରୁ ‘ଲେମନ୍ ବ୍ରାସ୍ ଅଏଲ୍’ ଓରମାସକୁ ଆସିବ, ଯାହାର ଯଥେଷ୍ଟ ଉପାଦେୟତା ରହିଛି ବୋଲି ଶ୍ରୀ ରାଉତ ପ୍ରକାଶ କରିଛନ୍ତି। ସେହିପରି କର୍ମଶାଳା ଜରିଆରେ ସ୍ୱୟଂ ସହାୟକ ଗୋଷ୍ଠୀ ତଥା କାରିଗରଙ୍କ କ୍ଷମତା ବୃଦ୍ଧି ନିମନ୍ତେ ୩ଟି ସ୍ୱତନ୍ତ୍ର କର୍ମଶାଳାର ଆୟୋଜନ କରାଯିବ। ବିକ୍ରିର କୌଶଳ, ନୂତନ ପ୍ୟାକେଜିଂ ଆଦି ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯିବ। ପ୍ରତ୍ୟେକ ଦିନ କର୍ମଶାଳାର ଶେଷ ୩୦ ମିନିଟ୍ ପଲିଥିନ୍ ଉପରେ ଆଲୋକପାତ କରାଯିବ, ଯାହାଦ୍ୱାରା ବ୍ୟବସାୟୀଙ୍କ ମଧ୍ୟରେ ପଲିଥିନ୍ ବର୍ଜନ ନେଇ ଚିନ୍ତାଧାରା ସୃଷ୍ଟି କରାଯାଇପାରିବ।

Comment