ଓଡ଼ିଶାଲାଇଭ୍ ବ୍ୟୁରୋ

ଚିଲିକାରେ ନୂଆ ଅତିଥିଙ୍କ ଭିଡ଼ ଜମିଲାଣି। ବିଦେଶୀ ପକ୍ଷୀମାନଙ୍କ ପାଇଁ ଏବେ ଚିଲିକା ପାଲଟିଛି ଭୂସ୍ୱର୍ଗ। ପକ୍ଷୀମାନଙ୍କ କାକଳୀରେ ଚିଲିକା ହେଉଛି ମୁଖରିତ। ଦିନକୁ ଦିନ ଶୀତ ଯେତେ ମାଡ଼ି ଆସୁଛି ସେତିକି ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଚିଲିକାର ଜଳ ରାଶିରେ ରଙ୍ଗ ବେରଙ୍ଗର ପକ୍ଷୀ ଜଳ କ୍ରୀଡ଼ା କରୁଥିବା ଦୃଶ୍ୟ ପର୍ଯ୍ୟଟକମାନଙ୍କ ମନ ମୁଗ୍ଧ କରୁଛି।

ନଭେମ୍ବର ଦ୍ୱିତୀୟ ସପ୍ତାହ ବେଳକୁ ଚିଲିକାରେ ୧ଲକ୍ଷ ୬ ହଜାରରୁ ଅଧିକ ଓ ୧୪୬ ପ୍ରଜାତିରୁ ଉର୍ଦ୍ଧ୍ୱ ପକ୍ଷୀ ଚିଲିକାକୁ ଆସିଲେଣି। ସେଥିରୁ କେବଳ ନଳବଣକୁ ମୋଟ୍‌ ୫୬୦୦୦ରୁ ଅଧିକ ଓ ୮୦ ପ୍ରଜାତିର ପକ୍ଷୀ ଆସିଛନ୍ତି। ଆଉ ଚିଲିକାର ଅନ୍ୟ ଅଞ୍ଚଳକୁ ମୋଟ୍‌ ୫୦ ହଜାରରୁ ଅଧିକ ଓ ୬୬ ପ୍ରଜାତିର ପକ୍ଷୀ ଆସିଛନ୍ତି।

ଚିଲିକା ବନ୍ୟପ୍ରଣୀ ବିଭାଗ ବାଲୁଗାଁ ପକ୍ଷରୁ ପକ୍ଷୀମାନଙ୍କ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚିଲିକା ବନ୍ୟପ୍ରାଣୀ ବିଭାଗ ବାଲୁଗାଁ ଅଧିନସ୍ଥ ୫ ଗୋଟି ରେଞ୍ଜ ଯଥା- ଟାଙ୍ଗୀ, ବାଲୁଗାଁ, ରମ୍ଭା, ସାତପଡ଼ା ଓ ଚିଲିକାରେ ୨୦ଟି ଅସ୍ଥାୟୀ କ୍ୟାମ୍ପ କରାଯାଇଛି। ପ୍ରତି କ୍ୟାମ୍ପରେ ୩ଜଣ ଅସ୍ଥାୟୀ ଗାର୍ଡ ସହିତ ବନ୍ୟପ୍ରାଣୀ ବିଭାଗର କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି। ସେମାନଙ୍କୁ ବୋଟ୍, ବାଇନୋକୁଲାର, ଟର୍ଚ୍ଚଲାଇଟ ଓ ଅନ୍ୟାନ୍ୟ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଇଛି।

Comment