ଓଡ଼ିଶାଲାଇଭ ବ୍ୟୁରୋ

ଆଜି ବି ବଞ୍ଚିଛି ମଣିଷ ପଣିଆ। ତୀର୍ଥଯାତ୍ରୀଙ୍କ ହଜିଥିବା ପର୍ସ ଫେରାଇ ସାଧୁତାର ପରିଚୟ ଦେଇଛନ୍ତି ଅର୍ଜୁନ ବାରିକ ଓ ଲିଙ୍ଗରାଜ ଜେନା। ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ଅଞ୍ଚଳରେ। ସାକ୍ଷୀଗୋପାଳ ମନ୍ଦିରକୁ ଠାକୁରଙ୍କ ଦର୍ଶନ ପାଇଁ ଯାଇଥିବା ଜଣେ ତୀର୍ଥ ଯାତ୍ରୀ ଭୋଗ ଦୋକାନରେ ତାଙ୍କ ପର୍ସ ଛାଡ଼ି ଦେଇଥିଲେ। ପରେ ଭୋଗ ଦୋକାନୀ ଅର୍ଜୁନ ବାରିକ ଓ ମନ୍ଦିର ଫାଣ୍ଡି ପୋଲିସ କର୍ମଚାରୀ ଲିଙ୍ଗରାଜ ଜେନାଙ୍କ ଯୋଗୁଁ ଯାତ୍ରୀ ଜଣକ ତାଙ୍କ ପର୍ସ ଫେରି ପାଇଛନ୍ତି।

ଗୁଜରାଟରୁ ଆସିଥିବା ବାସୁଦେବ ଭିକାଲାଲ ଯୋଶୀ ସାକ୍ଷୀଗୋପାଳ ମନ୍ଦିରରେ ଠାକୁର ଦର୍ଶନ କରିବା ପାଇଁ ଯାଇଥିଲେ। ସେଠାରେ ଥିବା ଭୋଗ ଦୋକାନରୁ ଭୋଗ କିଣିବା ପରେ ମନିପର୍ସଟି ସେଠାରେ ଛାଡ଼ି ପଳାଇଥିଲେ। ଦୋକାନୀ ଅର୍ଜୁନ ଏହା ଜାଣିପାରି ପର୍ସଟିକୁ ସାକ୍ଷୀଗୋପାଳ ମନ୍ଦିର ଫାଣ୍ଡି ପୋଲିସ କର୍ମଚାରୀ ଲିଙ୍ଗରାଜଙ୍କୁ ଦେଇଥିଲେ।

ପର୍ସଟି ଭିତରେ ରହିଥିବା ଆଧାର କାର୍ଡରେ ଥିବା ମୋବାଇଲକୁ ଫୋନ କରି ସୂଚନା ଦିଆଯାଇଥିଲା। ତେବେ ତୀର୍ଥଯାତ୍ରୀଜଣଙ୍କ ପୁରୀରୁ ଫେରି ପର୍ସ ସହ ୪ ହଜାର ୯୬୫ ଟଙ୍କା, ଆଧାର, ପାନକାର୍ଡ ଓ ଚିକିତ୍ସା କାର୍ଡ଼ ଫେରି ପାଇ ପୋଲିସ ଓ ଭୋଗ ଦୋକାନୀଙ୍କୁ କୃତଜ୍ଞତା ଜଣାଇଥିଲେ।

Comment