ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଣତନ୍ତ୍ରର ଚତୁର୍ଥସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମର ପ୍ରତିନିଧିମାନେ ଆଜି ଅସୁରକ୍ଷିତ। ରାଜନୈତିକ ଦଳର କର୍ମୀଠାରୁ ଆରମ୍ଭ କରି ପୋଲିସ୍ ଅଧିକାରୀ ପର୍ଯ୍ୟନ୍ତ ଆଜି ସମସ୍ତଙ୍କ ଆକ୍ରମଣର ଶିକାର ହେଉଛନ୍ତି ସାମ୍ବାଦିକମାନେ। ତେଣୁ ରାଜ୍ୟରେ ଥିବା ସାମ୍ବାଦିକମାନଙ୍କୁ ସୁରକ୍ଷା ଯୋଗାଇଦେବା ପାଇଁ ସ୍ୱତନ୍ତ୍ର ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବାକୁ ବିଧାନସଭାରେ ଦାବି କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର।

ସୋମବାର ବିଧାନସଭାର ଶୀତ ଅଧିବେଶନରେ ନରସିଂହ କହିଛନ୍ତି, “ଅନେକ ସମୟରେ କର୍ତ୍ତବ୍ୟରତ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି। ଆଇନର ରକ୍ଷକ ସାଜିଥିବା ପୋଲିସ୍ ଓ ଜନ ପ୍ରତିନିଧିମାନେ ମଧ୍ୟ ଗଣମାଧ୍ୟମ ଉପରେ ଆକ୍ରମଣ କରିବାକୁ ପଛାଉନାହାନ୍ତି। ତେଣୁ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବା ଉଚିତ୍।”

ଗତ କିଛି ଦିନ ତଳେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଜଣେ ଓଟିଭି ସାମ୍ବାଦିକଙ୍କୁ ଅସଦାଚରଣ୍ କରିବା ଅଭିଯୋଗରେ ବିରୋଧୀମାନେ ଶାସକ ଦଳକୁ ଘେରିଥିଲେ।  ପରିସ୍ଥିତି ଏପରି ହୋଇଥିଲା ଯେ, ଅନୁଭବ ସୋସିଆଲ୍ ମିଡିଆରେ କ୍ଷମା ପ୍ରାର୍ଥନା ମଧ୍ୟ କରିଥିଲେ। ଏହି ଘଟଣା ପରେ ଏଥର ବିଧାନସଭା ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ୍ ଆଣିବାକୁ ନରସିଂହ ଦାବି କରିଛନ୍ତି।

Comment