ଓଡ଼ିଶାଲାଇଭ୍ ବ୍ୟୁରୋ

ନବରଙ୍ଗପୁର: ପ୍ରକୃତିର ସୃଷ୍ଟି ପାହାଡ଼ ପର୍ବତ ଏବେ ଠିକାଦାରଙ୍କ କବଳରେ। ବିନା ଟେଣ୍ଡରରେ ପାହାଡ଼ଗୁଡ଼ିକ ଖୋଳି ଦିଆଯାଉଛି। ପ୍ରାକୃତିକ ସମ୍ପଦକୁ ଉଜାଡ଼ି ଠିକାଦାର ମାଲାମାଲ ହେଉଛନ୍ତି। ସରକାର ରାଜସ୍ୱ ହରାଉଛନ୍ତି। ରାଜସ୍ୱ ବିଭାଗ ମଧ୍ୟ ଏହା ଜାଣି ଚେଇଁ ଶୋଇଛି। ଏହି ଘଟଣା ହେଉଛି ନବରଙ୍ଗପୁର ବ୍ଲକ ବାଘସିଉନି ରାଜସ୍ୱ ସର୍କଲ ଅଧିନ କଦଳୀଜବା ଗାଁ ନିକଟରେ ଦେଖା ଦେଇଛି। ବର୍ଷକ ମଧ୍ୟରେ ପାହାଡ଼ର ଅଧାଭାଗର ମୁରମ ଖୋଳି ଟ୍ରକରେ ନେଇ ସାରିଲେଣି। ରାଜସ୍ୱ ବିଭାଗ ଓ ସରକାରୀ ବାବୁମାନେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିଲେ ମଧ୍ୟ କାହାର ନିଘାନାହିଁ।

ପାହାଡ଼ର ଅଧାଭାଗ ଖୋଳି ପଥର ଓ ମୁରମ ଟ୍ରକ ସହ ପରିବହନ ହୋଇ ଚାଲି ଯାଉଛି। ରାଜସ୍ୱ ସର୍କଲ କାର୍ଯ୍ୟାଳୟର ମାତ୍ର ୨ କିମି ମଧ୍ୟରେ ଏହି ପାହାଡ଼ ରହିଛି। ଗ୍ରାମାଞ୍ଚଳମାନଙ୍କରେ ରହିଥିବା ପ୍ରାକୃତି ସମ୍ପଦ ନଦୀ, ନାଳ, ପାହାଡ଼, ପର୍ବତ ଆଦିରୁ କେହିବି ପଥର, ମାଟି, ମୁରମ ଓ ବାଲି ଉଠାଇ ଥାଏ, ତେବେ ରାଜସ୍ୱ ବିଭାଗର ଅନୁମତି ତଥା ପ୍ରଶାସନର ଅନୁମତି ଆବଶ୍ୟକ ପଡ଼ିଥାଏ। ତେବେ ଶତାଧିକ ଟ୍ରକ ଓ ଟିପରେ ଜବାଗୁଡ଼ା ନିକଟ ପାହାଡ଼ରୁ ଯେଉଁ ଭଳି ମୁରମ ଖାଦାନ କରାଯାଇଛି ତାହା ଏବେ ବିପଦ ସଙ୍କୁଳ ଭାବେ ରହିଛି।

ଏପଟେ ପ୍ରକୃତିକୁ ନିଚ୍ଛିନ୍ନ ଅନ୍ୟପଟେ ଖାଦାନ ଲାଗି ଯେଉଁ ଭଳି ବଡ଼ବଡ଼ ଘାଇ ଭଳି ଗର୍ତ୍ତ ସୃଷ୍ଟି ହୋଇଛି ତାହା ଏବେ ବିପଦ ସଙ୍କୁଳ ଭାବେ ରହିଛି। ବର୍ଷା ହେଲେ କେତେ ପାଣି ରହିଛି ତାହା ଏବେ ଜାଣିବା କଷ୍ଟକର ବ୍ୟାପାର। କୌଣସି ଗାଇ ଗୋରୁ ପଶିଗଲେ କେହିବି ଅଜାଣତରେ ପାଣି ଅଛି ଭାବି ପସିଗଲେ ତାଙ୍କ ପାଇଁ ମରଣଯନ୍ତା ପାଲଟିବ ସେଥିରେ କୌଣସି ସନ୍ଦେହ ନାହିଁ। କେତେକ ରାଜସ୍ୱ କର୍ମଚାରୀଙ୍କ କର୍ତ୍ତବ୍ୟରେ ଅବହେଳା ଲାଗି ବେଆଇନ ପାହାଡ଼ଗୁଡ଼ିକ ଉଜୁଡ଼ି ଯାଉଛି।

ଏନେଇ ରାଜସ୍ୱ ନିରିକ୍ଷକ ତାରିଣୀ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଖାଦାନ ପାଇଁ କହାରିକୁ ଅନୁମତି ଦିଆଯାଇନାହିଁ। ତେବେ ଥରେ ଏକ ଟ୍ରକ ଅଟକ ରଖି ତହସିଲଦାରଙ୍କୁ ଜଣାଇବା ସମୟ ଭିତରେ ଟ୍ରକଟି ଚାଲି ଯାଇଥିଲା। ଏହି ପାହାଡ଼ ରାଜସ୍ୱ ବିଭାଗ ଅଧିନରେ ରହିଛି। ତେବେ ସେ ଜଏନ କରିବା ପୂର୍ବରୁ ଲପରି ଘଟଣା ଘଟିଛି। ଏବେ ଉକ୍ତ ପାହାଡ଼ ଉପରେ ଦୃଷ୍ଟି ରଖିବୁ ବୋଲି କହିଛନ୍ତି ରାଜସ୍ୱ ନିରିକ୍ଷକ।

Comment