ଓଡ଼ିଶାଲାଇଭ୍ ବ୍ୟୁରୋ
ଭୋକିଲା ପେଟକୁ ଦାନା ଯୋଗାଇବାକୁ ଦୁନିଆଁର ସବୁଠାରୁ ମହତ୍ କାମ କୁହାଯାଏ। ଭୋକିଲା ଲୋକକୁ ଆହାର ଯୋଗାଇବାରେ ଭିନ୍ନ ଏକ ଆନନ୍ଦ ମିଳିଥାଏ। ଏପରି ମହତ୍ କାମକୁ ଜଣେ ଲୋକ ଦୀର୍ଘ ୩୬ ବର୍ଷଧରି କରିଆସୁଛନ୍ତି।
ତାମିଲନାଡୁର ସୀତାରାମ ଦାସ ବାବା ନାମକ ଜଣେ ୭୦ ବର୍ଷ ବୟସ୍କ ବ୍ୟକ୍ତି ଦିନକୁ ପ୍ରାୟ ୫୦୦ରୁ ଅଧିକ ଲୋକଙ୍କୁ ମାଗଣାରେ ଖାଇବା ଯୋଗାଉଛନ୍ତି। ରାମେଶ୍ୱରମଠାରେ ତାଙ୍କର ବଜରଙ୍ଗ ଦାସ ନାମକ ଏକ ଆଶ୍ରମ ରହିଛି। ଏହି ଆଶ୍ରମକୁ ଆସୁଥିବା ସମସ୍ତ ପର୍ଯ୍ୟଟକଙ୍କୁ ସୀତାରାମ ବାବା ମାଗଣାରେ ଖାଇବା ଯୋଗାଇଥାନ୍ତି। ତାଙ୍କ ଆଶ୍ରମରେ ଉଭୟ ଉତ୍ତର ଭାରତୀୟ ଓ ଦକ୍ଷିଣ ଭାରତୀୟ ଖାଇବା ମିଳିଥାଏ।
ଏହି ଆଶ୍ରମକୁ ଆସିବାକୁ ଜାତି, ବର୍ଣ୍ଣ ଭିତ୍ତିରେ କୌଣସି ବାଛବିଚାର କରାଯାଇନଥାଏ। ସମସ୍ତେ ଏହି ଆଶ୍ରମକୁ ଆସି ସୀତାରାମ ବାବାଙ୍କଠାରୁ ଖାଦ୍ୟ ଖାଇପାରିବେ। ଲୋକଙ୍କଠାରୁ ପାଉଥିବା ଦାନରେ ସେ ଏହି ସେବା କରିଆସୁଛନ୍ତି ବୋଲି କୁହନ୍ତି।
ଖାଇବା ତିଆରି କରିବା ପାଇଁ ସୀତାରାମ ବାବା ତାଙ୍କ ପାଖରେ ୧୦ ଜଣ ଲୋକ ରଖିଛନ୍ତି। ଏମାନେ ସମସ୍ତେ ସକାଳ ୫ଟାରୁ ଉଠି ଲୋକଙ୍କ ପାଇଁ ରୋଷେଇ କରିଥାନ୍ତି। ସୀତାରାମ ବାବାଙ୍କ ଆଶ୍ରମରେ ଦିନ ୧୧.୩୦ଟାରୁ ୨ଟା ପର୍ଯ୍ୟନ୍ତ ଲୋକମାନଙ୍କୁ ଖାଇବା ଦିଆଯାଇଥାଏ।

















