ଓଡ଼ିଶାଲାଇଭ୍ ବ୍ୟୁରୋ

‘ସାରଳା ସମ୍ମାନ’ ପାଇବେ ପ୍ରଖ୍ୟାତ କଥାଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ପ୍ରତିଭା ରାୟ। ଡକ୍ଟର ରାୟ ୨୦୧୮ ପାଇଁ ମର୍ଯ୍ୟାଦାଜନକ ‘ସାରଳା ସମ୍ମାନ’ ପାଇବାକୁ ମନୋନୀତ ହୋଇଛନ୍ତି। ଡିସେମ୍ବର ୮ରେ ସାରଳା ଭବନରେ ସନ୍ଧ୍ୟା ୬ଟାରେ ଆୟୋଜିତ ହେବାକୁ ଥିବା ସାରଳା ସାହିତ୍ୟ ସଂସଦର ୩୮ତମ ବାର୍ଷିକ ଉତ୍ସବରେ ଡକ୍ଟର ରାୟଙ୍କୁ ସମ୍ମାନିତ କରାଯିବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଯୋଗଦେଇ ପ୍ରତିଭା ରାୟଙ୍କୁ ସମ୍ମାନିତ କରିବେ। ପୁରସ୍କାର ସ୍ୱରୁପ ଏକ ଲକ୍ଷ ୫ ହଜାର ଟଙ୍କାର ଅର୍ଥରାଶି, ତାମ୍ର ଫଳକ ଓ ଉପଢ଼ୌକନ ପ୍ରଦାନ କରାଯିବ ବୋଲି ସଂସଦର ପ୍ରତିଷ୍ଠାତା ଓ ସଭାପତି ପ୍ରଭାକର ସ୍ୱାଇଁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।

ଡକ୍ଟର ରାୟ ନିଜର ଲେଖା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ କ୍ଷେତ୍ରରେ ସ୍ୱୀକୃତି ଲାଭ କରିଛନ୍ତି। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ, ଜ୍ଞାନପୀଠ ଆଦି ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ପ୍ରତିଭା ରାୟଙ୍କ ଲେଖାଗୁଡ଼ିକ ମଧ୍ୟରେ ରହିଛି ବର୍ଷା ବସନ୍ତ ବୈଶାଖ, ଅପରିଚିତ, ଯାଜ୍ଞସେନୀର, ଶିଳାପଦ୍ମ, ସମୁଦ୍ରର ସ୍ୱର, ଗଙ୍ଗଶିଉଳି, ଅରଣ୍ୟ, ଆଦିଭୂମି ଓ ପୁଣ୍ୟତୋୟା ଭଳି ଅନେକ ଲେଖା।

ସାରଳା ସାହିତ୍ୟ ସଂସଦ ପକ୍ଷରୁ ଆଦିକବି ସାରଳା ଦାସଙ୍କ ସ୍ମୃତିରେ ପ୍ରତିବର୍ଷ ଜଣେ ପ୍ରସିଦ୍ଧ ଅଭିଜ୍ଞ ସ୍ରଷ୍ଟାଙ୍କୁ ଏହି ସମ୍ମାନ କରାଯାଏ। ଚଳିତ ବର୍ଷଠାରୁ ସମ୍ମାନ ବାବଦ ଅର୍ଥରାଶିକୁ ୫୦ହଜାର ଟଙ୍କାରୁ ଏକ ଲକ୍ଷ ୫ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି।

LEAVE A REPLY

Please enter your comment!
Please enter your name here