କେଦାର ମିଶ୍ର

ପୃଥିବୀ ଓ ଚନ୍ଦ୍ରମା ଦୁଇ ଭାଇଭଉଣୀ। ପୃଥିବୀ ଅପରୂପା ସୁନ୍ଦରୀ। ସମୟର ଦେବତା ଯୌବନପ୍ରାପ୍ତି ପରେ ସୁନ୍ଦରୀ ପୃଥିବୀ ପ୍ରେମରେ ପଡ଼ିଗଲେ। ସମୟ ଓ ପୃଥିବୀର ପ୍ରଣୟ କାହାଣୀ ଗଡ଼ି ଚାଲିଲା ଗୋପନରେ। ଭଉଣୀର ପ୍ରଣୟ କାହାଣୀ ବିଷୟ ନଜାଣି ଚନ୍ଦ୍ରମା ଦିନେ ଦେବ ସଭାରେ ପ୍ରସ୍ତାବ କଲେ ତାଙ୍କ ଭଉଣୀ ପୃଥିବୀ ସହ ଦେବରାଜ ଇନ୍ଦ୍ରଙ୍କ ପରିଣୟ ପାଇଁ।

ଅସାମାନ୍ୟ ରୂପସୀ ପୃଥିବୀକୁ ବାହା ଦେବାପାଇଁ ଦେବସଭାରେ ନିଷ୍ପତ୍ତି ହୋଇଗଲା। ଏ ଖବର ପାଇବା ମାତ୍ରେ ଭୟ ଓ ଆଶଙ୍କାରେ କାତର ପୃଥିବୀ ଚନ୍ଦ୍ରମାଙ୍କୁ ଝିଙ୍ଗାସ କଲେ ଏବଂ ସେ ସମୟ ସହ ପ୍ରଣୟବଦ୍ଧ ବୋଲି ଜଣାଇଦେଲେ। ବିଚଳିତ ଚନ୍ଦ୍ରମା ଏବେ କରନ୍ତି କଣ ? ଦେବରାଜଙ୍କୁ କହିଲେ, “ମହାରାଜ ! ମୋ ସାନ ଭଉଣୀ ଏବେ ମହାକାଳ ପ୍ରେମରେ ପଡ଼ିଯାଇଛି”। କ୍ରୋଧରେ ଇନ୍ଦ୍ର ନିଜ ବଜ୍ର ମାଧ୍ୟମରେ ସମୟକୁ ଖଣ୍ଡ ଖଣ୍ଡ କରି ହତ୍ୟା କଲେ।

ପ୍ରିୟତମର ମୃତ୍ୟୁରେ ଶୋକାତୁରା ପୃଥିବୀ ବିଳାପ କରିବାକୁ ଲାଗିଲେ। ତାଙ୍କ ବିଳାପରେ ଲୋକପିତା ବ୍ରହ୍ମାଙ୍କ ଆସନ ଟଳମଳ ହେବାକୁ ଲାଗିଲା। ବ୍ରହ୍ମା ପୃଥିବୀକୁ ପଚାରିଲେ, ତମେ ରୋଦନ କରୁଛ କାହିଁକି? ପୃଥିବୀ ତାଙ୍କ ଦୁଃଖ ବୟାନ କଲେ। ଲୋକପିତା କହିଲେ – “ମୁଁ ନିଶ୍ଚିତ ଭାବରେ ତମ ପ୍ରେମିକକୁ ବଞ୍ଚାଇ ଦେବି”।

ତା’ପରେ ବ୍ରହ୍ମା ତାଙ୍କ କମଣ୍ଡଳରୁ ଅମୃତ ଜଳ ସିଞ୍ଚି ସମୟକୁ ଜୀବନ୍ୟାସ ଦେଲେ। କିନ୍ତୁ ଏ କ’ଣ ? ଇନ୍ଦ୍ରଙ୍କ ବ୍ରଜାଘାତରେ ସମୟ ଛଅ ଖଣ୍ଡ ହୋଇଯାଇଛି ଏବଂ ଅମୃତ ଜଳ ପାଇଲା ପରେ ସମୟର ଛଅଟି ସ୍ୱରୂପ ପୃଥିବୀକୁ ପ୍ରଣୟ ଭିକ୍ଷା କରୁଛନ୍ତି। ପୃଥିବୀ କହିଲେ, “ଏ କି ଆଚମ୍ବିତ କଥା ? ଜଣେ ନାରୀ ଛଅ ପୁରୁଷଙ୍କ ସହ ଜୀବନ କଟାଇବ କେମିତି”? ବ୍ରହ୍ମା କହିଲେ – “ତମେ ବିଚଳିତ ହୁଅ ନାହିଁ। ସେମାନେ ସମୟର ଛଅଟି ସ୍ୱରୂପ – ଛଅଟି ଋତୁ”।

ଜଣେ ପରେ ଜଣେ ସେମାନେ ତମ ପାଖକୁ ଆସିବେ ଓ ଦୁଇ ମାସ ଲେଖାଏଁ ତମକୁ ଭୋଗ କରିବେ। ସେହି ଦିନଠୁ ଛଅ ଋତୁ କ୍ରମାନ୍ମୟରେ ପୃଥିବୀ ପୃଷ୍ଠକୁ ଆସନ୍ତି ଓ ପୃଥିବୀ ରାଣୀକୁ ଭୋଗ କରନ୍ତି।

ଇଏ କାହାଣୀ ନା କବିତା ? କେଉଁ ପୁରାଣରେ ଆପଣ ପଢ଼ିଛନ୍ତି ଏ କାହାଣୀ ? କବିର କଳ୍ପନାରେ ସମୟ ଓ ପୃଥିବୀର କାହାଣୀ ନୂଆ ରୂପେ ଗଢ଼ାଯାଇଛି। ଏହା ହେଉଛି ସମ୍ବଲପୁରୀ-କୋଶଳୀ ଭାଷାରେ ରଚିତ ‘ବଛର’ ନାମକ କାବ୍ୟର କାହାଣୀ। କାବ୍ୟର କବି ହେଉଛନ୍ତି ଶ୍ରୀଯୁକ୍ତ ହଳଧର ନାଗ।

କବିର ପ୍ରତିଭା ଓ କଳ୍ପନାର ଏକ ଅପୂର୍ବ ବିଭୂତିର ଅନ୍ୟ ନାମ କବି ହଳଧର ନାଗ। ସମଗ୍ର ପଶ୍ଚିମ ଓଡ଼ିଶାରେ ଲୋକକବି ଭାବରେ ବିଖ୍ୟାତ ଏଇ କବି ଆମ ସମୟର ଏକ ବିରାଟ ଆଶ୍ଚର୍ଯ୍ୟ। ଯେଉଁ ସମୟରେ କବିତାର ପାଠକ ଏକ ବିରଳ ପ୍ରଜାତିରେ ପରିଣତ ହୋଇସାରିଛି, ସେହି ସମୟରେ କବି ହଳଧରଙ୍କ କବିତା ଶୁଣିବା ପାଇଁ ହଜାର ହଜାର ଲୋକ ଅପେକ୍ଷା କରି ରହନ୍ତି ମଞ୍ଚ ଆଗରେ। ଘଣ୍ଟା ଘଣ୍ଟା ଧରି କବିତା ତାଙ୍କର ମୁଖସ୍ଥ ଥାଏ। ଆତ୍ମବିଭୋର, କବିତା ବିଭୋର କବିଙ୍କୁ ଶୁଣିବା ପାଇଁ ଯାତ୍ରା ପରି ଗହଳି ଲାଗିଯାଏ ପଶ୍ଚିମ ଓଡ଼ିଶାରେ।

ହଳଧର ନାଗ, ଦେଖିବାକୁ ଡେଙ୍ଗା, କଳା, ନହନହକା ମଣିଷଟିଏ। ଭାବପ୍ରବଣ ଦୁଇଟି ଆଖି। ବବୁରି ବାଳ ଲମ୍ବି ଯାଇଥାଏ ପଛକୁ। ଅଣ୍ଟାରେ ବେଢ଼ାଇ ହୋଇଥାନ୍ତି ଧଳା ଧୋତିଟିଏ, କାନ୍ଧରେ ଗାମୁଛା, ପାଦରେ ଚପଲ ନଥାଏ। ଦେଖିଲେ ଅତି ସାଧାରଣ ଗାଉଁଲି ମଣିଷଟିଏ। ସାଧାରଣ ଚେହେରା ତଳେ ଏକ ଅସାଧାରଣ ପ୍ରତିଭାର ଜ୍ୟୋତି ଉଦ୍‍ଭାସିତ ହେଉଥାଏ ତାଙ୍କ ଆଖି ଦିଓଟିରେ।

ଅତ୍ୟନ୍ତ ନମ୍ର ଏବଂ ବିନୟୀ ସ୍ୱଭାବର କବି ହଳଧର ନାଗଙ୍କୁ ଦେଖିଲେ ଲାଗେନା ତାଙ୍କର ଗ୍ରନ୍ଥାବଳୀ ପ୍ରକାଶ ହୋଇଛି ଗ୍ରନ୍ଥ ମନ୍ଦିର ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ତରଫରୁ। ତାଙ୍କୁ ନେଇ ‘ବିବିସି’ ତିଆରି କରି ସାରିଛି ଗୋଟିଏ ସିନେମା। ତାଙ୍କୁ ନିମନ୍ତ୍ରଣ ନକଲେ ପଶ୍ଚିମ-ଓଡ଼ିଶାର କୌଣସି କାର୍ଯ୍ୟକ୍ରମ ପୂର୍ଣ୍ଣାଙ୍ଗ ହୁଏନା। ଇତି ମଧ୍ୟରେ ତାଙ୍କୁ ଭାରତ ସରକାର ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାନୀତ କରିସାରିଛନ୍ତି।

ତାଙ୍କୁ ଦେଖିଲେ ବହୁ ବିଦ୍ୱାନ ହାତଯୋଡ଼ି ସମ୍ମାନ କରନ୍ତି। ଅଥଚ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ହଳଧର ନାଗଙ୍କ ଆନୁଷ୍ଠାନିକ ଶିକ୍ଷା। ବୃତ୍ତିରେ ସେ ଚନାଚୁରବାଲା। କେବେ କେମିତି ଚାଷ କାମ କରନ୍ତି। ଗାଁ ସ୍କୁଲରେ ଭାରରେ ପାଣି ବୋହି ନିଅନ୍ତି। କିନ୍ତୁ କବିତାର ସେ ଏକ ଜ୍ୟୋତିର୍ମୟ ଅବତାର।

୧୯୫୦ ମସିହା ମେ ମାସ ୩୧ ତାରିଖରେ କବି ହଳଧର ନାଗଙ୍କ ବରଗଡ଼ ଜିଲ୍ଲାର ଘେଁସ୍‍ ଗାଁରେ ଜନ୍ମ ନେଇଥିଲେ। ଘେଁସ୍‍ ପଶ୍ଚିମ-ଓଡ଼ିଶାର ଏକ ଐତିହାସିକ ଗାଁ। ସୁରେନ୍ଦ୍ର ସାଏଙ୍କ ନେତୃତ୍ୱରେ ବ୍ରିଟିଶରାଜ ବିରୁଦ୍ଧରେ ହୋଇଥିବା ସଶସ୍ତ୍ର ଆନ୍ଦୋଳନର ତୀର୍ଥ ଭୂମି ହେଉଛି ଘେଁସ୍‍। ଏକ ଐତିହାସିକ ଗାଁର ଅତି ସାଧାରଣ ବାଳକଟିଏ ଅସାଧାରଣ ଇତିହାସ ରଚନା କରିବ ଏକଥା ଘେଁସ୍‍ ଗାଁର କେହି କେବେ ବି କଳ୍ପନା କରିନଥିବେ।

ଲୋକଗୀତ ଏବଂ ଲୋକନୃତ୍ୟ ପ୍ରତି ପିଲାଦିନରୁ ହଳଧରଙ୍କ ଥିଲା ପ୍ରଚୁର ଆଗ୍ରହ। ରାମାୟଣ, ମହାଭାରତ ଶୁଣି ଶୁଣି ଡାଲଖାଇ, ରସରକେଲି, ଗୁଣୁ ଗୁଣେଇ ଆରମ୍ଭ ହୋଇଥିଲା ତାଙ୍କ କବିତ୍ୱର ଯାତ୍ରା। ଅଳ୍ପ ପାଠୁଆ ତାଙ୍କ ମନ ଓ ହୃଦୟକୁ ନିଜର ନିବାସ ରୂପେ ବାଛି ନେଇଥିଲେ କବିତାର ସରସ୍ୱତୀ। ଆପେ ଆପେ ଆପଣଛାଏଁ ସେ ଆବୃତ୍ତି କରୁଥିଲେ ସୁକୁମାର କବିତା।

ତାଙ୍କ ଆଗରେ ପ୍ରେରଣାର ଉତ୍ସ ଥିଲେ ବ୍ୟାସ, ବାଲ୍ମିକୀ, ଗଙ୍ଗାଧର ମେହେର ଓ ଭୀମଭୋଇ। ତାଙ୍କ କାବ୍ୟସିଦ୍ଧି ଗୋଟିଏ କଥା ପ୍ରମାଣିତ କରେ, ତାହା ହେଲା- କବିତାର ଉତ୍ସ ସବୁବେଳେ ସ୍ୱାଭାବିକ ଏବଂ କବିତା ରଚନା କୌଣସି ବୌଦ୍ଧିକ କସରତର ଆବଶ୍ୟକତା ରଖେ ନାହିଁ।

ତାଙ୍କ କବିତାରେ ପଶ୍ଚିମ ଓଡ଼ିଶାର ଜନଜୀବନ, ପ୍ରାକୃତିକ ପରିବେଶ, ଚଳଣୀ, ପରମ୍ପରା, ଲୋକଗୀତ ଓ ଲୋକନୃତ୍ୟର ଛନ୍ଦ ଏବଂ ସର୍ବୋପରି ଜୀବନର ଉଦ୍ଦାମତା ପ୍ରତିଫଳିତ ହୋଇଥାଏ। କାବ୍ୟ ଓ ପୁରାଣରୁ ବିଷୟବସ୍ତୁ ଚୟନ କରୁଥିଲେ ହେଁ ବର୍ଣ୍ଣନା ଏବଂ ସର୍ଜନା କ୍ଷେତ୍ରରେ ତାଙ୍କ ଶୈଳୀ ମୌଳିକ। ଆଞ୍ଚଳିକ ଅସ୍ମିତାର ଉଦ୍‍ଗାତା ରୂପେ ଏବେ ସମଗ୍ର ପଶ୍ଚିମ ଓଡ଼ିଶାରେ ହଳଧର ନାଗ ଲୋକ ସଂସ୍କୃତିର ଦେବଦୂତ ପାଲଟି ଯାଇଛନ୍ତି। ଆଞ୍ଚଳିକ ସଂସ୍କୃତିର ପ୍ରାଣବନ୍ତ ପ୍ରତୀକ ତାଙ୍କର କବିତା।

ପଶ୍ଚିମ-ଓଡ଼ିଶାର ବିଶେଷ ଚର୍ଚ୍ଚା ହୋଇଥାଏ ଏ ଅଞ୍ଚଳର ଦାରିଦ୍ର୍ୟ, ଅନାହାର ମୃତ୍ୟୁ, ଦାଦନ ଶ୍ରମିକ ଓ ପିଲାବିକ୍ରି ଇତ୍ୟାଦି ପ୍ରସଙ୍ଗ ପାଇଁ। ତେଣୁ ଏ ଅଞ୍ଚଳକୁ ନେଇ ଯେଉଁମାନେ କବିତା ଲେଖନ୍ତି ବା ଏ ଅଞ୍ଚଳରେ ରହି କବିତା ଲେଖନ୍ତି ସେମାନଙ୍କ ପାଇଁ କବିତାର ବିଷୟବସ୍ତୁ ପ୍ରାୟ ପୂର୍ବ-ନିର୍ଦ୍ଧାରିତ।

ସ୍ଥିତାବସ୍ଥା ବିରୁଦ୍ଧରେ ହେଉ କିମ୍ବା ଏକ ନୂତନ ଆନ୍ଦୋଳନର ସୂଚନା ହେଉ କବିତାରେ ତାର ସଙ୍କେତ ରହିଥାଏ। ଯଦିଓ ଆଧୁନିକ ଓଡ଼ିଆ କବିତାର ଅସ୍ପଷ୍ଟ, ରହସ୍ୟମୟ ଏବଂ ଦୁର୍ବୋଧ୍ୟ ପରମ୍ପରାରରେ ଏସବୁ ସ୍ୱରର ବିଶେଷ କିଛି ମାନେ ନଥାଏ। ପରମ୍ପରାର ମୁଖ୍ୟସ୍ରୋତରେ ଗୌଣସ୍ରୋତର ଭାବାବେଗ ପ୍ରାୟତଃ ବିଲୀନ ହୋଇଯାଏ।

ସୌଭାଗ୍ୟକ୍ରମେ ହଳଧର ନାଗଙ୍କ କବିତା ଏହି ଦୁର୍ଭାଗ୍ୟଜନକ ପରିଣତି ଭୋଗିନାହିଁ। ପ୍ରାୟତଃ ପୁରାଣ, କାବ୍ୟ ଓ କଳ୍ପନାର ଆଧାରରେ ତାଙ୍କ କବିତ୍ୱର ପ୍ରତିଷ୍ଠା। ତେଣୁ ଆଧୁନିକତା କିମ୍ବା ଉତ୍ତର ଆଧୁନିକତାର ବ୍ୟୁହ ଭିତରେ ବାଟବଣା ଆଲୋଚକମାନଙ୍କ ପାଇଁ ତାଙ୍କ କବିତା ପାରମ୍ପରିକ କିମ୍ବା ପ୍ରାଚୀନପନ୍ଥୀ ମନେ ହୋଇପାରେ।

କିନ୍ତୁ ଟିକେ ଗଭୀର ଭାବରେ ତାଙ୍କ କବିତାକୁ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ହୋଇଯାଏ ଯେ, କଳ୍ପନା ଏଠି ବିଦ୍ରୋହର ଏକ ଛଦ୍ମ ଆୟୁଧ। ଶୋଷଣ ଓ ଅବହେଳାର ନିଶାଗ୍ରସ୍ତ ଗୋଟିଏ ଅଞ୍ଚଳର ଜନଜୀବନରେ ଚାଞ୍ଚଲ୍ୟ ଖେଳାଇବା ପାଇଁ ପୌରାଣିକ କଳ୍ପନାକୁ ଆଧାର ଭାବରେ ଗ୍ରହଣ କରିବା ଛଡ଼ା ଅଲଗା ବାଟ ନଥାଏ। ପୌରାଣିକ କଳ୍ପନା ଆଧାରରେ ଜାତୀୟ ଅସ୍ମିତାର ପ୍ରତିଷ୍ଠା ପାଇଁ କାବ୍ୟିକ ପ୍ରୟାସ କରିଥିବା ସାରଳା ଦାସ, ଭୀମ ଭୋଇ, ଗଙ୍ଗାଧର ମେହେରଙ୍କ ପରି ହଳଧର ନାଗ ସେଇ ବିଷୟବସ୍ତୁ ଓ ଶୈଳିର ଚୟନ କରିଛନ୍ତି। ତାଙ୍କ ବର୍ଣ୍ଣନାରେ ପଶ୍ଚିମ-ଓଡ଼ିଶାର ଜୀବନ୍ତ ଚିତ୍ର ପାଠକର ଆଖି ଆଗରେ ଚଳଚ୍ଚିତ୍ର ପରି ଭାସି ଉଠେ। ତାଙ୍କ କଳ୍ପନା ସାମର୍ଥ୍ୟ କ୍ଲାସିକ୍‍ କବିମାନଙ୍କର ସାମର୍ଥ୍ୟ ସହ ପ୍ରାୟ ସମାନ।

ଏହି ଯଶସ୍ୱୀ କବିଙ୍କର କେତୋଟି ମୁଖ୍ୟ କାବ୍ୟଗ୍ରନ୍ଥ ହେଉଛି ‘ବଛର’, ‘ମହାସତୀ ଉର୍ମିଲା’, ‘ତାରା ମନ୍ଦୋଦରୀ’, ‘ରସିଆ କବି’, ‘ଅଛିଆ’, ‘ସିରି ସମ୍‍ଲାଇ’ ଇତ୍ୟାଦି। ସରଳ ମନରେ ଯେଉଁ ଅପୂର୍ବ ଆଧ୍ୟାତ୍ମିକ ଦର୍ଶନର ଉଦ୍‍ଭାସ ସମ୍ଭବ ହୁଏ ତାହା କବିତାରେ ହିଁ ପ୍ରତିଫଳିତ ହୋଇଥାଏ।

ଏକ ନଗଣ୍ୟ ଉପଭାଷା ବୋଲି ଗଣାଯାଉଥିବା ସମ୍ବଲପୁରୀ କୋଶଳୀ ଭାଷାରେ ଯେଉଁ ବୌଦ୍ଧିକ ଉଚ୍ଚତାର କାବ୍ୟ ରଚନା ହୋଇଛି, ତାହା ସେ ଭାଷାର ଉତ୍କର୍ଷ ଓ ମୌଳିକତାର ପରିଚୟ। ଓଡ଼ିଶା ଭାଷା ସହ ସମାନ୍ତରାଳ ଭାବେ ସମ୍ବଲପୁରୀ-କୋଶଳୀର ଏହି ପ୍ରତିଷ୍ଠାକୁ ନକରାତ୍ମକ ଦୃଷ୍ଟିରେ ନଦେଖିଲେ ଓଡ଼ିଆ ସାହିତ୍ୟର ଯଥେଷ୍ଟ ମଙ୍ଗଳ ହେବ। ଖଗେଶ୍ୱର ସେଠ, ସତ୍ୟନାରାୟଣ ବହିଦାର, ଇନ୍ଦ୍ରମଣି ସାହୁ, ହେମଚନ୍ଦ୍ର ଆଚାର୍ଯ୍ୟ ଓ ଆହୁରି କେତେକ ପ୍ରତିଭାବାନ୍ କବିମଣ୍ଡଳୀରେ ହଳଧର ବିରାଜିତ।

କବି ହଳଧରଙ୍କ କାବ୍ୟକୃତିରେ ସବୁଠୁ ଉଲ୍ଲେଖନୀୟ ଦିଗଟି ହେଉଛି ତାଙ୍କ ଭାଷା ପ୍ରୟୋଗର ଅପୂର୍ବ ସ୍ୱତଃ-ସ୍ଫୂର୍ତ୍ତତା। ପୁରାଣରେ ବର୍ଣ୍ଣିତ ବ୍ୟାସଙ୍କ କଥନ ଓ ଗଣେଷଙ୍କ ଶ୍ରୁତଲିଖନ ପରି ତାଙ୍କର କାବ୍ୟଧାରା। ହଳଧରଙ୍କ କାବ୍ୟକୃତିରେ ଏତେ ଟିକିଏ ବି ଦୂର୍ବେଧ୍ୟତା ବା ଜଟିଳତା ନଥାଏ। ତାଙ୍କ ନିରୀହତା ପରି କବିତାର ଆବେଦନ ମଧ୍ୟ ନିରୀହ ଓ ରସମୟ।

ପଶ୍ଚିମ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଜନଜୀବନର ଆଚାର, ଆଚରଣ, ପରମ୍ପରା ଓ ସଂସ୍କୃତି ସୌନ୍ଦର୍ଯ୍ୟବୋଧ ଏବଂ ଭାରତୀୟ ଆଧ୍ୟାତ୍ମିକତାର ସରଳ ପରିବେଷଣ ତାଙ୍କ ରଚନାର ଶ୍ରେଷ୍ଠତମ ସିଦ୍ଧି। ତା ସହ ତାଙ୍କ କବିତାରେ ଥାଏ ଶାଣିତ ଶ୍ଲେଷ ଓ ତୀବ୍ର କଟାକ୍ଷ।

Comment