ଓଡ଼ିଶାଲାଇଭ୍ ବ୍ୟୁରୋ
ମହାରାଷ୍ଟ୍ର ରାଜନୀତିକୁ ନେଇ ସୁପ୍ରିମକୋର୍ଟ ନିଜର ରାୟ ଶୁଣାଇଛନ୍ତି। କୋର୍ଟ ବୁଧବାର ୫ଟା ସୁଦ୍ଧା ବିଧାନସଭାରେ ଫ୍ଲୋର୍ ଟେଷ୍ଟ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ସରକାର ଗଠନ କରିବାକୁ ଫଡନାବିସଙ୍କୁ ଏହି ଫ୍ଲୋର୍ ଟେଷ୍ଟରେ ପାସ୍ ହେବାକୁ ପଡ଼ିବ। ନଚେତ୍ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍। ତେବେ ଏହି ଫ୍ଲୋର୍ ଟେଷ୍ଟ ବା ଆସ୍ଥା ଭୋଟ କ’ଣ?
ବିଧାନସଭାର ଫ୍ଲୋର୍ ଟେଷ୍ଟ ହେଉଛି ଗୋଟିଏ ସାମ୍ବିଧାନିକ ପଦ୍ଧତି। ଯେଉଁଥରେ ସରକାର ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥାଏ। ଯଦି ରାଜ୍ୟରେ ଶାସନ କ୍ଷମତାରେ ଥିବା ରାଜନୈତିକ ଦଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଧାରୁ ଅଧିକ ବିଧାୟକ ସମର୍ଥନ ନଥାଏ, ସେହି ସମୟରେ ବିଧାନସଭାରେ ଫ୍ଲୋର୍ ଟେଷ୍ଟ କରାଯାଇଥାଏ।
ଏହି ଟେଷ୍ଟରେ ଶାସନରେ ଥିବା ଦଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ବିଧାନସଭାରେ ନିଜର ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିଥାଏ। ବିଧାନସଭାର ମୋଟ୍ ବିଧାୟକଙ୍କ ମଧ୍ୟରୁ ଅଧାରୁ ଅଧିକ ବିଧାୟକ ଶାସକ ଦଳ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ସମର୍ଥନ ଜଣାଇଲେ ରାଜ୍ୟରେ ସେହି ସରକାର ଶାସନ କରିଥାଏ। ନଚେତ୍ ଫ୍ଲୋର୍ ଟେଷ୍ଟରେ ଫେଲ୍ ହେବା ପରେ ସରକାରୀ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାଏ।
କେମିତି ହୁଏ ବିଧାନସଭାରେ ଫ୍ଲୋର୍ ଟେଷ୍ଟ?
ଫ୍ଲୋର୍ ଟେଷ୍ଟ ପାଇଁ ଗୋଟିଏ ନିର୍ଦ୍ଧିଷ୍ଟ ଦିନରେ ବିଧାନସଭାର ସମସ୍ତ ସଭ୍ୟଙ୍କୁ ଗୃହରେ ଉପସ୍ଥିତ ରହିବାକୁ କୁହାଯାଇଥାଏ। ସେହିଦିନ ପ୍ରତ୍ୟେକ ବିଧାୟକ ତାଙ୍କ ମନପସନ୍ଦ ଅନୁସାରେ ସରକାରୀ ଦଳ ସପକ୍ଷରେ କିମ୍ବା ବିପକ୍ଷରେ ନିଜର ଭୋଟ୍ ଦେଇଥାନ୍ତି। ଯଦି ଅଧାରୁ ଅଧିକ ଭୋଟ୍ ସରକାରୀ ଦଳ ବିପକ୍ଷରେ ଯାଏ ତେବେ ମୁଖ୍ୟମନ୍ତ୍ରୀ ତାଙ୍କର ଇସ୍ତଫା ଦେଇଥାନ୍ତି।
ସେହିପରି ଯଦି ଫ୍ଲୋର୍ ଟେଷ୍ଟରେ ସରକାରର ବିପକ୍ଷରେ ଓ ସପକ୍ଷରେ ସମାନ ସଂଖ୍ୟକ ଭୋଟ୍ ଆସେ, ତେବେ ରାଜ୍ୟପାଳ ତାଙ୍କ ନିର୍ଣ୍ଣାୟକ ଭୋଟ୍ ଦେଇଥାନ୍ତି। ଯାହା ସରକାର ଗଠନରେ ସହାୟକ ହୋଇଥାଏ।


















