ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗାଡ଼ି ଚାଳକମାନେ ସାବଧାନ ହୋଇଯାଆନ୍ତୁ। ରାତି ପାହିଲେ ନୂଆ ମୋଟରଯାନ ଆଇନକୁ କଡ଼ାକଡ଼ି କରାଯିବ। କେବଳ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନ୍ସକୁ ଛାଡ଼ି ଅନ୍ୟ ସମସ୍ତ କ୍ଷେତ୍ରରେ ଯାଞ୍ଚ କଡ଼ାକଡ଼ି କରାଯିବ।

ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଇଲେ, ବେପରୁଆ ଭଳି ଗାଡ଼ି ଚଳାଇଲେ ବା ଟ୍ରାଫିକ୍‌ ଉଲ୍ଲଘଂନ କଲେ ଜରିମାନା ଦେବାକୁ ହେବ।

ପରିବହନ କମିସନରଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଟ୍ରାଫିକ୍‌ ରେଡ୍‌ ଲାଇଟ୍‌ ଉଲ୍ଲଘଂନ କରିବା, ମଦ୍ୟପାନ କରି ଗାଡ଼ି ଚଳାଇବା, ଟ୍ରାଫିକ୍‌ର ବିପରିତ ଦିଗରେ ଗାଡ଼ି ଚଳାଇବା (ରଙ୍ଗ୍‌ ରୁଟ୍‌ରେ ଗାଡ଼ି ଚଳାଇବା), ହେଲମେଟ୍‌ ନ ପିନ୍ଧି ଗାଡ଼ି ଚଳାଇବା, ଚାରି ଚକିଆ ଯାନ ଚଳାଉଥିବା ବେଳେ ସିଟ୍‌ ବେଲ୍ଟ ନ ବାନ୍ଧିଲେ ସେମାନଙ୍କଠାରୁ ଜରିମାନା ନିଆଯିବ।

ବାଇକ୍‌ରେ ତିନି ଜଣ ଯାତ୍ରା କରୁଥିଲେ ବା ଫୋନ୍‌ରେ କଥା ହୋଇ ଗାଡ଼ି ଚଳାଉଥିଲେ ବି ନିସ୍ତାର ନାହିଁ।

ଓଭରଲୋଡିଂ କରି ବସ୍‌ରେ ବା ଅଟୋରେ ଯାତ୍ରୀ ନେଉଥିଲେ ଯାଞ୍ଚ କରାଯିବା ସହ ଜରିମାନା ଆଦାୟ କରାଯିବ।

ନୂଆ ଟ୍ରାଫିକ୍‌ ନିୟମଗୁଡ଼ିକ ମଧ୍ୟରୁ ଗାଡ଼ି ଚାଳକ ଯେକୌଣସି ଗୋଟିଏ ନିୟମ ଉଲ୍ଲଘଂନ କଲେ ଜରିମାନା ଆଦାୟ କରାଯିବ। ଯଦି ଗାଡ଼ି ଚାଳକ ଏକାଧିକ ନିୟମ ଉଲ୍ଲଘଂନ କରନ୍ତି, ତେବେ ଗାଡ଼ିର କାଗଜପତ୍ର ଯାଞ୍ଚ କରାଯିବ।

ଅନ୍ୟପଟେ ଯାଞ୍ଚ ସମୟରେ ମୋଟ୍‌ ୪ଟି ଗାଡ଼ିକୁ ଅଟକାଯିବ। ତା’ଠାରୁ ଅଧିକ ଗାଡ଼ି ଅଟକାଇ ଯାଞ୍ଚ କଲେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେବ। ତାହାକୁ ଦୃଷ୍ଟିରେ ରଖି ଗାଡ଼ି ଚଳାଚଳରେ ଯେପରି କୌଣସି ପ୍ରକାର ଅସୁବିଧା ନ ଉପୁଜେ, ସେ ଦିଗ ପ୍ରତି ଧ୍ୟାନ ଦିଆଯିବ।

କିଛି ଲୋକ ଗାଡ଼ି କାଗଜପତ୍ର କରିପାରି ନଥିବାରୁ ଚାଳକଙ୍କୁ ଫେବ୍ରୁଆରି ମାସ ଯାଏଁ ସମୟ ଦିଆଯାଇଛି। ତେବେ ଡ୍ରାଇଭିଂ ଲାଇସେନ୍ସ ଓ ଗାଡ଼ି କାଗଜପତ୍ର ଛଡ଼ା ଅନ୍ୟ ସବୁ ନିୟମ ଡିସେମ୍ବର ପହିଲାରୁ ଲାଗୁ ହେବ।

Comment