ନୀଳାମ୍ବର ରଥ

  • ଓଡ଼ିଶା ଷ୍ଟାର୍ଟଅପ ପଲିସିରେ ପଞ୍ଜିକୃତ ସଂସ୍ଥା ପାଇବେ ସୁବିଧା
  • ପର୍ଫମାନ୍ସ ସିକ୍ୟୁରିଟି କ୍ଷେତ୍ରରେ ମଧ୍ୟ ମିଳିବ ରିହାତି
  • ନିଜେ ଜାଣନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ

ଆପଣଙ୍କ ଷ୍ଟାର୍ଟଅପ କମ୍ପାନି ଓଡ଼ିଶାରେ ରହିଛି କି? ଆପଣଙ୍କ କମ୍ପାନି ଓଡ଼ିଶା ଷ୍ଟାର୍ଟଅପ ପଲିସି ୨୦୧୬ ଅଧୀନରେ ପଞ୍ଜିକୃତ ହୋଇଛି କି? କୌଣସି ସରକାରୀ ଟେଣ୍ଡର ପ୍ରକ୍ରିୟାରେ ଆପଣ ଭାଗ ନେଉଛନ୍ତି କି? ତେବେ ଜାଣିରଖନ୍ତୁ, ଆପଣଙ୍କୁ ଦେବାକୁ ପଡ଼ିବ ନାହିଁ ଇଏମଡି ବାବଦ ଅର୍ଥ। ସେହିପରି ପର୍ଫମାନ୍ସ ସିକ୍ୟୁରିଟି ବାବଦରେ ମଧ୍ୟ ଆପଣ ୭୫% ରିହାତି ପାଇବାକୁ ହକଦାର।

ସାଧାରଣତଃ କୌଣସି ଟେଣ୍ଡରରେ ଭାଗ ନେବା ବେଳେ ଗୋଟିଏ ସଂସ୍ଥାକୁ ଅର୍ନେଷ୍ଟ ମନି ଡିପୋଜିଟ୍ ବା ଇଏମଡି ବାବଦରେ କିଛି ଅର୍ଥ ପୈଠ କରିବାକୁ ପଡ଼ିଥାଏ। ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟତା ହାସଲ କରିବା ପାଇଁ ଏହା ଏକ ଆବଶ୍ୟକତା ହୋଇଥାଏ। ଆବେଦନକାରୀ ସଂସ୍ଥା ଟେଣ୍ଡର ନ ପାଇଲେ ତାଙ୍କୁ ଇମଏଡି ଫେରସ୍ତ ମିଳିଥାଏ। ସେହିପରି ଯେଉଁ ସଂସ୍ଥା ଟେଣ୍ଡରରେ ମନୋନୀତ ହୋଇଥାନ୍ତି ସେ ଦେଇଥିବା ଇମଏଡି ଟେଣ୍ଡର ଡାକିଥିବା ବିଭାଗ ପାଖରେ ଜମା ରହିଥାଏ।

ତେବେ ଓଡ଼ିଶା ଷ୍ଟାର୍ଟଅପ କମ୍ପାନିଗୁଡ଼ିକୁ ସହଯୋଗ ଦେବା ପାଇଁ ରାଜ୍ୟ ସରକାର ଏକ ନିୟମ କରିଛନ୍ତି ଯେଉଁଥିରେ ପଞ୍ଜିକୃତ ଷ୍ଟାର୍ଟଅପମାନଙ୍କୁ ଇଏମଡି ଦେବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ଚିଠି ନମ୍ବର ୩୬୮୧, ତାରିଖ ୧୯ ଏପ୍ରିଲ୍ ୨୦୧୮, ଅନୁଯାୟୀ ରାଜ୍ୟର ସମସ୍ତ ଷ୍ଟାର୍ଟଅପ କମ୍ପାନି ଏହି ସୁବିଧା ଲାଗୁ ହେବ। ଅର୍ଥ ବିଭାଗର ଅଫିସ୍ ମେମୋରାଣ୍ଡମ୍ ନମ୍ବର ୨୧୯୨୬ (ତାରିଖ ୧୨/୮/୨୦୧୫) ଆଧାରରେ ଆପଣ ଏହି ସୁବିଧା ପାଇପାରିବେ।

ସାଧାରଣତଃ ଷ୍ଟାର୍ଟଅପ କମ୍ପାନିଗୁଡ଼ିକ ବିଭିନ୍ନ ଆର୍ଥିକ ସମସ୍ୟା ଭିତରେ ଗତି କରୁଥାନ୍ତି। ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କ ପକ୍ଷରୁ ଏହି ସୁଯୋଗ ଦିଆଯାଉଛି। କେବଳ ଇଏମଡି ନୁହେଁ, କୌଣସି ଟେଣ୍ଡରରେ ମନୋନୀତ ହୋଇ ଚୁକ୍ତି ସ୍ୱାକ୍ଷର କଲାବେଳେ ଯଦି କୌଣସି ସ୍ଥାନରେ ପର୍ଫମାନ୍ସ ସିକ୍ୟୁରିଟିର ଆବଶ୍ୟକତା ଥାଏ ତେବେ ସେ କ୍ଷେତ୍ରରେ ମଧ୍ୟ ରିହାତି ପାଇଁ ସରକାର ନିୟମ କରିଛନ୍ତି।

ଓଡ଼ିଶାର ପଞ୍ଜିକୃତ ଷ୍ଟାର୍ଟଅପମାନଙ୍କୁ ସରକାରୀ ବିଭାଗ ବା ସରକାରଙ୍କ ଦ୍ୱାରା ପରିଚାଳିତ କୌଣସି ସଂସ୍ଥାରେ କାମ କଲାବେଳେ ଯଦି ପର୍ଫମାନ୍ସ ସିକ୍ୟୁରିଟି ବାଧ୍ୟତାମୂଳକ ଥାଏ ତେବେ ଗୋଟିଏ ଷ୍ଟାର୍ଟଅପକୁ ତା’ର ମାତ୍ର ୨୫% ଦେବାକୁ ହେବ। ଅର୍ଥାତ୍ ଏ ବାବଦରେ ଆପଣ ୭୫% ରିହାତି ପାଇପାରିବେ।

ଇଏମଡି ଛାଡ଼ ଏବଂ ପର୍ଫମାନ୍ସ ସିକ୍ୟୁରିଟିରେ ରିହାତି ବାବଦ ଏହି ନିର୍ଦ୍ଦେଶକୁ ଓଡ଼ିଶା ଜେନେରାଲ୍ ଫାଇନାନ୍ସିଆଲ୍ ରୁଲସ୍ ଅନ୍ତର୍ଭୁକ୍ତ କରାଯାଇଛି। ସେହିପରି ସରକାରଙ୍କ ପକ୍ଷରୁ ବିଭିନ୍ନ ସାମଗ୍ରୀ ଓ ସେବା କ୍ରୟ ସମୟରେ ଷ୍ଟାର୍ଟଅପମାନଙ୍କୁ ଏହି ସୁବିଧା ଦେବାକୁ ନିର୍ଦ୍ଦେଶ ରହିଛି।

କୌଣସି ଟେଣ୍ଡରରେ ଭାଗ ନେବା ବେଳେ ଆବେଦନକାରୀ ସଂସ୍ଥାକୁ ଟେଣ୍ଡର ପେପର୍ ବାବଦରେ ଏକ ଛୋଟ ଦେୟ ଦେବାକୁ ପଡ଼ିଥାଏ। ତେବେ ଷ୍ଟାର୍ଟଅପମାନଙ୍କ ପାଇଁ ଏହା ଛାଡ଼ କରିବା ସମ୍ପର୍କରେ କୌଣସି ସରକାରୀ ନିୟମ ହୋଇନାହିଁ।

Comment