ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଭୁବନେଶ୍ୱରସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ରରେ ରବିବାର ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ-୨୦୧୯। ଖବର ଓ ପ୍ରକାଶନ ସଂସ୍ଥା ଓଡ଼ିଆ ମିଡିଆ ପକ୍ଷରୁ ଆୟୋଜିତ ହୋଇଥିବା ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଓଡ଼ିଶା ଉତ୍କର୍ଷ ସମ୍ମାନର ଚଳିତ ସଂସ୍କରଣରେ ବଛାବଛା ୨୦ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଛି।

ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, “ଉତ୍କର୍ଷ ସମ୍ମାନରେ ସମ୍ମାନିତ ବ୍ୟକ୍ତିଗଣ କେବଳ ଓଡ଼ିଶାର ଉତ୍କର୍ଷ ନୁହନ୍ତି। ସେମାନେ ସାରା ବିଶ୍ୱର ଉତ୍କର୍ଷ। ରାଜ୍ୟର ବିଶିଷ୍ଟ ବ୍ୟକ୍ତିଗଣ ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପାରଦର୍ଶିତା ଦେଖାଇ କେବଳ ରାଜ୍ୟରେ ନୁହେଁ ସାରା ବିଶ୍ୱରେ ନିଜର ଉତ୍କର୍ଷ ପରିଚୟ ଦେଇପାରିଛନ୍ତି। ଏଭଳି ଏକ ସମ୍ମାନ ସମାରୋହରେ ଯୋଗ ଦେଇ ମୁଁ ନିଜକୁ ଉତ୍କର୍ଷ ମନେ କରୁଛି।”

“ସମାଜର ଉନ୍ନତି କେବଳ ଅର୍ଥନୀତି ଦ୍ୱାରା ବୃଦ୍ଧି ହୋଇନଥାଏ। ସଂସ୍କୃତି, ସାହିତ୍ୟ ଓ ଐତିହ୍ୟର ଅଭିବୃଦ୍ଧି ମଧ୍ୟ ସମାଜର ଉନ୍ନତିରେ ସାହାଯ୍ୟ କରିଥାଏ। ଏହି ଉତ୍ସବରେ ପୁରସ୍କୃତ ହୋଇଥିବା ବ୍ୟକ୍ତିଗଣ ଭିନ୍ନ ଭିନ୍ନ କ୍ଷେତ୍ରରେ ନିଜର ଉତ୍କର୍ଷ ପାରଦର୍ଶିତା ଦେଖାଇଥିବାରୁ ସେମାନେ ଆଜି ଏହି ଉତ୍କର୍ଷ ସମ୍ମାନ ପାଇଛନ୍ତି” କହିଛନ୍ତି ପ୍ରସିଦ୍ଧ କବି ପଦ୍ମ ବିଭୂଷଣ ସୀତାକାନ୍ତ ମହାପାତ୍ର।

ଏହି ଉତ୍ସବରେ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ ସମେତ ୩ଟି ଅନୁଷ୍ଠାନକୁ ସମ୍ମାନ ପ୍ରଦାନ କରାଯାଇଛି। ପୁରସ୍କୃତ ହୋଇଥିବା ୧୭ ଜଣ ହେଲେ ସଂଗୀତରେ ପଦ୍ମଶ୍ରୀ ପ୍ରଫୁଲ୍ଲ କର, କଳାରେ ପଦ୍ମଶ୍ରୀ ସୁଦର୍ଶନ ସାହୁ, ନୃତ୍ୟରେ ପଦ୍ମଶ୍ରୀ ଇଲିଆନା ସିତାରିସ୍ତି, ସମାଜସେବାରେ ଜଗଦାନନ୍ଦ, ସାହିତ୍ୟରେ ହରପ୍ରସାଦ ଦାସ, ନାଟକ କ୍ଷେତ୍ରରେ ଅଜିତ ଦାସ, ସିନେମାରେ ମହାଶ୍ୱେତା ରାୟ, ଲୋକସେବାରେ ଅରୁଣ ବୋଥ୍ରା, କ୍ରୀଡ଼ାରେ ଅନୁରାଧା ବିଶ୍ୱାଳଙ୍କୁ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଛି।

ସେହିପରି ସାମ୍ବାଦିକତାରେ ସନ୍ଦୀପ ସାହୁ, ଉଦ୍ୟୋଗ କ୍ଷେତ୍ରରେ ଜଗଦୀଶ ପ୍ରସାଦ ନାୟକ, ପ୍ରେରଣା କ୍ଷେତ୍ରରେ ଅରୁଣ କୁମାର ସାବତ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଡାକ୍ତର ଅକ୍ଷୟ କୁମାର ରାଉତ, ନେତୃତ୍ୱ କ୍ଷେତ୍ରରେ ପ୍ରିୟଦର୍ଶୀ ପାଣି, ଶିକ୍ଷା କ୍ଷେତ୍ରରେ ସବିତା ପଟ୍ଟନାୟକ, ସମ୍ପଦ ପରିଚାଳନା କ୍ଷେତ୍ରରେ ତ୍ରିନାଥ ଲେଙ୍କା ଏବଂ ପ୍ରଯୁକ୍ତି ବିଜ୍ଞାନ କ୍ଷେତ୍ରରେ ପ୍ରଶାନ୍ତ ସାହୁଙ୍କୁ ଚଳିତ ବର୍ଷ ଓଡ଼ିଶା ଉତ୍କର୍ଷ ସମ୍ମାନ ପ୍ରଦାନ କରାଯାଇଛି।

ଅନ୍ୟପକ୍ଷରେ ତିନୋଟି ଅନୁଷ୍ଠାନ ମଧ୍ୟରେ କର୍ପୋରେଟ୍‌ ସାମାଜିକ ଦାୟିତ୍ୱ (ସିଏସ୍‌ଆର) କ୍ଷେତ୍ରରେ ଜାତୀୟ ଇସ୍ପାତ କମ୍ପାନି ନାଲ୍‌କୋ, ପ୍ରଶିକ୍ଷଣ କ୍ଷେତ୍ରରେ ବାଜିରାଓ ଆଇଏଏସ୍‌ ଏକାଡେମୀ ଓ ଗୋଷ୍ଠୀ ଉନ୍ନୟନ କ୍ଷେତ୍ରରେ ସାଉଥ୍‌ ଓଡ଼ିଶା ଭଲ୍ୟୁଣ୍ଟାରୀ ଆକ୍ସନ(ସୋଭା)କୁ ଓଡ଼ିଶା ଉତ୍କର୍ଷ ସମ୍ମାନ ୨୦୧୯ ପ୍ରଦାନ କରାଯାଇଛି।

“ରାଜ୍ୟର ଜଣାଶୁଣା ପ୍ରତିଭା ଓ ଅନୁଷ୍ଠାନ ସମେତ ସଫଳ ଓ ନିରବ ସାଧକଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ସେମାନଙ୍କ ଉତ୍କର୍ଷତାର ଜୟଗାନ କରିବା ଏହି ଉତ୍ସବର ଉଦ୍ଦେଶ୍ୟ”, କହିଛନ୍ତି ଓଡ଼ିଆ ମିଡିଆ ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା। ଏହିଅବସରରେ ସମ୍ମାନିତ ବ୍ୟକ୍ତିତ୍ୱ ଓ ଅନୁଷ୍ଠାନ ବାବଦରେ ଉଲ୍ଲେଖଥିବା ଏକ ପୁସ୍ତିକା ଉନ୍ମୋଚନ ହୋଇଥିଲା।

Comment