ଓଡ଼ିଶାଲାଇଭ୍ ବ୍ୟୁରୋ
ପୁରୀ ଗଣଦୁଷ୍କର୍ମ ଅଭିଯୁକ୍ତଙ୍କ ଅଭିଯୋଗ ପ୍ରମାଣିତ ହେଲେ ମିଳିପାରେ ଫାଶୀ ଦଣ୍ଡ। ଲାଗିଲା ସଙ୍ଗୀନ ଦଫା।
ପୁରୀ ଗଣଦୁଷ୍କର୍ମ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ। ସୋମବାର ରାତିରେ ପୋଲିସ ଜିତେନ୍ଦ୍ର ସେଠୀକୁ ଗିରଫ କରିଥିବା ବେଳେ ମଙ୍ଗଳବାର ଆଉ ଜଣେ ଅଭିଯୁକ୍ତ ରାଜେଶ ସେଠୀକୁ ଗିରଫ କରିଛି। ଏହି ଦୁଇ ଅଭିଯୁକ୍ତଙ୍କ ବିରୋଧରେ ସଙ୍ଗୀନ ଦଫା ଲାଗିଛି।
ଆଇପିସି ଧାରା ୩୬୩, ୩୭୬ (ଡିଏ), ୩୯୪ ଏବଂ ପକ୍ସୋ ଆକ୍ଟ ଧାରା ୬ରେ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି। ଯଦି ଅଭିଯୋଗ ପ୍ରମାଣିତ ହୁଏ ତାହାଲେ ଏହି ଧାରା ଅନୁସାରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଦୁଷ୍କର୍ମକାରୀଙ୍କ ବିରୋଧରେ ଆଇପିସି ଧାରା ୩୬୩ ଲାଗିଛି। ବଳପୂର୍ବକ ଅପହରଣ ପାଇଁ ଏହି ଦଫା ଲାଗିଥାଏ। ପ୍ରମାଣିତ ହେଲେ ଅଭିଯୁକ୍ତ ସର୍ବାଧିକ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍ ଯିବେ ଓ ଜରିମାନା ଦେବାର ବ୍ୟବସ୍ଥା ରହିଛି।
ଆଇପିସି ଧାରା ୩୭୬ (ଡିଏ)। ନାବାଳିକାଙ୍କୁ ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲାରେ ଏହି ଦଫା ଲାଗିଥାଏ। ଅଭିଯୋଗ ପ୍ରମାଣିତ ହେଲେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ହୋଇଥାଏ।
ଆଇପିସି ଧାରା ୩୯୪। ମାଡ଼ ମାରିବା, ଆଘାତ ଦେବା ଓ ଡକାୟତି କରିବା ଆଦି ଘଟଣାରେ ଏହି ଦଫା ଲଗାଇଥାଏ ପୋଲିସ। ଏଥିରେ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡର ବ୍ୟବସ୍ଥା ରହିଛି।

ପକ୍ସୋ ଆକ୍ଟ ଧାରା ୬। ନାବାଳିକାକୁ ଯୌନ ନିର୍ଯାତନା ମାମଲାରେ ଏହି ଦଫା ଲାଗିଥାଏ। ଅଭିଯୋଗ ପ୍ରମାଣିତ ହେଲେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି।
ସୋମବାର ରାତିରେ ପୁରୀରୁ ଏକ ସାଂଘାତିକ ଅଭିଯୋଗ ଆସିଥିଲା। ପୋଲିସ ପରିଚୟ ଦେଇ ୪ ଜଣ ଯୁବକ ଜଣେ ଯୁବତୀଙ୍କୁ ନିମାପଡ଼ାରୁ ନେଇ ପୁରୀରେ ପୋଲିସ କ୍ୱାର୍ଟର୍ସରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଯୁବତୀ ଜଣକ ପୁରୀ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ।


















