ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀର୍ଘ ୧ ବର୍ଷ ୩ ମାସ ଲୁଚକାଳି ଖେଳର ଅବସାନ ପରେ ନିଜେ ଧରାଦେଲେ ପୂର୍ବତନ ମହାକାଳପଡା ଆଇଆଇସି ଶ୍ୟାମଘନ ବେହେରା। ହାଜତ ମୃତ୍ୟୁ ଅଭିଯୋଗର ଅଭିଯୁକ୍ତ ଶ୍ୟାମଘନଙ୍କ ଜାମିନ ଆବେଦନ କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ଖାରଜ କରିଛନ୍ତି। ଏହାସହ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇଦେଇଛନ୍ତି। ବର୍ତ୍ତମାନ ଶ୍ୟାମଘନ ବାରିମୂଳ ସବ୍ ଜେଲରେ ବିଚାରାଧୀନ କଏଦି ଭାବେ ରହିବେ।ଗତ ୨୦୧୮ ମସିହା ଅଗଷ୍ଟ ୨୫ ତାରିଖରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବାଲଣା ଗାଁର ମୂଷା ଓରଫ ଅବିନାଶ ପାଇଟାଳ ନାମକ ଜଣେ ଯୁବକଙ୍କୁ ଏକ ମୋବାଇଲ ଚୋରି ଅଭିଯୋଗରେ ସନ୍ଦେହରେ ଗିରଫ କରିଥିଲେ। ପରେ ହାଜତରେ ତାଙ୍କୁ ବାଡେଇ ବାଡେଇ ହତ୍ୟାକରି ଥାନା ନିକଟରେ ଥିବା ଅଜୟ ମଳିକଙ୍କ କୋଠାଘର ଉପର ତାଲା ଶିଡି ଘରେ ବେକରେ ଦଉଡ଼ି ବାନ୍ଧି ଟଙ୍ଗାଇ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ ହେଇଥିଲା।

ଥାନାରେ ଏହି  ମାମଲାରେ ଭାରତୀୟ ଦଣ୍ଡବିଧି ଆଇନର ୩୪୨, ୩୨୩, ୩୦୨ ଓ ୩୪ ଦଫାରେ ମାମଲା ଋଜୁ ହୋଇଥିଲା। ସେବେଠୁ ତତ୍କାଳୀନ ମହାକାଳପଡା ଆଇଆଇସି ଶ୍ୟାମଘନ ବେହେରା ଫେରାର ହୋଇ ଆତ୍ମଗୋପନ କରିଥିଲେ। ଥାନାରେ ହାଜତ ମୃତ୍ୟୁ ଘଟଣାକୁ ନେଇ ବିଭିନ୍ନ ଗଣ ମାଧ୍ୟମରେ ଚର୍ଚ୍ଚା ହେବାପରେ ସରକାର ଏହି ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

କ୍ରାଇମବ୍ରାଞ୍ଚ ପୋଲିସ୍ ଏହି ମାମଲାରେ ତଦନ୍ତ କରି ୩୦୨ ଦଫା ପରିବର୍ତ୍ତେ ୩୦୬ ଦଫାରେ ମାମଲାର କୋର୍ଟଙ୍କୁ ଫାଇନାଲ ଚାର୍ଜସିଟି ଦେବାପରେ ଶ୍ୟାମଘନ ଓଡ଼ିଶା ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଏହି ମାମଲାର ବିଚାର କରି ମାମଲାକୁ ଗୋଟିଏ ଦିନରେ ସମାଧାନ କରିବାକୁ ତଳ କୋର୍ଟକୁ ନିର୍ଦ୍ଦେଶ ଦେଇଥିଲେ।

୧ ବର୍ଷ ୩ ମାସ ଆତ୍ମଗୋପନ କରିଥିବା ଶ୍ୟାମଘନ ସୋମବାର ସକାଳେ କେନ୍ଦ୍ରାପଡ଼ା ଏସଡିଜେଏମଙ୍କ କୋର୍ଟରେ ଆତ୍ମସମର୍ପଣ କରି ଜାମିନ ଆବେଦନ କରିଥିଲେ। କେନ୍ଦ୍ରାପଡା ଏସଡିଜେଏମ ଶ୍ୟାମଘନଙ୍କ ଜାମିନ ଆବେଦନ ଖାରଜ କରିବା ପରେ ଶ୍ୟାମଘନ ପୁନର୍ବାର କେନ୍ଦ୍ରାପଡା ଜିଲ୍ଲା ଦୌରାଜଜଙ୍କ ଅଦାଲତରେ ଜାମିନ ଆବେଦନ କରିଥିଲେ। ହେଲେ ସେଠାରେ କେନ୍ଦ୍ରାପଡା ଜିଲ୍ଲା ଦୌରଜଜ୍ ଶ୍ୟାମଘନଙ୍କ ଜାମିନ ଆବେଦନକୁ ଖାରଜ କରି ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ।

Comment