ଓଡ଼ିଶାଲାଇଭ୍ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): କେନ୍ଦ୍ରାପଡ଼ା ଜିଲ୍ଲାରେ ଏକ ପ୍ରେମ ଘଟଣାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ପ୍ରେମିକାର ପରିବାର ଲୋକଙ୍କ ମାଡ଼ରେ ପ୍ରେମିକର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପ୍ରେମିକାର ଘରେ ପଶି ଭଙ୍ଗାରୁଜା କରିବା ସହ ଆସବାବ ପତ୍ରରେ ନିଆଁ ଲଗାଇଦେଇଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିବା ବେଳେ ସଂପୂର୍ଣ୍ଣ ଗାଁ ଏବେ ପୋଲିସ ଛାଉଣୀରେ ରହିଛି।କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ଖରିନାସୀ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା। ଖରିନାସୀ ଗ୍ରାମର  ଜଣେ ଯୁବକ ସେହି ଗ୍ରାମର ଅନ୍ୟ ଜଣେ ଯୁବତୀକୁ ଭଲପାଉଥିବା ଜାଣିବାକୁ ପାଇଥିଲେ ଯୁବତୀଙ୍କ ପରିବାର ଲୋକେ। ଏହାପରେ ଗତ ୧୫ ତାରିଖରେ ଯୁବତୀର ପରିବାର ଲୋକେ ଯୁବକ ଜଣଙ୍କୁ ଫୋନରେ ତାଙ୍କ ଘରକୁ ଡକାଇ ନିସ୍ତୁକ ମାଡମାରି ରାସ୍ତା କଡରେ ଫିଙ୍ଗିଦେଇଥିଲେ। ଗୁରୁତର ଅବସ୍ଥାରେ ଯୁବକ ଜଣକୁ ଚିକିତ୍ସାପାଇଁ କଟକ ବଡଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ମୃତକ ଯୁବକ ଜଣକ ହେଉଛନ୍ତି ଖରିନାସୀ ଗାଁର ସୁନିଲ ମଣ୍ଡଳଙ୍କ ପୁଅ ସୌରଭ ମଣ୍ଡଳ।ସୌରଭଙ୍କ ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଗାଁଲୋକେ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ଶହଶହ ପରିମାଣରେ ଲୋକେ ଏକତ୍ରୀତ ହୋଇ ଗାଁର ବାବୁ ମଣ୍ଡଳଙ୍କ ଘର ଉପରେ ଆକ୍ରମଣ କରିଥିଲେ। ତାଙ୍କ ଘରଭିତରେ ପଶି ଭଙ୍ଗାରୁଜା କରିବା ସହିତ ତାଙ୍କ ଘରୁ ସମସ୍ତ ଆସବାବପତ୍ର ଓ ବାଇକକୁ ବାହାରକୁ ଆଣି ନିଆଁ ଲଗାଇ ଦେଇଥିଲେ। ତେବେ ଏ ସମସ୍ତ ଘଟଣା ପୋଲିସ ସମ୍ମୁଖରେ ଘଟୁଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ସାମ୍ନା କରିପାରିନଥିଲା।

ଏହାବାଦ୍ ଘଟଣା ବାବଦରେ ଖବରପାଇ କେନ୍ଦ୍ରାପଡା ଏସ୍‌ପି ମଡକର ସନ୍ଦିପ ସମ୍ପଦ ଜିଲ୍ଲାରୁ ୨ ପ୍ଲାଟୁନ ପୋଲିସ ଫୋର୍ସ ସମେତ ବରିଷ୍ଠ ପୋଲିସ ଅଧିକାରୀ ଓ ବିଭିନ୍ନ ଥାନାର ଇନ୍ସପେକ୍ଟରମାନଙ୍କୁ ଘଟଣାସ୍ଥଳକୁ ପଠାଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହାପରେ ମହାକାଳପଡା ତହସିଲଦାରଙ୍କ ଉପସ୍ଥିତିରେ ବାବୁ ମଣ୍ଡଳଙ୍କ ପରିବାରଙ୍କୁ ପୋଲିସ ଉଦ୍ଧାର କରିଛି। ତେବେ ଏବେ ଖରିନାସୀ ଗାଁରେ ଚାପା ଉତ୍ତେଜନା ଲାଗିରହିଛି। ଫଳରେ ଉକ୍ତ ଗ୍ରାମରେ ୨ ପ୍ଲାଟୁନ ସଶସ୍ତ୍ର ପୋଲିସ ଫୋର୍ସ ପଇଁତରା ମାରୁଛନ୍ତି।

Comment