ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରର ଇଡକୋ ପ୍ରଦର୍ଶନୀ ପଡ଼ିଆରେ ଆଜିଠୁ ମିଶନ ଶକ୍ତି ମେଳା। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ଜିନଷର ବିକ୍ରି ପାଇଁ ମିଶନ ଶକ୍ତି ନିର୍ଦ୍ଦେଶାଳୟ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ରାଜ୍ୟରେ ପ୍ରଥମ ଥର ପାଇଁ ଏହି ମେଳା ଆୟୋଜନ କରିବାକୁ ଯାଉଛି। ଏହି ମେଳା ଦିନ ୧୧ଟାରୁ ରାତି ୯ଟା ଯାଏଁ ଚାଲିବ। ଆଜି ସନ୍ଧ୍ୟା ୬ଟାରେ ଏହି ମେଳା ଉଦଘାଟନ କରିବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ।

ଡିସେମ୍ବର ୫ରୁ ୧୬ ପର୍ଯ୍ୟନ୍ତ ଏହି ମେଳା ଇଡକୋ ପ୍ରଦର୍ଶନୀ ପଡ଼ିଆରେ ହେବ। ଏହି ମେଳାରେ ୨୦୦ଟି ଷ୍ଟଲ ପଡ଼ିବ।  ବିଭିନ୍ନ ପ୍ରକାର ହସ୍ତତନ୍ତ, ହସ୍ତଶିଳ୍ପ, ଜଙ୍ଗଲ ଜାତ ଦ୍ରବ୍ୟ, ଖାଦ୍ୟ ଜାତୀୟ ଦ୍ରବ୍ୟ, ମସଲା ଆଦିର ପ୍ରଦର୍ଶନ ଓ ବିକ୍ରି କରାଯିବ।

ଭୁବନେଶ୍ୱର ଭଳି ସହରାଞ୍ଚଳ ଲୋକମାନଙ୍କ ପାଇଁ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ଜିନିଷକୁ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳା ସଶକ୍ତିକରଣ ନିମନ୍ତେ ୨୦୦୧ରେ ରାଜ୍ୟ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ମିଶନ ଶକ୍ତି ଏକ ବଡ଼ ପରିବର୍ତ୍ତନ ଆଣିଛି। ଏହି ଗୋଷ୍ଠୀମାନଙ୍କୁ ଅଧିକ ରୋଜଗାର ଯୋଗାଇଦେବା ଏହି ମେଳାର ମୁଖ୍ୟ ଆଭିମୁଖ୍ୟ।

ଏହି ମେଳାକୁ ଆସି ମହିଳାଙ୍କୁ ପ୍ରୋତ୍ସାହିତ କରିବା ସହ ତାଙ୍କ ଜିନିଷ କିଣିବାକୁ ଅନୁରୋଧ କରିଛନ୍ତି ମିଶନ ଶକ୍ତି ନିର୍ଦ୍ଦେଶକ ସୁଜାତା କାର୍ତ୍ତିକେୟନ।

Comment