ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏତଲା ଗ୍ରହଣ କରିବାକୁ ପୋଲିସ ବିଳମ୍ଵ କରିବାରୁ ଥାନାରେ ଜଣେ ଯୁବତୀ ନିଶା ବଟିକା ଖାଇ ଦେଇଛନ୍ତି। ଏକାଥରକେ ୫ଟା ବଟିକା ଖାଇ ଦେବାରୁ ଯୁବତୀ ଜଣକ ଗୁରୁତର ହୋଇ ପଡ଼ିଥିଲେ। ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ସମ୍ଵଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ।

ସେହି ଅଞ୍ଚଳର ଜଣେ ଯୁବତୀ ୪ବର୍ଷ ହେବ କୁଚିଣ୍ଡା ଥାନା ଅନ୍ତର୍ଗତ ୧୧ ନମ୍ଵର ଓ୍ଵାର୍ଡ ନିବାସୀ ବେଦବ୍ୟାସ ଭୀମଙ୍କୁ ଭଲ ପାଉଥିଲେ। ଉଭୟ ବିବାହ କରିବାକୁ ମଧ୍ୟ ସ୍ଥିର କରିଥିଲେ। ମାତ୍ର ପରେ ଯୁବକ ଜଣକ ପ୍ରତାରଣା କରିବାରୁ ଯୁବତୀ ଜଣକ ଥାନାର ଦ୍ଵାରସ୍ଥ ହୋଇଥିଲେ। ଅଭିଯୋଗର ୧୭ ଦିନ ପରେ ପୋଲିସ ବେଦବ୍ୟାସକୁ ଡାକି ମାମଲାର ସମାଧାନ କରି ଦେଇଥିଲା।

ପୋଲିସ ସାମ୍ନାରେ ବେଦବ୍ୟାସ ଯୁବତୀଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ ମଧ୍ୟ ପରେ ମା’ର ଦେହ ଖରାପ ଥିବାରୁ ବିଳମ୍ଵ ହେବ ବୋଲି କହିଥିଲେ। ଏହାପରେ ଯୁବତୀ ଜଣକ ଆଜି ପୁଣି ଥାନାକୁ ଆସିଥିଲେ। ହେଲେ ଏତଲା ରଖିବାକୁ ପୋଲିସ ବିଳମ୍ଵ କରିବାରୁ ଯୁବତୀ ଜଣକ ଥାନାରେ ୫ଟି ନିଶା ବଟିକା ଖାଇ ଦେଇଥିଲେ।

ବଟିବା ଖାଇବାର ଅଳ୍ପ ସମୟ ମଧ୍ୟରେ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ଵାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

Comment