ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ(ପିଏମ୍‌ଓ) ଦାୟୀ। ଏକଥା କହିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ। ସେ କହିଛନ୍ତି ଯେ, କେନ୍ଦ୍ରର ମନ୍ତ୍ରୀମାନଙ୍କ ପାଖରେ କୌଣସି କ୍ଷମତା ନାହିଁ। ସବୁ କ୍ଷମତା ପିଏମ୍‌ଓ ପାଖରେ ରହିଛି। ଏମିତିକି ଦେଶର ଅର୍ଥନୈତିକ ବ୍ୟବସ୍ଥା ମଧ୍ୟ ପିଏମ୍‌ଓ ସମ୍ଭାଳୁଛି, ଯାହା ଭାରତର ଅର୍ଥନୀତି ପାଇଁ ଠିକ୍‌ ନୁହେଁ ବୋଲି ରଘୁରାମ ରାଜନ କହିଛନ୍ତି।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ’ରେ ରାଜନ ଲେଖିଛନ୍ତି,”ପ୍ରଧାନମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥିବା ଅଳ୍ପ ସଂଖ୍ୟକ ଲୋକଙ୍କ ଦ୍ୱାରା ଦେଶର ସମସ୍ତ ନିଷ୍ପତ୍ତି ନିଆଯାଉଛି। କେନ୍ଦ୍ରମନ୍ତ୍ରୀଙ୍କ ପାଖରେ କୌଣସି କ୍ଷମତା ନାହିଁ। ତେବେ ଏହା କେବଳ ରାଜନୈତିକ ଏବଂ ସାମଜିକ ଏଜେଣ୍ଡା ପାଇଁ ଠିକ୍‌। ହେଲେ ଦେଶର ଅର୍ଥନୈତିକ ସଂସ୍କାର କ୍ଷେତ୍ରରେ ପିଏମ୍‌ଓର ହସ୍ତକ୍ଷେପ ଅର୍ଥନୀତି ପାଇଁ ଠିକ୍‌ ନୁହେଁ।”

“ଯେତେବେଳେ ଯେଉଁ କାର୍ଯ୍ୟ ଉପରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଧ୍ୟାନ ଦେଉଛି ତାହା ଆଗକୁ ବଢୁଛି। ହେଲେ ପିଏମ୍‌ଓ ଅନ୍ୟ କୌଣସି କାମରେ ଧ୍ୟାନ ଦେଲେ ପୁରୁଣା କାମ ଯେଉଁଠି ଥିଲା ସେଇଠି ଅଟକି ଯାଉଛି। ମାନ୍ଦାବସ୍ଥାକୁ ଦୂର କରିବା ପାଇଁ ମୋଦି ସରକାର ଏହି ଦିଗ ପ୍ରତି ଧ୍ୟାନ ଦେବା ଦରକାର”, ରଘୁରାମ ରାଜନ କହିଛନ୍ତି।

ଦେଶରେ ବର୍ତ୍ତମାନ ମାନ୍ଦାବସ୍ଥା କବଳରେ ପେଶୀ ହେଉଛି। ସରକାରଙ୍କୁ ଏହା ମାନିବାକୁ ପଡ଼ିବ ବୋଲି ରାଜନ କହିଛନ୍ତି। ମାନ୍ଦାବସ୍ଥାର ପ୍ରଭାବ ଗ୍ରାମାଞ୍ଚଳରେ ସବୁଠାରୁ ଅଧିକ। ଦେଶର କନ୍‌ଷ୍ଟ୍ରକ୍ସନ, ରିଅଲ ଇଷ୍ଟେଟ୍‌ ଏବଂ ଭିତ୍ତିଭୂମି କ୍ଷେତ୍ର ଗଭୀର ସଙ୍କଟରେ ଚାଲୁଛି। କମ୍ପାନି ଓ ଲୋକମାନଙ୍କ ଋଣବୋଝ ବଢ଼ିବାରେ ଲାଗିଛି। ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ ବଢ଼ିବାରେ ଲାଗିଛି। ଦେଶରେ କାରବାର କରୁଥିବା କମ୍ପାନିଗୁଡ଼ିକ ନିବେଶ କରିବାକୁ ଆଗ୍ରହୀ ହେଉନାହାନ୍ତି। ଦେଶରେ ଏହିସବୁ ସମସ୍ୟା ଥିବା ସରକାରଙ୍କୁ ବୁଝିବାକୁ ପଡ଼ିବ ଏବଂ ଏଥିରେ ସଂସ୍କାର ଆଣିବାକୁ ପଦକ୍ଷେପ ନେବାକୁ ପଡ଼ିବ ବୋଲି ରଘୁରାମ ରାଜନ କହିଛନ୍ତି।

Comment