ଓଡ଼ିଶାଲାଇଭ୍‌ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ସମୁଦ୍ର କୂଳରେ ରାତ୍ରୀଯାପନ କରିବେ ପର୍ଯ୍ୟଟକ। ଶୀତ ରାତିର କୋହଲା ପାଗ ସାଙ୍ଗକୁ ବିସ୍ତିର୍ଣ୍ଣ ବେଳାଭୂମିର ମଜା ନେବେ ପର୍ଯ୍ୟଟକ। ଦେଶ ଓ ବିଦେଶର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଵାକୁ ରାଜ୍ୟ ସରକାର ଚଳିତବର୍ଷ ଭେଟି ଦେଉଛନ୍ତି ନିଆରା କାର୍ଯ୍ୟକ୍ରମ ଇକୋ-ରିଟ୍ରିଟ୍। ଏହି କାର୍ଯ୍ୟକ୍ରମ ଚଳିତ ଡିସେମ୍ବର ୧୪ରୁ ଆରମ୍ଭ ହୋଇ ଜାନୁଆରି ୩୧ ପର୍ଯ୍ୟନ୍ତ ଜାରି ରହିବ।

ପାଖାପାଖି ୪୫ ଦିନ ଧରି କୋଣାର୍କର ଚନ୍ଦ୍ରଭାଗା ରାମଚଣ୍ଡୀ ବେଳାଭୂମିରେ ଅନୁଷ୍ଠିତ ହେଵାକୁ ଥିବା ଏହି କାର୍ଯ୍ୟକ୍ରମ ପାଇଁ ଅନଲାଇନ ଟିକେଟ୍‌ ବୁକିଂ ଆରମ୍ଭ ହୋଇଛି। ବୁକିଂ କରିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ଓଡିଶା ଟୁରିଜିମ୍‌ ଓ୍ଵେବସାଇଟ୍‌ରେ ଅନଲାଇନ୍‌ ବୁକିଂ କରିପାରିବେ। ଏହି କାର୍ଯ୍ୟକ୍ରମ ଗୁଜୁରାଟର କଚ୍ଛରେ ଅନୁଷ୍ଠିତ ହେଉଥିବା ରାନ ଉତ୍ସବ ଭଳି କରାଯିବ। ଏହି ଇକୋ ରିଟ୍ରିଟ୍‌ କାର୍ଯ୍ୟକ୍ରମ ଭାରତର ଦ୍ଵିତୀୟ ଓ ଓଡିଶାର ପ୍ରଥମ ବିଶ୍ଵ ପ୍ରସିଦ୍ଧ ଉତ୍ସବ।

ପ୍ରତ୍ୟେକ ଦିନ କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟ ମନ୍ଦିରକୁ ହଜାର ହଜାର ପର୍ଯ୍ୟଟକ ଆସୁଥିଲେ ମଧ୍ୟ କୋଣାର୍କର ରାତିରେ ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରୁ ନଥିଲେ। ଏହି କାର୍ଯ୍ୟକ୍ରମ ପର୍ଯ୍ୟଟକଙ୍କୁ ସମୁଦ୍ର ବେଳାମାର୍ଗରେ ରାତ୍ରୀଯାପନ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିଵାକୁ ସୁଯୋଗ ଦେବ ବୋଲି ପର୍ଯ୍ୟଟନ ସଚିବ ବିଶାଲ ଦେବ କହିଛନ୍ତି।

ଅନ୍ୟପକ୍ଷରେ ଇକୋ-ରିଟ୍ରିଟ୍‌ କାର୍ଯ୍ୟକ୍ରମର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ରାଜ୍ୟ ପର୍ଯ୍ୟଟନ ବିଭାଗ ସଚିବ ବିଶାଲ ଦେବ ଏହି କାର୍ଯ୍ୟର ତଦାରଖ କରୁଛନ୍ତି। ପୂର୍ବରୁ ଏହି କାର୍ଯ୍ୟକ୍ରମ ଗୋଟିଏ ମାସ ହେବାକୁ ସ୍ଥିର ହୋଇଥିବା ବେଳେ ପର୍ଯ୍ୟଟକ ଓ ଟୁର ଅପରେଟରଙ୍କ ଦାବିକୁ ଅଗ୍ରାଧିକାର ଦେଇ ଏହି କାର୍ଯ୍ୟକ୍ରମକୁ ୧୫ ଦିନ ବୃଦ୍ଧି କରାଯାଇଛି।

ଇକୋ-ରିଟ୍ରିଟ୍‌ କାଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ପର୍ଯ୍ୟଟକଙ୍କୁ ବିଭିନ୍ନ ପର୍ଯ୍ୟଟନ ସ୍ଥାନ ବୁଲିବା ପରେ ରାମଚଣ୍ଡୀ ବେଳାମାର୍ଗରେ ରାତ୍ରୀ ଯାପନ କରିବେ। ଏଠାରେ ସୁସ୍ଵାଦୁଖାଦ୍ୟ, ଜଳକ୍ରୀଡା, ପାରମ୍ପରିକ ନୃତ୍ୟ ଗୀତ ଆସର ସାଙ୍ଗକୁ ଲୋକପ୍ରିୟ କଳାକାରଙ୍କ ଦ୍ଵାରା ନୃତ୍ୟ ଗୀତର ମନୋରଞ୍ଜନ ପାଇବେ। ଏଠାରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକଙ୍କୁ ୯ ହଜାରରୁ ୨୨ ହଜାର ଟଙ୍କା ଦେବାକୁ ପଡ଼ିବ।

Comment