ଓଡ଼ିଶାଲାଇଭ୍ ବ୍ୟୁରୋ

ମିଶନ ଶକ୍ତି ମେଳାକୁ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୁଧବାର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମେଳାକୁ ବୁଲି ଦେଖିବା ସହ ମେଳାରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ପ୍ରଶଂସା କରିଛନ୍ତି।

ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳାର ଆଜି ସପ୍ତମ ଦିନ ଥିଲା। ବୁଧବାର ମୁଖ୍ୟମନ୍ତ୍ରୀ ମେଳା ବୁଲି ଦେଖିବା ସହ ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କ ସହ କିଛି ସମୟ ଧରି ଆଲୋଚନା କରିଥିଲେ। ଏହାସହ ମୁଖ୍ୟମନ୍ତ୍ରୀ ମେଳାରେ ସ୍ଥାନ ପାଇଥିବା ମାଣ୍ଡିଆ ଜାତୀୟ ଖାଦ୍ୟ, ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ଥାଳି, ଡୋକ୍ରା ଶିଳ୍ପ, ସବାଇ ଶିଳ୍ପ ଓ ବିଭିନ୍ନ ମସଲା ସାମଗ୍ରୀକୁ ପ୍ରଶଂସା କରିଥିଲେ।ଅନ୍ୟପଟେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେମାନଙ୍କର ଧନ୍ୟବାଦ ଜଣାଇଥିଲେ। ରାଜ୍ୟ ସରକାର ମହିଳାମାନଙ୍କର ସାମାଜିକ ଓ ଅର୍ଥନୈତିକ ସଶକ୍ତିକରଣ କରିବା ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିନା ସୁଧରେ ସ୍ୱୟଂ ସହାୟକ ଗୋଷ୍ଠୀମାନେ ରାଜ୍ୟ ସରକାରଙ୍କଠୁ ଋଣ ପାଇପାରୁଛନ୍ତି, ତେଣୁ ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ମିଶନ ଶକ୍ତି ମେଳା ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ। ମେଳାରେ ୨୦୨ଟି ଷ୍ଟଲରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ଦ୍ରବ୍ୟମାନଙ୍କୁ ପ୍ରଦର୍ଶନ ଓ ବିକ୍ରି କରାଯାଉଛି। ବିଶେଷ କରି ହସ୍ତତନ୍ତ୍ର, ହସ୍ତଶିଳ୍ପ ଓ ଜଙ୍ଗଲଜାତ ଦ୍ରବ୍ୟର ବେଶ୍ ଚାହିଦା ରହିଛି। ଏପରିକି ବର୍ତ୍ତମାନ ସୁଦ୍ଧା ମେଳାରେ ମୋଟ୍ ୨କୋଟିରୁ ଅଧିକ ଟଙ୍କାର ବ୍ୟବସାୟ ହୋଇଛି ବୋଲି କୁହାଯାଇଛି।ବୁଧବାର ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ମେଳା ବୁଲି ଦେଖିବା ସମୟରେ ତାଙ୍କ ସହ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ମିଶନ ଶକ୍ତିର ଉପଦେଷ୍ଟା ଡକ୍ଟର ଲୋପାମୁଦ୍ରା ବକ୍ସିପାତ୍ର, ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗ, ମିଶନ ଶକ୍ତି ନିର୍ଦ୍ଦେଶାଳୟର କମିସନର ଓ ନିର୍ଦ୍ଦେଶକ ସୁଜାତା ଆର୍ କାର୍ତ୍ତିକେୟନ୍ ପ୍ରମୁଖ ଉପସ୍ଥିତ ରହିଥିଲେ।

Comment