ଓଡ଼ିଶାଲାଇଭ୍‌ ବ୍ୟୁରୋ

ପାନ୍‌କାର୍ଡ ହଜିଯାଇଥିଲେ ଏବେ ଘରେ ବସି ମାତ୍ର ୫୦ ଟଙ୍କାରେ ନୂଆ ପାନ୍‌କାର୍ଡ ଆବେଦନ କରିପାରିବେ।

ବର୍ତ୍ତମାନ ସମୟରେ ପାନ୍‌କାର୍ଡ ଏକ ଜରୁରୀ କାଗଜପତ୍ର ହୋଇଯାଇଛି। ବ୍ୟାଙ୍କ୍‌ରେ ଆକାଉଣ୍ଟ ଖୋଲିବା ଠାରୁ ଆରମ୍ଭ କରି ସେୟାର ମାର୍କେଟ୍‌ରେ ନିବେଶ କରିବା ଯାଏଁ ସବୁ କାର୍ଯ୍ୟରେ ପାନ୍‌କାର୍ଡର ଆବଶ୍ୟକତା ରହିଛି। ଯଦି ଆପଣଙ୍କ ପାନ୍‌କାର୍ଡ ହଜିଯାଏ, ତେବେ ଆପଣଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ହେଲେ ଏବେ ଆଉ ଚିନ୍ତା କରିବାକୁ ପଡ଼ିବ ନାହିଁ। ମାତ୍ର ୫୦ ଟଙ୍କାର ଆପଣ ଘରେ ବସି ଅନ୍‌ଲାଇନ୍‌ରେ ନୂଆ ପାନ୍‌କାର୍ଡ ଆବେଦନ କରିପାରିବେ।

ଏହି ସୁବିଧା ସେହି ଲୋକମାନଙ୍କୁ ମିଳିବ, ଯାହାର ପାନ୍‌କାର୍ଡ ଆୟକର ବିଭାଗର ଏନ୍‌ଏସ୍‌ଡିଏଲ୍‌ କିମ୍ବା ୟୁଟିଆ ଜରିଆରେ ତିଆରି ହୋଇଛି। ଏଥିସହିତ ହଜି ଯାଇଥିବା ପାନ୍‌ ଆପଣଙ୍କ ଇମେଲ୍‌ ଏବଂ ଫୋନ୍‌ ନମ୍ବର ପୂର୍ବରୁ ଆୟକର ୱେବସାଇଟ୍‌ରେ ରେଜିଷ୍ଟର ହୋଇଥିବା ଆବଶ୍ୟକ। କାହିଁକି ନାଁ ଉକ୍ତ ନମ୍ବର ଏବଂ ଇ-ମେଲ୍‌କୁ ଆୟକର ୱେବସାଇଟ୍‌ରୁ ଓଟିପି ଆସିଥାଏ।

କେମିତି କରିବେ ଆବେଦନ

ପ୍ରଥମେ ଆୟକର ୱେବସାଇଟ୍‌ର ପାନ୍‌ ୟୁନିଟ୍‌କୁ ଯାଆନ୍ତୁ। ୱେବସାଇଟ୍‌ରେ ଥିବା ରିପ୍ରିଣ୍ଟ ଅଫ୍‌ ପାନ୍‌ କାର୍ଡ ବିକଳ୍ପରେ କ୍ଲିକ୍‌ କରନ୍ତୁ।

ଏହାପରେ ନିଜ ପର୍ସନାଲ ଆକାଉଣ୍ଟ ନମ୍ବର(ପାନ୍‌), ଆଧାର ନମ୍ବର ଏବଂ ନିଜ ଜନ୍ମ ତାରିଖ ଦିଆଯାଇଥିବା ସ୍ଥାନରେ ଭରନ୍ତୁ। ଏହା ପରେ କ୍ୟାପ୍‌ଚା କୋର୍ଡ ଦେଇ ସବ୍‌ମିଟ୍‌ କଲେ ଆପଣଙ୍କ ସମ୍ପୂର୍ଣ୍ଣ ସୂଚନା ସ୍କ୍ରିନ୍‌ ଉପରେ ଦେଖାଯିବ।

ଏହା ପରେ ଭେରିଫିକେସନ ପାଇଁ ଓଟିପି ବିକଳ୍ପ ଉପରେ କ୍ଲିକ୍‌ କରନ୍ତୁ। ଆପଣ ନିଜ ଇମେଲ୍‌ କିମ୍ବା ଫୋନ୍‌ରେ ଓଟିପି ପାଇଁ ବିକଳ୍ପ ଚୟନ କରିପାରିବେ।

ଓଟିପି ଦେବା ପରେ ଆପଣଙ୍କୁ ଅନ୍‌ଲାଇନ୍‌ରେ ୫୦ ଟଙ୍କା ଦେବାକୁ ପଡ଼ିବ। ଏହା କ୍ରେଡିଟ୍‌ କାର୍ଡ, ଡେବିଟ୍‌ କାର୍ଡ କିମ୍ବା ଅନ୍‌ଲାଇନ୍‌ ବ୍ୟାଙ୍କିଂ ଜରିଆରେ କରିପାରିବେ।

ଏହିଭଳି ଭାବେ ଆପଣ ନୂଆ ପାନ୍‌କାର୍ଡ ଆବେଦନ କରିପାରିବେ। ଆବେଦନ କରିବାର କିଛି ଦିନରେ ଆପଣଙ୍କ ଘରକୁ ଡାକରେ ପାନ୍‌କାର୍ଡ ପହଞ୍ଚିଯିବ।

Comment