ଓଡ଼ିଶାଲାଇଭ୍‌ ବ୍ୟୁରୋ

ହୀରାକୁଦର ନିଷିଦ୍ଧାଞ୍ଚଳରେ ଫଟୋ ଓ ଭିଡିଓ ଉଠାଇ ଫସିଲେ ଅଭିନେତ୍ରୀଙ୍କ ସମେତ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝିଅ। ନିଷିଦ୍ଧାଞ୍ଚଳରେ ସେମାନେ ନାଚ, ଗୀତ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ବର୍ତ୍ତମାନ ଚେତିଛି ପୋଲିସ। କିପରି ନିଷିଦ୍ଧାଞ୍ଚଳରେ ଅଭିନେତ୍ରୀମାନେ ପ୍ରବେଶ କରି ଭିଡିଓ କଲେ ଏହାର ଖୋଳତାଡ଼ ଆରମ୍ଭ କରିଛି ପୋଲିସ।

ଭାଇରାଲ ଭିଡିଓରେ ଥିବା ତିନି ଓଡ଼ିଆ ଅଭିନେତ୍ରୀ ହେଲେ ଏଲିନା ସାମନ୍ତରାୟ, ପ୍ରକୃତି ମିଶ୍ର, ଲୋଭିନା ନାୟକ। ଏମାନଙ୍କ ସହ ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କ ଝିଅ ଦିପାଲି ଦାସ୍‌ଙ୍କୁ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି। ଏହାସହ ନିଷିଦ୍ଧାଞ୍ଚଳରେ କିଛି କାର୍‌ ମଧ୍ୟ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି।

ଏହି ଘଟଣାରେ ବର୍ତ୍ତମାନ ହୀରାକୁଦ ଏସ୍‌ଡିପିଓଙ୍କୁ ରିପୋର୍ଟ ତଲବ କରିଛନ୍ତି ସମ୍ଵଲପୁର ଏସ୍‌ପି। ସୋମବାର ସନ୍ଧ୍ୟା ୫ଟା ସୁଦ୍ଧା ରିପୋର୍ଟ ଦେବାକୁ ଏସ୍‌ଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

ଏହି ଘଟଣାରେ ନିଜ ପ୍ରତିକ୍ରିୟା ରଖି ଅଭିନେତ୍ରୀ ଏଲିନା ସାମନ୍ତ ରାୟ କହିଛନ୍ତି, “ପ୍ରଥମେ ଏମତି ଏକ ଭୁଲ୍‌ ପାଇଁ ସମସ୍ତଙ୍କୁ କ୍ଷମା ମାଗୁଛି। ହେଲେ ଏହି ଭୁଲ୍‌ ମୁଁ କରିନାହିଁ। ଭିଡିଓରେ ମୁଁ ଅଛି ହେଲେ ଭିଡିଓ କି ଫଟୋ ମୁଁ ଉଠାଇ ନାହିଁ କି ସୋସିଆଲ ମିଡିଆରେ ଛାଡ଼ିନାହିଁ। ଯିଏ ଏହାକୁ କରିଛି ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉ।”

LEAVE A REPLY

Please enter your comment!
Please enter your name here