ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ୱାଳ): କାକଟପୁରରେ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଉପରେ ଚଢ଼ାଉ କରିଛି ପୁରୀ ଭିଜିଲାନ୍ସ ଟିମ୍। କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ହେଉଥିବା ଶିଶୁ ଖାଦ୍ୟରେ ଅପମିଶ୍ରଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୋମବାର ଭିଜିଲାନ୍ସ ଟିମ୍ ଏହା ଉପରେ ଚଢ଼ାଉ କରିଛି।

ଗତ ୬ବର୍ଷ ଧରି କାକଟପୁର ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଅଧୀନରେ ମା ବିଶ୍ୱ ବିରଜାଇ ଓ ମା ଭବାନୀ ନାମକ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସେ ଅଞ୍ଚଳର ଶିଶୁମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରି ଯୋଗାଉଥିଲେ। ତାଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଛତୁଆ ସେ ଅଞ୍ଚଳର ପ୍ରାୟ ୧୮୨ଟି ଅଙ୍ଗନାୱାଡ଼ି କେନ୍ଦ୍ରର ପିଲାମାନଙ୍କୁ ବଣ୍ଟାଯାଉଥିଲା।ତେବେ ଏହି ଛତୁଆ ପ୍ରସ୍ତୁତିରେ ସ୍ୱୟଂ ସହାୟକ ଗୋଷ୍ଠୀ ବ୍ୟାପକ ଅନିୟମିତତା କରୁଥିବା ଅଭିଯୋଗ ହେଉଥିଲା। ଅପରିଷ୍କାର ପରିବେଶରେ ଖାଦ୍ୟ ପ୍ରସ୍ତୁତ, କମ ମାନର ଛତୁଆ, ଓଜନରେ ଠକେଇ ଆଦି ବିଭିନ୍ନ ଅଭିଯୋଗ ନେଇ ସ୍ଥାନୀୟ ଅଧିବାସୀ ଶଙ୍କର ଶିବାନନ୍ଦ ଶତପଥୀ ଓ ଶ୍ରୀଧର ନାୟକ ଅଭିଯୋଗ କରିଥିଲେ। ତେବେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେମାନେ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ହାଇକୋର୍ଟରୁ ନିର୍ଦ୍ଦେଶ ପରେ ସୋମବାର ପୁରୀ ଭିଜିଲାନ୍ସ ଡିଏସପି ହରନାରାୟଣ ପତି ଓ ଭିଜିଲାନ୍ସ ଅଧିକାରୀ ମଦନ ମୋହନ ପ୍ରଧାନଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ସମନ୍ୱିତ ଶିଶୁ ବିକାଶ କେନ୍ଦ୍ର ଉପରେ ଚଢ଼ାଉ କରିଥିଲା।

Comment