ଓଡ଼ିଶାଲାଇଭ୍ ବ୍ୟୁରୋ

(କୋଣାର୍କରୁ ଆଦିତ୍ୟ ବିଶ୍ଵାଳ): ଆସନ୍ତା ୨୩ ତାରିଖରୁ କାକଟପୁରର ମା’ ମଙ୍ଗଳାଙ୍କ ମନ୍ଦିର ସାଧାରଣ ଦର୍ଶନ ପାଇଁ ଖୋଲିବ। କରୋନା ପାଇଁ ଦୀର୍ଘ ୯ମାସ ଧରି ମନ୍ଦିର ବନ୍ଦ ରହିଥିବା ବେଳେ ଭକ୍ତମାନଙ୍କ ପାଇଁ ଏହାକୁ ଖୋଲିବାକୁ ପୁରୀ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। ତେବେ ସରକାରୀ ବିଧି ବ୍ୟବସ୍ଥା ଏବଂ କୋଭିଡ କଟକଣା ମଧ୍ୟରେ ହିଁ ମା’ ମଙ୍ଗଳାଙ୍କ ମନ୍ଦିର ଖୋଲାଯିବାକୁ ପ୍ରଶାସନ କହିଛି।

ମନ୍ଦିର ଖୋଲାଗଲେ କରୋନା ସଂକ୍ରମଣ ବୃଦ୍ଧି ପାଇପାରେ। ତେଣୁ ଏହି ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେଥିପାଇଁ ସ୍ଥାନୀୟ ତହସିଲଦାରଙ୍କ ଅଧ୍ୟକ୍ଷତାରେ ଥାନା ଅଧିକାରୀ, ମନ୍ଦିର କମିଟି ଏବଂ ସ୍ଥାନୀୟ ଲୋକପ୍ରତିନିଧିମାନେ ଆଲୋଚନା କରି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଇବାକୁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି।

ଶ୍ରଦ୍ଧାଳୁମାନେ ଦେବୀ ଦର୍ଶନ ସମୟରେ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ବ୍ୟବହାର ଓ ସାନିଟାଇଜରରେ ହାତ ଧୋଇବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ସେହିପରି ଗର୍ଭବତୀ ମହିଳା, ୧୦ ବର୍ଷ ବୟସରୁ କମ୍ ବୟସର ଶିଶୁ ଓ ୬୫ ବର୍ଷ ବୟସରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକମାନଙ୍କୁ ଗହଳିରୁ ଦୂରେଇ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପରାମର୍ଶ ଦେଇଛି। ଏହି ନିଷ୍ପତ୍ତି ଆସିବା ପରେ ଦୀର୍ଘ ଦିନରୁ ମା’ ମଙ୍ଗଳାଙ୍କ ଦର୍ଶନରୁ ବଞ୍ଚିତ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଏବେ ଉତ୍ସାହ ଦେଖାଦେଇଛି।

Comment