ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ୨୨ରେ ଖେଳାଯିବାକୁ ଥିବା ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ପାଇଁ ମଙ୍ଗଳବାର କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ବାରବାଟୀ ଷ୍ଟାଡିୟମ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଓଡ଼ିଶା କ୍ରିକେଟ ଆସୋସିଏସନ୍(ଓସିଏ) କାର୍ଯ୍ୟକର୍ତ୍ତାଙ୍କ ଉପସ୍ଥିତିରେ ମନ୍ତ୍ରୀ ଷ୍ଟାଡିୟମରେ ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ।

ଏହି ଅବସରରେ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, “ଓସିଏ ପୂର୍ବରୁ ବହୁ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଆୟୋଜନ କରିଛି। ତେଣୁ କାର୍ଯ୍ୟକର୍ତ୍ତାଙ୍କ ଅଭିଜ୍ଞତା ରହିଛି। ଫନି ପରେ ଷ୍ଟାଡିୟମ୍ ବ୍ୟବସ୍ଥା ବେହାଲ୍ ହୋଇ ପଡିଥିଲା। ଯାହା ହେଉ ବିସିସିଆଇ ସହଯୋଗରେ ଓସିଏ ଖୁବ୍ ଶୀଘ୍ର ଷ୍ଟାଡିୟମ୍ ପୁନଃରଦ୍ଧାର କାମ ଶେଷ କରିପାରିଛି। ତେଣୁ ଆମ ତରଫରୁ ଯାହା ସହଯୋଗ ହେବ ଆମେ କରିବୁ। ରାଜ୍ୟ ସରକାରଙ୍କ ତରଫରୁ ସୁରକ୍ଷା ବନ୍ଦୋବସ୍ତ କରାଯାଇଛି। ତେଣୁ ଖେଳାଳିମାନେ କିଭଳି ସୁରକ୍ଷିତ ଆସି ଖେଳି ଫେରିବେ ସେ ଦିଗରେ ପ୍ରାଥମିକତା ଦିଆଯାଉଛି।“

ଷ୍ଟାଡିୟମ୍ ସୁରକ୍ଷା ବ୍ୟବସ୍ଥାକୁ ନେଇ କମିସନରଙ୍କ ବୈଠକ

ମ୍ୟାଚକୁ ଆଉ ୪ ଦିନ ବାକି ଥିବା ବେଳେ ଆଉ ଦୁଇ ଦିନ ପରେ ପୋଲିସ୍ ଅଧିନକୁ ଯିବ ଷ୍ଟାଡିୟମ୍। ତେବେ ଏହା ପୂର୍ବରୁ ଆଜି ପୋଲିସ୍ କମିସନର ସୁଧାଂଶୁ ଷଡଙ୍ଗୀ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ କରିଛନ୍ତି। ମ୍ୟାଚ ସମୟରେ ଏସିପି, ଏଡିସିପି, କମାଣ୍ଡାଣ୍ଟ ରାଙ୍କ ଅଫିସର ସୁରକ୍ଷା ଦାୟିତ୍ଵ ନେବେ। ତେଣୁ ସେମାନେ କେଉଁଠି ଡ୍ୟୁଟି କରିବେ, କେଉଁ ପଟରେ ଗେଟ୍ ରହିବ, ଦର୍ଶକ କିଭଳି ଶୃଙ୍ଖଳିତ ଢଙ୍ଗରେ ଷ୍ଟାଡିୟମ୍‌କୁ ପ୍ରବେଶ କରିବେ, ଭିଡ଼ ଅଧିକ ହେଲେ ଦର୍ଶକଙ୍କୁ କିଭଳି ଉପାୟରେ ବାହାର କରାଯାଇପାରିବ ସେ ନେଇ କମିସନର ଅନ୍ୟ ପୋଲିସ୍ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ଏହାସହିତ ଷ୍ଟାଡିୟମ୍ ସ୍ଥିତି ବୁଲି ମଧ୍ୟ ଦେଖିଥିଲେ।

ସରିଲା ଅନୁବନ୍ଧିତ ୟୁନିଟ୍‌କୁ ଟିକେଟ ବିକ୍ରି

ଦୁଇ ଦିନ ଧରି ଚାଲିଥିବା ଓସିଏ ଅନୁବନ୍ଧିତମାନଙ୍କୁ ଟିକେଟ ବିକ୍ରି ଶେଷ ହୋଇଛି। ପ୍ରତ୍ୟେକ ୟୁନିଟ୍ ଟିକଟ ନେଇଛନ୍ତି। ମୋଟ୍ ୮ହଜାର ୯୪୬ଟି ଟିକେଟ ଉପଲବ୍ଧ ରହିଥିଲା। ତେବେ ଏନେଇ ଅନୁବନ୍ଧିତ ୟୁନିଟ୍‌ମାନେ ପୂର୍ବରୁ ଡ୍ରାଫ୍ଟ ମାଧ୍ୟମରେ ଅର୍ଥ ଦାଖଲ କରିଥିଲେ। ଦୁଇ ଦିନ ଧରି ବାରବାଟୀ ଷ୍ଟାଡିୟମ୍‌ ସମ୍ମିଳନୀ କକ୍ଷରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍ ଅଫିସିଆଲ୍ସ ଉପସ୍ଥିତ ରହି ଟିକେଟ୍ ବିକ୍ରି କରିବା ପରେ ମଙ୍ଗଳବାର ପ୍ରକ୍ରିୟା ଶେଷ ହୋଇଛି। ୧୯ ତାରିଖଠାରୁ କାଉଣ୍ଟର ଟିକେଟ ଆରମ୍ଭ ହେବ। ଏନେଇ ୧୨ଟି କାଉଣ୍ଟର ବ୍ୟବସ୍ଥା କରାଯାଇଛି।

Comment