ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ର ଆରମ୍ଭରୁ ସମ୍ଵଲପୁରୀ ଅଭିନେତ୍ରୀ ସିମରନ ସିଂଙ୍କ ରହସ୍ୟଜନକ ମୃତ୍ୟୁ ଏବେବି ରହିଛି ରହସ୍ୟରେ ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

(ଭୁବନେଶ୍ଵରରୁ ରାଜେଶ କୁମାର ସେଠୀ): କିଛିଦିନ ପରେ ସରିଯିବ ୨୦୧୯। ଆରମ୍ଭ ହେବ ନୂଆ ବର୍ଷ। ଏହା ପୂର୍ବରୁ ଆସନ୍ତୁ ନଜର ପକାଇବା ୨୦୧୯ରେ ଘଟିଥିବା ଚର୍ଚ୍ଚିତ ଅପରାଧ ଉପରେ। ୨୦୧୯ ବର୍ଷ ଆରମ୍ଭରୁ ହିଁ ଏକ ଅପରାଧ ସାମ୍ନାକୁ ଆସିଥିଲା, ଯାହାକି ସମ୍ଵଲପୁର ଅଞ୍ଚଳବାସୀଙ୍କୁ ବଡ଼ ଝଟକା ଦେଇଥିଲା। ସମ୍ଵଲପୁରୀ ଆଲବମ୍‌ ହିରୋଇନ ସିମରନ୍‌ ସିଂ ତଥା ଫ୍ୟାନମାନଙ୍କ ପାଖରେ ପରିଚିତ ଥିବା ସେଲଫି ବେବୋଙ୍କ ରହସ୍ୟଜନକ ମୃତ୍ୟୁ।

୨୦୧୯ ଜାନୁଆରି ୩ ତାରିଖ ସମ୍ଵଲପୁର ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ ସିମରନଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ତାଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଏଭଳି ରହସ୍ୟଜନକ ମୃତ୍ୟୁ ପୋଲିସ ଆଗରେ ବଡ଼ ଚ୍ୟାଲେଞ୍ଜ ଥିଲା। ଶେଷରେ ଏହି ହତ୍ୟାକାଣ୍ଡରେ ସିମରନ୍‌ଙ୍କ ବୟଫ୍ରେଣ୍ଡକୁ ଗିରଫ କରିଥିଲା ପୋଲିସ।

କେମିତି ଥିଲା ଘଟଣା?

ଜାନୁଆରି ୩ ତାରିଖ ସମ୍ଵଲପୁର ଗୋଇରାମଠ ପାଖ ମହାନଦୀ ପୋଲ ତଳୁ ଏକ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଏହାପରେ ଘଟଣାକୁ ନେଇ ଆରମ୍ଭ ହୋଇଥିଲା ଛାନଭିନ୍‌। ପରେ ଜଣାପଡ଼ିଥିଲା ଉଦ୍ଧାର ହୋଇଥିବା ମୃତଦେହ ସମ୍ଵଲପୁରୀ ଆଲବମ୍‌ ହିରୋଇନ ସିମରନ ସିଂଙ୍କର। କେସିଙ୍ଗାରୁ ନୂଆବର୍ଷ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା। ସିମରନଙ୍କ ମୁଣ୍ଡରୁ ପ୍ରବଳ ରକ୍ତ ବାହାରୁଥିବା ବେଳେ ତାଙ୍କ ଦେହ କ୍ଷତବିକ୍ଷତ ହୋଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା ଏହାକୁ ନେଇ ପୋଲିସ ହରଡଘଣାରେ ପଡ଼ି ଯାଇଥିଲା। କେହି ଏହାକୁ ହତ୍ୟା କହୁଥିବା ବେଳେ କେହି ଆତ୍ମହତ୍ୟା ବୋଲି କହୁଥିଲେ।

ମୃତ୍ୟୁ ପୂର୍ବରୁ କାହା ସହ ଫୋନରେ କଥା ହେଉଥିଲେ ସିମରନ?

ଏହି ଘଟଣାକୁ ନେଇ ବଢ଼ିଲା ସସପେନ୍ସ। ସେ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ କେହି ହତ୍ୟା କରିଛି ସେନେଇ ଚର୍ଚ୍ଚା ଲାଗି ରହିଲା। ଏ ଭିତରେ ପୋଲିସକୁ ମିଳିଛି ସିମରନଙ୍କର ଏକ ଭଏସ୍ ରେକର୍ଡ। ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସିମରନ ପ୍ରତାରଣା ପାଇଛନ୍ତି। ସେ ଜଣଙ୍କୁ ଇଙ୍ଗିତ କରି ଏସବୁ କହିଥିବା ସ୍ପଷ୍ଟ ଜଣାପଡୁଛି। ଭଏସ୍ ରେକର୍ଡରେ ସେ କହିଛନ୍ତି, “ତୁମେ ଭାବିବ ନାହିଁ କି ମୁଁ ଏସବୁ ନାଟକ କରୁଛି ବୋଲି। ମୁଁ ନାଟକ କରୁନି, ସତରେ ମୁଁ ବହୁତ ଭାଙ୍ଗି ପଡିଛି। ମୁଁ ଆଉ ନିଜକୁ ନିଜେ ସମ୍ଭାଳି ପାରୁନି। ତୁମେ ଯଦି ଥରେ କହିଦେଇଥାନ୍ତ ମୁଁ ସବୁକିଛି ଛାଡି ପଳାଇଯାଇଥାନ୍ତି। ତୁମ ନାଁ ତ ଯୁବ ନୁହେଁ, ହେଲେ ବି ମୁଁ ବିଶ୍ଵାସ କରି ମୋ ଦେହରେ ତୁମ ନାଁ ଯୁବ ଲେଖିଛି। କାହାକୁ କେମିତି ବିଶ୍ଵାସ କରାଯାଏ ସମସ୍ତେ ମୋଠୁ ଶିଖିବା ଦରକାର।“

ହତ୍ୟା ଅଭିଯୋଗ ଆଣିଲେ ପରିବାର

ସିମରନ୍‌ଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଥିଲା ସିମରନ୍‌ଙ୍କୁ ତା ପ୍ରେମିକ ଯୁଗ ସୁନା ଓ ତା ପରିବାର ଲୋକ ହତ୍ୟା କରିଥିବା ଅଭିଯୋଗ କରିଥିଲେ ସିମରନଙ୍କ ବାପା ମା। ଝିଅର ଏଭଳି ମୃତ୍ୟୁକୁ ବିଶ୍ଵାସ କରିପାରୁନଥିଲେ ପରିବାର। ତାଙ୍କ ଝିଅ କେବେ ଆତ୍ମହତ୍ୟା କରିପାରିବନି ବୋଲି ସେମାନେ ପୋଲିସକୁ କହିଥିଲେ। ତାଙ୍କ ଝିଅକୁ ତା ବୟଫ୍ରେଣ୍ଡ ଯୁଗ ସୁନା ହତ୍ୟା କରିଛି ବୋଲି ସିମରନଙ୍କ ବାପା କହିଥିଲେ।

ପୋଲିସ ଟାର୍ଗେଟରେ ବୟଫ୍ରେଣ୍ଡ

ପୋଲିସର ପ୍ରଥମ ଟାର୍ଗେଟକୁ ଆସିଥିଲା ସିମରନଙ୍କ ବୟଫ୍ରେଣ୍ଡ। ଟିଟଲାଗଡ଼ର ଜଣେ ମେଲୋଡି ମାଲିକ ଯୁଗ ସୁନାଙ୍କ ସହ ସିମରନଙ୍କ ପ୍ରେମ ସମ୍ପର୍କ ଥିଲା। ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ସଂପୃକ୍ତ ମେଲୋଡି ମାଲିକଙ୍କ ସହ ମଧ୍ୟ ସିମରନ କିଛି ଆଲବମରେ ଅଭିନୟ କରିଛନ୍ତି। ମୃତ୍ୟୁ ପୂର୍ବରୁ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ସୃଷ୍ଟି ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଯୁଗ ସୁନାଙ୍କୁ ଅଟକ ରଖିଥିଲା। ପରେ ଏହି ହତ୍ୟା ଅଭିଯୋଗରେ ଯୁଗ ସୁନାଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ହତ୍ୟାକାଣ୍ଡର ରହସ୍ୟ ଏଯାଏଁ ସାମ୍ନାକୁ ଆସି ପାରିନଥିଲା। ପରେ ପୋଲିସ ପୁଣି ଅଭିଯୁକ୍ତ ବୟଫ୍ରେଣ୍ଡକୁ ରିମାଣ୍ଡରେ ଆଣି ପଚରା ଉଚରା କରିଥିଲେ। ହେଲେ ତଥାପି ପୋଲିସର ହାତ ଖାଲି ହୋଇଥିଲା। ପୋଲିସ ଜାଣିବାକୁ ଚାହୁଁଥିଲା। ଯୁଗଙ୍କ ସହ ଏହି ହତ୍ୟାକାଣ୍ଡରେ ଆଉ କିଏ ସାମିଲ ଥିଲେ?

ଫେବ୍ରୁଆରୀରେ ହୋଇଥିଲା ସିବିଆଇ ତଦନ୍ତ ଦାବି

ପରେ ଫେବ୍ରୁଆରିରେ ଏହ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଥିଲେ ସିମରନଙ୍କ ପରିବାର ଲୋକେ। ସିମରନଙ୍କ ପିତାମାତା ଝିଅ ମୃତ୍ୟୁର ସିବିଆଇ ତଦନ୍ତ ଦାବି କରି ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ଅଫିସ ସାମନାରେ ଧାରଣାରେ ଦେଇଥିଲେ। କାରଣ ଏଯାଏଁ ମଧ୍ୟ ପୋଲିସ ହାତରେ କୌଣସି ସୁରାକ ଲାଗି ନଥିଲା। ମୁଖ୍ୟ ଅଭିଯୁକ୍ତ ଭାବେ ଯୁଗ ସୁନାଙ୍କୁ ଗିରଫ କରାଯାଇଥିଲେ ମଧ୍ୟ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟଠୁ ପୋଲିସ ଆଜି ଯାଏଁ ଦୂରରେ ରହିଛି।

 କିଏ ସିମରନ୍‌ ସିଂ?

ସିମରନଙ୍କ ବୟସ ୧୬ ବର୍ଷ ଥିଲା। ୨୦୧୮ରେ ସେ ମାଟ୍ରିକ ପାସ କରିଥିଲେ। ତାଙ୍କ ବାପା ଝାଡଖଣ୍ଡରେ ରହନ୍ତି। ମା ଓ ଅଷ୍ଟମ ଶ୍ରେଣୀରେ ପଢୁଥିବା ଭାଇ ଭୁଲିଆଟିକ୍ରାରେ ରହନ୍ତି। ସିମରନ୍‌ ସମ୍ଵଲପୁରର ବିଭିନ୍ନ ଗୀତରେ ଆଲବମ୍‌ କରନ୍ତି। ଅନେକ ସମ୍ବଲପୁରୀ ଗୀତରେ ଅଭିନୟ କରି ଦର୍ଶକଙ୍କ ମନ ଜିତି ପାରିଥିଲେ। ସେଲଫି ବେବୋ ତାଙ୍କର ସବୁଠୁ ଲୋକପ୍ରିୟ ଆଲବମ୍‌ ଥିଲା। ଟିଟଲାଗଡର ଜଣେ ମେଲୋଡି ମାଲିକ ଯୁଗ ସୁନାଙ୍କ ସହ ସିମରନଙ୍କ ପ୍ରେମ ସମ୍ପର୍କ ଥିଲା। ସେମାନେ ପ୍ରେମ ବିବାହ ମଧ୍ୟ କରିଥିଲେ। ମେଲୋଡି ମାଲିକଙ୍କ ସହ ମଧ୍ୟ ସିମରନ କିଛି ଆଲବମରେ ଅଭିନୟ କରିଛନ୍ତି, ଯାହାକୁ ବର୍ତ୍ତମାନ ସିମରନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଛି।

ଏହି ହତ୍ୟାକାଣ୍ଡରେ ପୋଲିସ ଅଭିଯୁକ୍ତ ବୟଫ୍ରେଣ୍ଡ ଯୁଗ ସୁନାଙ୍କୁ ଗିରଫ କରିଥିଲେ ମଧ୍ୟ ଘଟଣା ଉପରୁ ପରଦା ହଟାଇ ପାରିନାହାନ୍ତି। ଆଜି ବି ଏହି ଘଟଣାର ସତ୍ୟତା ସାମ୍ନାକୁ ଆସି ପରିନାହିଁ। କେମିତି ସିମରନ୍‌ ବ୍ରିଜ ଉପରୁ ତଳକୁ ଖସିଲେ? ତାଙ୍କୁ କିଏ ହତ୍ୟା କରିଛି ନା ସେ ଆତ୍ମହତ୍ୟା କରିଛନ୍ତି? ଏଭଳି ଅନେକ ପ୍ରଶ୍ନ ଏବେବି ଲୋକଙ୍କ ମନରେ ସୃଷ୍ଟି ହୋଇଛି।

Comment