ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁନିଆରେ ବର୍ତ୍ତମାନ ସ୍ମାର୍ଟଫୋନ୍‌ ଅପରେଟିଂ ସିଷ୍ଟମରେ ଆଣ୍ଡ୍ରଏଡ୍‌ର ଚାହିଦା ବେଶ୍‌ ଅଧିକ। ମାଇକ୍ରୋସଫ୍ଟ କିମ୍ବା ଆଇଓଏସ୍‌ ଅପରେଟିଂ ସିଷ୍ଟମ ତୁଳନାରେ ସବୁ ଶ୍ରେଣୀର ଲୋକେ ଆଣ୍ଡ୍ରଏଡ୍‌କୁ ଅଧିକ ପସନ୍ଦ କରୁଛନ୍ତି। ତେଣୁ ମାର୍କେଟ୍‌ ସେୟାରିଂରେ ଆଣ୍ଡ୍ରଏଡ୍‌ର ଏକଚାଟିଆ ବ୍ୟବସାୟ ଚାଲିଛି। ତେବେ ଏହାର ଅନ୍ତ ହେବାକୁ ଯାଉଛି କି?

ମୋବାଇଲ୍‌ ଅପରେଟିଂ ସିଷ୍ଟମ ଦୁନିଆରେ ପାଦ ରଖିବାକୁ ଯାଉଛି ସୋସିଆଲ ମିଡିଆ ସାଇଟ୍‌ ଫେସ୍‌ବୁକ୍‌। ରିପୋର୍ଟ ଅନୁଯାୟୀ, ମାଇକ୍ରୋସଫ୍ଟର ମାର୍କ ଲୁକୋବ୍‌ସକିଙ୍କ ସହ ମିଶି ଫେସ୍‌ବୁକ୍‌ ଏକ ନୂଆ ଅପରେଟିଂ ସିଷ୍ଟମ ନିର୍ମାଣ କରିବାକୁ ଯାଉଥିବା ଶୁଣିବାକୁ ମିଳିଛି। ସୂଚନାଯୋଗ୍ୟ, Windows NT ଅପରେଟିଂ ସିଷ୍ଟମ ନିର୍ମାଣ କରିବାରେ ମାର୍କ ଲୁକୋବ୍‌ସକି ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

ନିକଟରେ ଫେସ୍‌ବୁକ୍‌ର ଜଣେ ଅଧିକାରୀ କହିଥିଲେ କି, ଫେସ୍‌ବୁକ୍‌ର ଭବିଷ୍ୟତ ହାର୍ଡୱେର ପାଇଁ ଗୁଗୁଲର ସଫ୍ଟୱେର ଆଗକୁ ଦରକାର ପଡ଼ିନପାରେ। ଆଗକୁ ଫେସ୍‌ବୁକ୍‌ ଗୁଗୁଲର ସହାୟତା ନେବା କମ୍‌ କିମ୍ବା ପୂରାପୂରି ବନ୍ଦ କରିଦେଇପାରେ। ଏହି କଥା ଫେସ୍‌ବୁକ୍‌ର ନୂଆ ଅପରେଟିଂ ସିଷ୍ଟମ ନିର୍ମାଣ କରୁଥିବା ଚର୍ଚ୍ଚାକୁ ଜୋର ଦେଉଛି।

ଏହା ପୂର୍ବରୁ ମଧ୍ୟ ଫେସ୍‌ବୁକ୍‌ ମୋବାଇଲ ଅପରେଟିଂ ସିଷ୍ଟମ ନିର୍ମାଣ କରିଛି। ୨୦୧୩ ମସିହାରେ ଗୁଗଲ ସହ ମିଶି ଫେସ୍‌ବୁକ୍‌ ଏକ ଅପରେଟିଂ ସିଷ୍ଟମ ନିର୍ମାଣ କରିଥିଲା। HTCର ଏକ ସ୍ମାର୍ଟଫୋନ୍‌ରେ ଏହି ଅପରେଟିଂ ସିଷ୍ଟମକୁ ବଜାରକୁ ଛଡ଼ାଯାଇଥିଲା। ହେଲେ ଗ୍ରାହକ ଏହାକୁ ପସନ୍ଦ କରିନଥିଲେ।

ପ୍ରାଇଭେସିକୁ ନେଇ ଫେସ୍‌ବୁକ୍‌ର ପୂର୍ବରୁ ସମସ୍ୟା ଥିବାରୁ ଗ୍ରାହକ ଏହାର ଅପରେଟିଂ ସିଷ୍ଟମକୁ ମଧ୍ୟ ବ୍ୟବହାର କରିବା ପାଇଁ ଚାହୁଁନାହାନ୍ତି। ଏବେ ଦେଖିବାକୁ ବାକି ରହିଲା, ଫେସ୍‌ବୁକ୍‌ ଯେଉଁ ଅପରେଟିଂ ସିଷ୍ଟମ ନିର୍ମାଣ କରିବାକୁ ଯାଉଛି, ଏହା ଗୁଗୁଲର ଆଣ୍ଡ୍ରଏଡ୍‌କୁ କେତେ ଟକ୍କର ଦେଉଛି।

Comment