ଓଡ଼ିଶାଲାଇଭ୍ ବ୍ୟୁରୋ

ମୋବାଇଲ ଅପରେଟିଂ ସିଷ୍ଟମ୍ କଥା ଆସିଲେ ସାମ୍ନାକୁ ଆସେ କେବେଳ ଦୁଇଟି ନାଁ। ଗୋଟିଏ ହେଲା ଗୁଗଲ୍‌ ଆଣ୍ଡ୍ରଏଡ୍ ଓ ଅନ୍ୟଟି ହେଲା ଆପଲ ଆଇଓଏସ୍। ଏବେ ଭାରତରେ ବିକଶିତ ହୋଇଛି ଦେଶୀୟ ସ୍ମାର୍ଟଫୋନ୍ ଅପରେଟିଂ ସିଷ୍ଟମ୍ ‘ଭାରୋସ୍’। ଆଇଆଇଟି ମାଡ୍ରାସ ଦ୍ଵାରା ଏହି ଅପରେଟିଂ ସିଷ୍ଟମ୍ ବିକଶିତ କରାଯାଇଛି। ଆଣ୍ଡ୍ରଏଡ୍ ଓପନ୍ ସୋର୍ସ ପ୍ରୋଜେକ୍ଟକୁ ଆଧାର କରି ଏହି ‘ଭାରୋସ୍’ ଅପରେଟିଂ ସିଷ୍ଟମର ବିକାଶ କରାଯାଇଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର ପ୍ରଧାନ ଏହାର ପରୀକ୍ଷଣ କରିଛନ୍ତି।

ସ୍ମାର୍ଟଫୋନ୍ ପାଇଁ ଏକ ଦେଶୀୟ ଅପରେଟିଂ ସିଷ୍ଟମର ବିକାଶ ଲାଗି ଆଇଆଇଟି ମାଡ୍ରାସ ଅନେକ ଦିନ ଧରି ପ୍ରୟାସ ଜାରି ରଖିଥିଲା। କେନ୍ଦ୍ର ଆଇଟି ମନ୍ତ୍ରାଳୟ ମଧ୍ୟ ଏହାର ବିକାଶ ପାଇଁ ଅନୁଦାନ ଯୋଗାଇଛି। ଏବେ ଏହି ସିଷ୍ଟମ ପରମ୍ଭିକ ଟେଷ୍ଟିଂ ଫେଜରେ ଅଛି। ଆଗକୁ ଦେଶରେ ତିଆରି ହେଉଥିବା ମୋବାଇଲ ଗୁଡିକରେ ଏହାର ବ୍ୟବହାର କରାଯାଇପାରିବ।

ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଡିଭାଇସ ଭଲ ହୋଇଥିଲେ ମଧ୍ୟ ଏହାର ମୁଖ୍ୟ କମ୍ପାନିଗୁଡ଼ିକର ଏକଚାଟିଆ ବ୍ୟବହାର ହେତୁ ସରକାର ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯାହା ମଧ୍ୟରୁ ଡାଟା ଗୋପନୀୟତା ସମସ୍ୟା ଏକ ମୁଖ୍ୟ ଚିନ୍ତା। ଏବେ ଭାରତକୁ ଡାଟା ସୁରକ୍ଷା ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ରହିବାକୁ ପଡୁଛି। ଏହି ସବୁ ସମସ୍ୟାର ଦୂରୀକରଣ ଲାଗି ଅପରେଟିଂ ସିଷ୍ଟମ ‘ଭାରୋସ୍’ର ବିକାଶ କରାଯାଇଛି।

“ଭାରତରେ ବିକଶିତ ଏହି ଅପରେଟିଂ ସିଷ୍ଟମ୍ ଦେଶର ଡିଜିଟାଲ ଭିତ୍ତିଭୂମିକୁ ବହୁଳ ଭାବେ ସହାୟତା କରିବ। ଏହାଦ୍ଵାରା ବ୍ୟବହୃତ ଡାଟାର ସୁରକ୍ଷା ଭାରତ ହାତରେ ରହିବ। ଡାଟା ସୁରକ୍ଷା ପାଇଁ ଆମକୁ ଆଉ ଅନ୍ୟ ଦେଶ ଉପରେ ନିର୍ଭର ରହିବାକୁ ପଡ଼ିବନି”, କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

“ଭାରୋସ୍ ଅପରେଟିଂ ସିଷ୍ଟମ ଏବେ ନୂଆ କରି ଆସିଛି ଏବଂ ଆମ ଦେଶରେ ପ୍ରଥମକରି ଏଭଳି ଏକ ଅପରେଟିଂ ସିଷ୍ଟମର ବିକାଶ କରାଯାଇଛି। ତେବେ ଏହି ସିଷ୍ଟମକୁ ସମ୍ପୂର୍ଣ୍ଣ ବଜାରକୁ ଆଣିବାରେ ଆମକୁ କିଛି ବଧାର ସମ୍ମୁଖୀନ ହେବାକୁ ପଡ଼ିବ କିନ୍ତୁ ଆମେ ଏଥିରେ ସଫଳ ହେବୁ”, କହିଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ।

ଆଣ୍ଡ୍ରଏଡଠାରୁ ‘ଭାରୋସ୍’ କିପରି  ଭିନ୍ନ ?

ଆଣ୍ଡ୍ରଏଡ୍ ସେବା ଆରମ୍ଭ ହେବା ପରଠାରୁ ଗୁଗୁଲ ସ୍ମାର୍ଟଫୋନ୍ ଅପରେଟିଂ ସିଷ୍ଟମ ଦୁନିଆରେ ଆଣ୍ଡ୍ରଏଡ୍ ପାର୍ଶ୍ୱରେ ନିଜର ସେବା ଏବଂ ଆପ୍ସ ଗୁଡ଼ିକୁ ପ୍ରି-ଲୋଡ୍ କରି ପ୍ରାଧାନ୍ୟ ବିସ୍ତାର କରିଛି। ‘ଭାରୋସ୍’ ଆଣ୍ଡ୍ରଏଡ୍ ଓପନ୍ ସୋର୍ସ ପ୍ରୋଜେକ୍ଟ ଉପରେ ଆଧାରିତ। ଏହା ଗୁଗୁଲର ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମଠାରୁ ସମ୍ପୂର୍ଣ୍ଣ ଭିନ୍ନ ନୁହେଁ।

‘ଭାରୋସ୍’ ଏବଂ ଗୁଗୁଲ ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମ ମଧ୍ୟରେ ଏକ ପ୍ରମୁଖ ପାର୍ଥକ୍ୟ ହେଉଛି, ‘ଭାରୋସ୍’ ଅପରେଟିଂ ସିଷ୍ଟମରେ ଗୁଗୁଲ୍ ପ୍ଲେ ସର୍ଭିସ ସେବା ପ୍ରି-ଲୋଡ୍ ଆକାରରେ ମିଳିବ ନାହିଁ। ଗ୍ରାହକ ନିଜର ଆଗ୍ରହ ଓ ପସନ୍ଦର ଆପ୍ ଯେଉଁଠାରୁ ଚାହିଁବେ ଲୋଡ୍ କରିପାରିବେ।

Tags: #SmartphoneOperatingSystem #BharOS #IITMadras #Android #IOS #India #ITMinistry

Comment