ଓଡ଼ିଶାଲାଇଭ୍ ବ୍ୟୁରୋ

ହାଇଦ୍ରାବାଦ୍ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିବା ୪ ଅଭିଯୁକ୍ତଙ୍କ ମରଶରୀରକୁ ପୁଣିଥରେ ପୋଷ୍ଟମୋର୍ଟମ କରାଯିବ। ଶନିବାର ଏନେଇ ତେଲେଙ୍ଗାନା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜାତୀୟ ମାନବାଧିକାର ଆୟୋଗର ସାତ ଜଣିଆ ଟିମ୍ ଏହି ଏନକାଉଣ୍ଟର ସ୍ଥଳକୁ ଯାଇଥିଲା। ସେଠାରେ ଆୟୋଗ ଦ୍ୱାରା ବିଭିନ୍ନ ଅଞ୍ଚଳର ଯାଞ୍ଚ କରାଯାଇଥିଲା। ଏହାପରେ ଆୟୋଗ ହାଇକୋର୍ଟକୁ ନିଜର ରିପୋର୍ଟ ପ୍ରଦାନ କରିଛି। ବର୍ତ୍ତମାନ ସମସ୍ତ ଅଭିଯୁକ୍ତମାନଙ୍କ ମରଶରୀରକୁ ଗାନ୍ଧୀ ହସ୍ପିଟାଲରେ ରଖାଯାଇଛି। ସେଠାରେ ଅଭିଯୁକ୍ତମାନଙ୍କ ମରଶରୀରକୁ ପୁଣିଥରେ ପୋଷ୍ଟମୋର୍ଟମ କରାଯିବ ବୋଲି କୁହାଯାଇଛି।ହାଇଦ୍ରାବାଦରେ ଜଣେ ମହିଳା ଡାକ୍ତରଙ୍କୁ ଚାରିଜଣ ଅଭିଯୁକ୍ତ ଗଣଦୁଷ୍କର୍ମ କରିବା ପରେ କିରୋସିନ୍ ଢ଼ାଳି ହତ୍ୟା କରିଥିଲେ। ପୋଲିସ୍ ଏହି ଘଟଣାରେ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। କିନ୍ତୁ ଏହି ଘଟଣାକୁ ନଅ ଦିନ ନପୂରୁଣୁ ପୋଲିସ୍ ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ ଅଭିଯୁକ୍ତମାନେ। ପୋଲିସ୍ ସେମାନଙ୍କୁ ଡେମୋ କରିବା ପାଇଁ ଘଟଣା ସ୍ଥଳକୁ ନେବା ସମୟରେ ସେ ଖସି ପଳାଇବାକୁ ଚେଷ୍ଟା କରିବାରୁ ପୋଲିସ୍ ତାଙ୍କୁ ଏନକାଉଣ୍ଟର କରିଥିଲା ବୋଲି କହିଥିଲା।

Comment