ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ହାଇଦ୍ରାବାଦ ପୋଲିସ ଏନ୍‌କାଉଣ୍ଟରକୁ ବିତିଲାଣି ୩୬ ଘଣ୍ଟା। ସରକାର ପୋଲିସକୁ ନା ପ୍ରଶଂସା କରୁଛନ୍ତି ନା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି?

ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରିଥିବାରୁ ସବୁଠି ହାଇଦ୍ରାବାଦ ପୋଲିସର ଜୟ ଜୟକାର ଶୁଭୁଛି। କେଉଁଠି ପୋଲିସ ଉପରେ ଫୁଲ ବର୍ଷା ହେଉଛି ତ ଆଉ କେଉଁଠି ବାଣ ଫୁଟାଇ ଉତ୍ସବ ମନାଯାଉଛି। ଯେଉଁ ଲୋକମାନେ ଦିନେ ପୋଲିସକୁ ଗାଳି କରୁଥିଲେ ଏବେ ସେମାନେ ପ୍ରଶଂସା କରୁଛନ୍ତି। ହେଲେ ଏସବୁ ଭିତରେ ତେଲେଙ୍ଗାନା ସରକାର କାହିଁକି ଚୁପ୍‌ ବୋଲି ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି।

ଯଦି ପୋଲିସ ଦୁଷ୍କର୍ମକାରୀଙ୍କ ଏନ୍‌କାଉଣ୍ଟର କରି ଭଲ କାମ କରିଛି ତାହା ତେଲେଙ୍ଗା ସରକାର ତାଙ୍କୁ ସାବାସୀ ଦେବା କଥା। ଯଦି ଭଲ କାମ ନୁହେଁ ତାହାଲେ ସରକାର କାର୍ଯ୍ୟାନୁଷ୍ଠାନ ନେବା କଥା। ହେଲେ ଏନ୍‌କାଉଣ୍ଟର ଘଟଣାକୁ ୩୬ ଘଣ୍ଟା ବିତି ଯାଇଥିଲେ ମଧ୍ୟ ସରକାର ପୋଲିସକୁ ନା ପ୍ରଶଂସା କରିଛନ୍ତି ନା କୌଣସି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି? ସରକାରଙ୍କ ନୀରବତା ଅନେକ କିଛି ସଙ୍କେତ ଦେଉଛି।

ତେଲେଙ୍ଗାନାରେ ବର୍ତ୍ତମାନ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌)ର ସରକାର ଚାଲିଛି। କେ ଚନ୍ଦ୍ରଶେଖର ରାଓ ମୁଖ୍ୟମନ୍ତ୍ରୀ ଥିବା ବେଳେ ମହମୁଦ ଅଲ୍ଲୀ ଗୃହମନ୍ତ୍ରୀ ଅଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରର କେହି ବି ଏନ୍‌କାଉଣ୍ଟର ପ୍ରସଙ୍ଗରେ ମୁହଁ ନଖୋଲିବା ଘଟଣାକୁ ଭିନ୍ନ ମୋଡ଼ ଦେଇଛି। ଏପରିକି ତେଲେଙ୍ଗାନା ପୋଲିସ ଡିଜି ମଧ୍ୟ କୌଣସି ପ୍ରତିକ୍ରିୟା ନରଖିବାକୁ ନେଇ ରାଜନୀତି ସରଗରମ ହୋଇଛି।

ହାଇଦ୍ରାବାଦ ପୋଲିସର ଏନ୍‌କାଉଣ୍ଟରକୁ ନେଇ ଦୁଇଟି ଘଟଣା ସାମ୍ନାକୁ ଆସିଛି। ଏନ୍‌କାଉଣ୍ଟର ପରେ କିଛି ଲୋକ ପୋଲିସକୁ ପ୍ରଶଂସା କରିଥିବା ବେଳେ ଆଉ କିଛି ଲୋକ ପ୍ରଶ୍ନ ଉଠାଇଛନ୍ତି। ବୋଧହୁଏ ଏହାକୁ ନେଇ ତେଲେଙ୍ଗାନା ସରକାର ଅଡୁଆରେ ପଡ଼ି ଯାଇଛନ୍ତି।

ଯଦି ତେଲେଙ୍ଗାନା ସରକାର ପୋଲିସର ଏହି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ତାହାଲେ ପ୍ରଶ୍ନ ଉଠାଉଥିବା ଲୋକଙ୍କ ଆକ୍ରୋଶର ଶୀକାର ହୋଇ ପାରନ୍ତି। ଯଦି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହାଲେ ସରକାରଙ୍କ ବିରୋଧରେ ସାଧାରଣ ଜନତା ରାଜରାସ୍ତାକୁ ଓହ୍ଲାଇବାର ବହୁତ ସମ୍ଭାବନା ରହୁଛି। ଏଣୁ ତେଲେଙ୍ଗାନା ସରକାର ଏବେ ଜାଣିଶୁଣି ନୀରବ ରହୁଥିବା କୁହାଯାଉଛି। ଏଭଳି ସ୍ଥିତିରେ କ’ଣ କରିବେ ଏବଂ କ’ଣ ନକରିବେ ତାକୁ ନେଇ କେବଳ ପରିସ୍ଥିତି ଉପରେ ନଜର ରଖିଛନ୍ତି।

ହାଇଦ୍ରାବାଦରେ ଯେଉଁ ଘଟଣା ଘଟିଲା ତାହା ପୋଲିସ ପ୍ରଶାସନ ଇତିହାସରେ ବୋଧହଚୁଏ ପ୍ରଥମ ଘଟଣା। ଦୁଷ୍କର୍ମକାରୀଙ୍କୁ ଏନ୍‌କାଉଣ୍ଟର କରି ସଫା କରିଦେବା ଭଳି ଘଟଣା ଅନ୍ୟ କେଉଁଠି ଦେଖିବାକୁ ମିଳି ନଥିଲା। ହେଲେ ଗଣଦୁଷ୍କର୍ମର ମାତ୍ର ୧୦ ଦିନରେ ମାମଲା ପୂରା ରଫାଦଫା ହୋଇଯାଇଛି।

ଏନ୍‌କାଉଣ୍ଟରରେ ୪ ଅଭିଯୁକ୍ତ ପ୍ରାଣ ହରାଇବା ପରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା। ଯିଏ ଯେଉଁଠି ଥିଲେ ସମସ୍ତେ ପୋଲିସର କାରନାମାକୁ ପ୍ରଶାଂସା କଲେ। ହାଇଦ୍ରାବାଦ ପୋଲିସ କମିସନର ହିରୋ ପାଲଟିଗଲେ। ଅପରାହ୍ଣରେ କମିସନର ସାମ୍ବାଦିକ ସମ୍ମିଳନୀ କରି ଏନ୍‌କାଉଣ୍ଟରର ପୂରା କାହାଣୀ ବର୍ଣ୍ଣନା କରିଥିଲେ। ଆତ୍ମରକ୍ଷା ପାଇଁ ପୋଲିସ ଏହି ଚରମ ପଦକ୍ଷେପ ନେଲା ବୋଲି କମିସନର କହିଥିଲେ।

କମିସନରଙ୍କ ଏହି ମନ୍ତବ୍ୟ ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ଶୁକ୍ରବାର ସନ୍ଧ୍ୟାରେ ବହୁ ବୁଦ୍ଧିଜୀବୀ, ଆଇନଜୀବୀ ଏବଂ ମାନବାଧିକାର କର୍ମୀ ଏନ୍‌କାଉଣ୍ଟରକୁ ବିରୋଧ କରିଥିଲେ। ତେଲେଙ୍ଗାନା ହାଇକୋର୍ଟରେ ଏକ ପିଟିସନ ଦାଖଲ ହୋଇଥିଲା। ମୃତକଙ୍କ ଶବକୁ ସୋମବାର ଯାଏଁ ସୁରକ୍ଷିତ ରଖିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ସହ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିଥିଲେ ମୁମ୍ବାଇର ଦୁଇ ଜଣ ଆଇନଜୀବୀ। ଫଳରେ ହାଇଦ୍ରାବାଦ ଏନ୍‌କାଉଣ୍ଟରକୁ ନେଇ ସବୁଠି ପ୍ରଶ୍ନବାଚୀ ଉଠିଥିଲା।

ଯଦି ହାଇଦ୍ରାବାଦ ପୋଲିସର ଏନ୍‌କାଉଣ୍ଟର ଆଇନସିଦ୍ଧ ନୁହେଁ ତାହାଲେ ତେଲେଙ୍ଗାନା ସରକାର କାହିଁକି ଚୁପ୍‌ ରହିଛନ୍ତି? କ’ଣ ପାଇଁ କମିସନରଙ୍କୁ ଜବାବ ତଲବ କରି ନାହାନ୍ତି? ଯଦି ଏନ୍‌କାଉଣ୍ଟର କରି ପୋଲିସ ଆଇନସିଦ୍ଧ କାମ କରିଛି ତାହାଲେ ସରକାର ଅଥଚ ପ୍ରଶଂସା କରିବା କଥା। ସରକାର କିଛି ବି ପ୍ରତିକ୍ରିୟା ଦେଉ ନଥିବାରୁ ସରକାର ମଧ୍ୟ ସନ୍ଦେହ ପରିସରକୁ ଆସିଛନ୍ତି।

Comment