ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ରେ ଦେଶବାସୀଙ୍କୁ ସ୍ତବ୍ଧ କରିଥିଲା ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା, କେମିତି ଘଟିଥିଲା ପୂରା ଘଟଣା। ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

କିଛି ଘଣ୍ଟାରେ ୨୦୧୯କୁ ବିଦାୟ ଦେବେ ଦେଶବାସୀ। କାଲିର ସକାଳ ଏକ ନୂଆବର୍ଷ ନେଇ ଆସିବ। ନୂଆବର୍ଷକୁ ଯିବା ପୂର୍ବରୁ ୨୦୧୯ରେ ଘଟିଥିବା ସେହି ଚର୍ଚ୍ଚିତ ଘଟଣା ଉପରେ ନଜର ପକାଇବା, ଯାହାକି ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା। ଯେଉଁ ଘଟଣା ପାଇଁ ପୂରା ଦେଶବାସୀ ସ୍ଵର ଉଠାଇଥିଲେ। ମନେଥିବ ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା। ପରେ ଅଭିଯୁକ୍ତମାନଙ୍କୁ କିପରି ଏନକାଉଣ୍ଟର କରିଥିଲା ତେଲେଙ୍ଗାନା ପୋଲିସ।

ହାଇଦ୍ରାବାଦରେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ଅତି ନିର୍ମମ ଭାବେ ପୋଡ଼ି ହତ୍ୟା କରାଯାଇଥିଲା। ପରେ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ପୋଲିସ। ହେଲେ ହତ୍ୟାକାଣ୍ଡର ଡେମୋ ଦେଖାଇବା ପାଇଁ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳକୁ ନେଇକି ଯାଇଥିଲା ବେଳେ ପୋଲିସ ଉପରକୁ ସେମାନେ ଆକ୍ରମଣ କରିଥିଲେ ଫଳରେ ପୋଲିସ ଅଭିଯୁକ୍ତମାନଙ୍କୁ ଏନକାଉଣ୍ଟର କରି ଏହି ଚାପ୍ଟର କ୍ଲୋଜ କରିଦେଇଥିଲା।

ଜାଣନ୍ତୁ ପୂରା ଘଟଣା

ନଭେମ୍ଵର ୨୮ ତାରିଖ ଗୁରୁବାର ଦିନ ସନ୍ଧ୍ୟା ୫ଟା ୩୦ ମିନିଟରେ ପୀଡ଼ିତା ଜଣକ ଘରକୁ ଫେରିବା ପରେ ସ୍କିନ ଚିକିତ୍ସା ପାଇଁ ଗାଛିବୋଉଲି ବାହାରିଥିଲେ। ସେ ନିଜ ସ୍କୁଟିରେ ପ୍ରଥମେ ସମସାବାଦ ନିକଟ ତଣ୍ଡୁପଲ୍ଲୀ ଟୋଲଗେଟରେ ପହଞ୍ଚି ନିଜର ସ୍କୁଟିକୁ ସେଠାରେ ରଖି ଗୋଟିଏ ଟ୍ୟାକ୍ସି ଦ୍ୱାରା ଗାଛିବୋଉଲିରେ ଥିବା ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ହେଲେ ତାଙ୍କୁ ସେଠାରେ ନଜର ରଖିଥିଲେ ୪ ଜଣ ନରରୂପି ରାକ୍ଷସ।

ଟୋଲ ଗେଟ୍‌ ନିକଟରେ ହାଇଦ୍ରାବାଦ ଯାଉଥିବା ଗୋଟିଏ ଟ୍ରକ ସନ୍ଧ୍ୟା ୪ଟାରୁ ଅଟକିଥିଲା। ସେହି ଟ୍ରକରେ ଯାତ୍ରା କରୁଥିବା ୪ ଜଣ ବ୍ୟକ୍ତି ମହିଳା ଡାକ୍ତରଙ୍କ ସମସ୍ତ କାର୍ଯ୍ୟକଳାପକୁ ଦେଖୁଥିଲେ। ରାତି ୯ଟା ୫ ମିନିଟ ସମୟରେ ପୀଡ଼ିତା ଟୋଲ ଗେଟ ନିକଟରେ ପହଞ୍ଚିଥିଲେ ଏବଂ ନିଜ ଗାଡି ପଞ୍ଚର ହୋଇଥିବା ଦେଖିବାକୁ ପାଇଥିଲେ।

ସେହି ସମୟର ସୁଯୋଗ ନେଇ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ପାସା ପ୍ରଥମେ ମହିଳା ଡାକ୍ତରଙ୍କ ନିକଟକୁ ଯାଇ ସହାୟତାର ହାତ ବଢାଇଥିଲେ। କିନ୍ତୁ କିଛି ସମୟ ପରେ ଗେଟ ନିକଟକୁ ଆସି କୌଣସି ଦୋକାନ ଖୋଲା ନଥିବା କହିଥିଲେ ଏବଂ ଏଠାରୁ ମାତ୍ର କିଛି ଦୂରରେ ଗୋଟିଏ ଦୋକାନ ଥିବା କହି ତାଙ୍କୁ ସାଥିରେ ନେଇ ଯାଇଥିଲେ। ପୂର୍ବ ଯୋଜନା ଅନୁଯାୟୀ ଟୋଲ ଗେଟଠାରୁ ମାତ୍ର ୧୦ ମିଟର ଦୂରରେ ଅନ୍ୟ ୩ ଜଣ ଅଭିଯୁକ୍ତ ଅଟକିଥିଲେ ଏବଂ ସେମାନେ ଧର୍ଷଣ କରିବା ପରେ ଗଳା ଚିପି ମହିଳା ଡାକ୍ତରଙ୍କୁ ହତ୍ୟା କରିଥିଲେ।

ହତ୍ୟା ପରେ ଜାଳିଦେଲେ ପୀଡ଼ିତାଙ୍କ ମୃତଦେହକୁ

ହତ୍ୟା ପରେ ମୃତଦେହକୁ ଲୁଚାଇବାକୁ ଯୋଜନା କରିଥିଲେ ଅଭିଯୁକ୍ତମାନେ। ପ୍ରଥମେ ଅଭିଯୁକ୍ତମାନେ ପ୍ରିୟଙ୍କାର ଶବକୁ ନିକଟରେ ଥିବା ଗୋଟିଏ ଘରେ ଫୋପାଡ଼ି ଦେବା ପାଇଁ ଉଦ୍ୟମ କରିଥିଲେ ହେଲେ ଉକ୍ତ ଘରେ ରହୁଥିବା ଜଣେ ବ୍ୟକ୍ତି ଉଠି ପଡିବା ପରେ ସେମାନେ ଶବକୁ ନିଜ ଟ୍ରକ ଦ୍ଵାରା ସେଠାରୁ ୩୦ କିଲୋମିଟର ଦୂର ହାଇଦ୍ରାବାଦ-ବାଙ୍ଗାଲୋର ୪୪ ନମ୍ବର ଜାତୀୟ ରାଜପଥର ସ୍ୱାଦନଗର ନିକଟ ଚତନପାଲ୍ଲୀ ଓଭରବ୍ରିଜ ତଳେ ଡିଜେଲ ଢାଳି ନିଆଁ ଲଗାଇଦେଇଥିଲେ।

ଥାନରେ ଅଭିଯୋଗ କରିଥିଲେ ପରିବାର ଲୋକ

ଅନ୍ୟପକ୍ଷରେ ରାତି ୯ଟା ୨୨ ମିନିଟରେ ନିଜ ସାନ ଭଉଣୀ ସହ କଥା ହେବା ପରେ ପ୍ରିୟଙ୍କାଙ୍କ ଫୋନ୍‌ ୯ଟା ୪୪ ପରେ ବନ୍ଦ ଆସୁଥିବାରୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଥାନାକୁ ଯାଇଥିଲେ। ସେଠାରୁ ନିରାଶ ହେବା ପରେ ସମସାବାଦ ପୋଲିସ ନିକଟରେ ସକାଳ ୪ଟାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିଥିଲେ। ଶୁକ୍ରବାର ସକାଳ ୬ଟା ସମୟରେ ଗୋଟିଏ କ୍ଷୀର ବିକାଳୀ ଏସ.ଶ୍ୟାମ ବ୍ରିଜ ତଳେ ଗୋଟିଏ ଶବ ଜଳୁଥିବା ଦେଖି ପ୍ରଥମେ ଗ୍ରାମବାସୀଙ୍କୁ ଜଣାଇଥିଲେ। ଗ୍ରାମବାସୀ ତୁରନ୍ତ ପୋଲିସକୁ ଏନେଇ ସୂଚନ ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଆରମ୍ଭ କରିଥିଲେ।

ପୋଲିସ ଆରମ୍ଭ କରିଥିଲା ଛାନ୍‌ଭିନ୍‌

ଘଟଣାକୁ ନେଇ ପୋଲିସ ଆରମ୍ଭ କରିଥିଲା ଛାନ୍‌ଭିନ୍‌। ଗତ ୨ଦିନ ମଧ୍ୟରେ ସାରା ହାଇଦ୍ରାବାଦର ବିଭିନ୍ନ ଥାନାରେ ନିଖୋଜ ଘଟଣାର ଅଭିଯୋଗକାରୀଙ୍କୁ ଫୋନ ଦ୍ୱାରା ଘଟଣା ସମ୍ପର୍କରେ ଖବର ଦିଆଯିବ ପରେ ପୀଡ଼ିତା ପରିବାର ସକାଳ ୧୦ଟା ୩୦ ମିନିଟରେ ଘଟଣାସ୍ଥଳରେ ପହଞ୍ଚି ଶବରେ ଥିବା ଗଣେଶ ଲକେଟ ଦ୍ୱାରା ଶବ ତାଙ୍କ ଝିଅର ବୋଲି ଚିହ୍ନଟ କରିଥିଲେ। ପୋଲିସ ତୁରନ୍ତ ଗୋଟିଏ ୧୦ ଜଣିଆ ଟିମ୍‌ ଗଠନ କରି ଅନୁସନ୍ଧାନରେ ଲାଗିପଡ଼ିଲେ।

ଗିରଫ ହେଲେ ସମସ୍ତ ଅଭିଯୁକ୍ତ

ପ୍ରଥମେ ସିସିଟିଭିକୁ ଆଧାର କରି ବହୁ ସମୟ ଧରି ଟୋଲଗେଟ ନିକଟରେ ଅଟକିଥିବା ଟ୍ରକ ଉପରେ ନଜର ପକାଇଥିଲେ ଏବଂ ଗାଡି ମାଲିକ ଶ୍ରୀନିଭାସ ରେଡ୍ଡୀକୁ ଡାକି ପଚରାଉଚରା କରିଥିଲେ। ତାଙ୍କ ନିକଟରୁ ସମସ୍ତ ସୂଚନା ପାଇବାପରେ ଟ୍ରକ ଚାଳକ ମହମ୍ମଦ ପାଶା ନିକଟରେ ପହଞ୍ଚିଥିଲେ। ମୁଖ୍ୟ ଅଭିଯୁକ୍ତ ଆଧାରରେ ଅନ୍ୟ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୋଲିସ। ଅଭିଯୁକ୍ତମାନେ ହେଲେ ମହମ୍ମଦ ପାଶା, ଝୋଲୁ ଶିବା, ନବୀନ କୁମାର ଏବଂ ଚେନ୍ନାକେଶବୁଲୁ। ପ୍ରାରମ୍ଭିକ ଅନୁସନ୍ଧାନରୁ ସେମାନେ ଜାଣିଶୁଣି ବାଇକକୁ ପମ୍ପଚର କରିଥିଲେ ଏବଂ ପୂର୍ବରୁ ହିଁ ଏମାନେ ପ୍ରିୟଙ୍କାଙ୍କୁ ଦୁଷ୍କର୍ମ କରିବା ପାଇଁ ଯୋଜନା କରିଥିବା ପୋଲିସ ନିକଟରେ ପ୍ରକାଶ କରିଥିଲେ।

ଫିଲ୍ମ ଷ୍ଟାଇଲରେ ସମସ୍ତ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କଲା ପୋଲିସ

ମହିଳା ଡାକ୍ତରଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ତଦନ୍ତ କରିବା ପାଇଁ ପୋଲିସ ଛାନଭିନ୍‌ କରୁଥିଲା। ଏଥିପାଇଁ ପୋଲିସ ଡିସେମ୍ଵର ୫ ତାରିଖ ରାତି ୨ଟା ୩୦ରେ ଏହି ୪ ମୁଖ୍ୟ ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏପରିକି ମହମ୍ମଦ ପାଶା ପୋଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ଆକ୍ରମଣ କରିବାକୁ ପ୍ରୟାସ କରିଥିଲା ବୋଲି ପୋଲିସ କହିଥିଲା। ଫଳରେ ସେମାନଙ୍କୁ ପୋଲିସ ଏନକାଉଣ୍ଟର କରିଥିଲା। ଏନକାଉଣ୍ଟର ଭୋର ୩ଟା ୩୦ରୁ ୫ଟା ମଧ୍ୟରେ କରାଯାଇଥିବା ହାଇଦ୍ରାବାଦ ପୋଲିସ ସୂତ୍ରରୁ ସୂଚନା ମିଳିଛି।

ପୋଲିସଙ୍କୁ ମିଳିଲା ବାଃ ବାଃ

ଏନାକାଉଣ୍ଟର କରିବା ପାରେ ପୋଲିସ ନିକଟକୁ ଚାରିଆଡୁ ପ୍ରଂଶସାର ସୁଅ ଛୁଟି ଥିଲା।। ହାଇଦ୍ରାବାଦ ପୋଲିସ ଉପରେ ଲୋକେ ଫୁଲ ବର୍ଷା କରିଥିଲେ। ଶୁକ୍ରବାର ପୋଲିସ ଏନକାଉଣ୍ଟର ଖବର ଶୁଣିବା ପରେ ଘଟଣାସ୍ଥଳରେ ସାଧାରଣ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ହାଇଦ୍ରବାଦ ପୋଲିସ ଜିନ୍ଦାବାଦ୍ ନାରାରେ ଚାରିଆଡ଼ ପ୍ରକମ୍ପିତ ହେଉଥିଲା। ଅନ୍ୟପଟେ କେତେକ ପୋଲିସ ଅଫିସରଙ୍କୁ ଲୋକମାନେ କାନ୍ଧରେ ଧରି ଶୋଭାଯାତ୍ରାରେ ମଧ୍ୟ ନେଇଥିଲେ।

ଏନକାଉଣ୍ଟରକୁ କିଏ କଲା ପ୍ରଶଂସା ତ କିଏ କଲା ନାପସନ୍ଦ

ଏନକାଣ୍ଟର ପରେ ଦେଶବାସୀ ବେଶ ଖୁସି ହୋଇଯାଇଥିଲେ। ପୀଡ଼ିତାଙ୍କୁ ନ୍ୟାୟ ମିଳିଥିବା ନେଇ ତେଲେଙ୍ଗାନା ପୋଲିସକୁ ଧନ୍ୟବାଦ ଜଣାଇଥିଲେ। ହେଲେ କିଛି ବୁଦ୍ଧିଜୀବୀ ଏହାକୁ ନାପସନ୍ଦ କରିଥିଲେ। ଏନକାଣ୍ଟର କରିବା ଅର୍ଥ ଆଇନକୁ ନିଜ ହାତକୁ ନେବା ସମାନ ବୋଲି ସେମାନେ ଅଭିଯୋଗ କରିଥିଲେ। ନ୍ୟାୟ ଦେବାର ଅଧିକାର କୋର୍ଟର ପୋଲିସ କେବଳ ତଦନ୍ତ କରିବା କଥା ବୋଲି ବୁଦ୍ଧିଜୀବୀ ନିଜ ମତ ରଖିଥିଲେ।

Comment