ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

୨୦୧୯ ଆଇନାରେ ଓଲିଉଡ ହାସ୍ୟଅଭିନେତା ପପୁ ପମ୍‌ ପମ୍‌ଙ୍କ ବିବାଦୀୟ ଯାତ୍ରା। ଜାଣନ୍ତୁ, ଓଡ଼ିଶାଲାଇଭ୍‌ ଫ୍ଲାସ୍‌ବ୍ୟାକ୍‌ ରିପୋର୍ଟରେ।

କେବେ ସଫଳତା, କେବେ ବିଫଳତା, କେବେ ଆଶା, କେବେ ନିରାଶା ଓ କେବେ ବାଦ ବିବାଦରେ ଶେଷ ହେବାକୁ ଯାଉଛି ୨୦୧୯ର ଯାତ୍ରା। ଏହି ଯାତ୍ରାରେ କିଏ ସଫଳତା ସାଉଁଟିଛି ତ କିଏ ବାଦ ବିବାଦର ଚକ୍ରବ୍ୟୁହ ଫସିଛି। ସେହିଭଳି ଉଣେଇଣିର ଆଇନାରେ ଏମିତି ଜଣେ ଅଭିନେତା ଅଛନ୍ତି, ଯିଏ କେବଳ ବିବାଦରେ ଛନ୍ଦି ହୋଇଛନ୍ତି। ସେ ହେଲେ ଓଲିଉଡର ଲୋକପ୍ରିୟ ହାସ୍ୟ ଅଭିନେତା ତତ୍ଵ ପ୍ରକାଶ ଶତପଥୀ ଓରଫ ପପୁ ପମ୍‌ ପମ୍‌।

ପପୁ ଦୁଇ ଦୁଇଟି ଘଟଣା ପାଇଁ ବିବାଦରେ ଫସିଥିଲେ। ପପୁଙ୍କ ନୂଆ ଚଳଚ୍ଚିତ୍ର ‘ମିଷ୍ଟର କହ୍ନେୟା’ର ପୋଷ୍ଟରକୁ ନେଇ ଏବଂ ରାନୁ ମଣ୍ଡଳଙ୍କ ଗୀତ ‘ତେରି ମେରି କାହାନୀ’ର ଟିକ୍‌ଟକ୍‌ ଭିଡିଓ ପ୍ରସ୍ତୁତ କରି। ଏହି ଦୁଇଟି ଘଟଣା ପାଇଁ କ୍ଷମା ମାଗିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ପପୁଙ୍କ ନାଁରେ ଅଭିଯୋଗ ଆଣିଲେ ଦୂତୀ

ପପୁଙ୍କ ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ପାଇଁ ବିବାଦ ଘେରକୁ ଆସିଥିଲେ ପପୁ। ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ଅଭିଯୋଗ ଆଣିଥିଲେ ଦୌଡ଼ରାଣୀ ଦୂତି ଚାନ୍ଦ। ଏହି ପୋଷ୍ଟରକୁ ନେଇ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଆଣିଥିଲେ ଲୋକେ।

ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ପାଇଁ ଦୂତି ଫେସ୍‌ବୁକ୍‌ରେ ପ୍ରତିକ୍ରିୟା ରଖି କହିଥିଲେ ଯେ, ନାରୀମାନେ କ’ଣ ପୁରୁଷଙ୍କ ପାଇଁ କୁକୁର? ନାରୀମାନଙ୍କୁ ଏ କି ସମ୍ମାନ? ଏହାସହ ଦୂତି ଏହି ଫିଲ୍ମର ପ୍ରଯୋଜନା ସଂସ୍ଥାକୁ ଏହି ପୋଷ୍ଟରକୁ ହଟାଇବାକୁ ଅନୁରୋଧ କରିଥିଲେ।

ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୭ ତମ ଚଳଚ୍ଚିତ୍ର ହେଉଛି ମିଷ୍ଟର କହ୍ନେୟା। ଏହି ଫିଲ୍ମରେ ଲିଡ୍‌ ରୋଲ୍‌ରେ ଅଭିନୟ କରିବେ ପପୁ ପମ୍‌ ପମ୍‌। ଏହି ପୋଷ୍ଟରରେ ୭ ଜଣ ନାରୀଙ୍କ ବେକରେ ରସି ଲଗାଯାଇଛି। ଏହି ରସିକୁ ପପୁ ହାତରେ ଧରିଛନ୍ତି। ଏହା ହିଁ ପୋଷ୍ଟରକୁ ଅଧିକ ବିବାଦୀୟ କରିଥିଲା।

ପପୁଙ୍କ ନାଁରେ ଥାନାରେ ଅଭିଯୋଗ କଲେ ଲିଙ୍କନ ସୁବୁଦ୍ଧି

ବିବାଦୀୟ ମିଷ୍ଟର କହ୍ନେୟା ପୋଷ୍ଟର ପାଇଁ ଥାନାରେ ଅଭିଯୋଗ କରିଥିଲେ ସାମାଜିକ କର୍ମୀ ଲିଙ୍କନ୍‌ ସୁବୁଦ୍ଧି। ଲିଙ୍କନ୍‌ ଭୁବନେଶ୍ଵର ମହିଳା ଥାନାରେ ପ୍ରଯୋଜକ, ନିର୍ଦ୍ଦେଶକ ଏବଂ ଅଭିନେତା ପପୁଙ୍କ ବିରୋଧରେ ଅଭିଯୋଗ କରିଥିଲେ।

ଲିଙ୍କନ୍‌ କହିଥିଲେ, ‘‘ନାରୀଙ୍କୁ ଉପଭୋଗ୍ୟ ବସ୍ତୁ ଭାବେ ଏହି ଫିଲ୍ମରେ ଚିତ୍ରଣ କରାଯାଇଥିବା ପୋଷ୍ଟରରୁ ଜଣାପଡୁଛି। ନାରୀମାନଙ୍କ ପ୍ରତି ଏହା ଅସମ୍ମାନ। ପ୍ରଯୋଜନା ସଂସ୍ଥା ଏଭଳି ଫିଲ୍ମ ତିଆରି କରି କି ବାର୍ତ୍ତା ଦେବାକୁ ଚାହୁଁଛି? କାଷ୍ଟିଂକାଉଚ୍‌ ଅଭିଯୋଗରେ ବିବାଦୀୟ ହୋଇଥିବା ପପୁ ପମ୍‌ ପମ୍‌ ପୁଣି ଥରେ ନାରୀମାନଙ୍କୁ ଅସମ୍ମାନିତ କରିଛନ୍ତି।’

ଏହି ପୋଷ୍ଟର ପାଇଁ ଲିଙ୍କନ୍‌ ସିଧାସଳଖ ପପୁଙ୍କୁ ଦାୟୀ କରିଥିଲେ। କେବଳ ଶସ୍ତା ଲୋକପ୍ରିୟତା ହାସଲ ପାଇଁ ମିଷ୍ଟର କହ୍ନେୟା ପୋଷ୍ଟର ତିଆରି କରାଯାଇଥିବା କହିଥିଲେ ଲିଙ୍କନ୍‌।

ସୋସିଆଲ ମିଡିଆରେ ଦୂତି-ପପୁଙ୍କ ଓ୍ୱାର

ଫିଲ୍ମ ‘ମିଷ୍ଟର କହ୍ନେୟା’ ପୋଷ୍ଟର ପାଇଁ ଦୂତି ଫେସ୍‌ବୁକ୍‌ରେ ଅଭିଯୋଗ ଆଣିବା ପରେ ଉଭୟ ଦୂତି ପପୁଙ୍କ ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଯାଇଥିଲା। ଦୂତିଙ୍କ ଆକ୍ଷେପରେ କଡ଼ା ଜବାବ ଦେଲେ ପପୁ।

ଦୂତି ଚାନ୍ଦଙ୍କ ସମଲିଙ୍ଗୀ ସମ୍ପର୍କକୁ ସିଧାସଳଖ ଆକ୍ଷେପ କଲେ ପପୁ ପମ୍‌ ପମ୍‌। ପପୁ କହିଥିଲେ, ‘‘ଦୂତି ଚାନ୍ଦ ନାରୀ ଜାତିକୁ କେତେ ସମ୍ମାନ ଦିଏ ତାହା ସମସ୍ତେ ଜାଣିଛନ୍ତି। ଯଦି ଏଠାରେ ଝିଅ ଝିଅକୁ ବାହା ହେବେ ତାହାଲେ ପୁଅ କାହାକୁ ବାହା ହେବେ? ଏହା ଓଡ଼ିଶାର ସଂସ୍କୃତି ନୁହେଁ।’’

ଦୂତିଙ୍କ ବିରୋଧରେ ପପୁ ସାଂଘାତିକ ଅଭିଯୋଗ କରିଥିଲେ। ନାରୀମାନଙ୍କୁ ଦୂତି କେତେ ସମ୍ମାନ ଦିଏ ତାହା ସମସ୍ତେ ଜାଣିଛନ୍ତି। ଏଣୁ ନାରୀ ସମ୍ମାନ ବିଷୟରେ ଦୂତି କହିବା ଅନୁଚିତ ବୋଲି ପପୁ ଆକ୍ଷେପ କରିଥିଲେ।

‘‘ଦୂତି ଚାନ୍ଦ ହେଉଛି ବହୁତ ଦାମିକା ଲୋକ। ସେ ଏବେ ନିକଟରେ ୩ କୋଟି ଟଙ୍କା ପାଇଛି। ସେ ତ ନିଜେ ବିବାଦରେ ଫସିଛି। ଏଣୁ ସେ ପ୍ରଥମେ ନିଜ କଥା ସମ୍ଭାଳୁ’’, ଦୂତିଙ୍କୁ ଏମିତି ଜବାବ ଦେଇଥିଲେ ପପୁ।

ପପୁଙ୍କୁ ଧମକେଇଲେ ଦୂତି

ଦୂତିଙ୍କ ବିରୋଧରେ ପପୁ ଯେଉଁ ଆକ୍ଷେପ କରିଥିଲେ ତା’ର ଅଡିଓ ସୋସିଆଲ ମିଡିଆରେ ଘୂରି ବୁଲୁଥିଲା। ଏହାକୁ ଆଧାର କରି ଦୂତି ପୁଣି ପପୁଙ୍କୁ ଦୃଢ଼ ଜବାବ ଦେଇଥିଲେ। ନିଜ ଫେସ୍‌ବୁକ୍‌ ପୋଷ୍ଟରେ ଦୂତି ପପୁଙ୍କୁ ସମାଲୋଚନା କରିବା ସହ ମାନହାନି ମକଦ୍ଦମା କରିବେ ବୋଲି ଧମକ ଦେଇଥିଲେ।

‘‘ମୁଁ ଆଇନର ସହାୟତା ନେବି। ମତେ ସମସ୍ତଙ୍କ ଆଗରେ ଅପମାନିତ କରାଯାଇଛି। ମୁଁ ପପୁଙ୍କ ନାଁରେ ମାନହାନି ମକଦ୍ଦମା କରିବି। ମୋର ପୋଲିସ ପ୍ରଶାସନ ଉପରେ ଭରସା ଅଛି। ମତେ ନିଶ୍ଚିତ ନ୍ୟାୟ ମିଳିବ’’, କହିଥିଲେ ଦୂତି ଚାନ୍ଦ।

ଦୂତିଙ୍କ ଆଗରେ ମୁଣ୍ଡ ନୁଆଁଇଲେ ପପୁ

ଦୂତି ଓ ପପୁଙ୍କ ମଧ୍ୟରେ ଚାଲିଥିବା ସୋସିଆଲ ମିଡିଆ ଯୁଦ୍ଧ ଶେଷରେ ଅନ୍ତ ହୋଇଥିଲା। କହ୍ନେୟା ପୋଷ୍ଟରକୁ ନେଇ ବିବାଦ ଅଧିକ ଜଟିଳ ହେବାରୁ ପପୁ ନିଜେ ପକାଇଥିବା ଛେପକୁ ଢୋକିଥିଲେ। ପପୁ ଏକ ଟେଲିଭିଜନ୍‌ ମାଧ୍ୟମରେ ଦୂତିଙ୍କୁ କ୍ଷମା ମାଗିଥିଲେ।

ପପୁଙ୍କ କ୍ଷମାକୁ ସ୍ୱୀକାର କରି ଦୂତି ମଧ୍ୟ ପପୁଙ୍କୁ କ୍ଷମା କରିଦେଇଥିଲେ।

ରାନୁ ମଣ୍ଡଳଙ୍କୁ କପି କରି ପୁଣି ବିବାଦରେ ପପୁ

ଫିଲ୍ମ ପୋଷ୍ଟର ବିବାଦରୁ ମୁକୁଳିବାର ସପ୍ତାହ ଭିତରେ ଆଉ ଏକ ବିବାଦରେ ଛନ୍ଦି ହେଲେ ପପୁ ପମ୍‌ ପମ୍‌। ମାତ୍ର ଏଥର ବିବାଦୀୟ ବୟାନ ପାଇଁ ନୁହେଁ, ରାତାରାତି ସୋସିଆଲ ମିଡିଆ ସେନ୍ସେସନ୍‌ ପାଲଟିଥିବା ରାନୁ ମଣ୍ଡଳଙ୍କ ନକଲ କରି।

ରାନୁ ମଣ୍ଡଳଙ୍କ ଭଳି ଅବିକଳ ଶାଢ଼ି ପିନ୍ଧି, ମୁଣ୍ଡରେ କେଶ ଲଗାଇ, ରାନୁ ଗାଇଥିବା ତେରି ମେରି କାହାନି ଗୀତ ଗାଉଥିଲେ। ତାଙ୍କ ସହ ଆଉ ଜଣେ ଯୁବକ ବଲିଉଡ ପ୍ଲେ ବ୍ୟାକ୍‌ ସିଙ୍ଗର ହିମେଶ ରେଶମିୟାଙ୍କ ନକଲ କରୁଥିଲେ। ପପୁଙ୍କର ଏହି ଭିଡିଓ ନିଆଁ ଭଳି ଚାରିଆଡ଼େ ଭାଇରାଲ ହୋଇଥିଲା। ଲୋକେମାନେ ଏହି ଭିଡିଓକୁ ନିନ୍ଦା କରୁଥିବା ଦେଖିବାକୁ ମିଳୁଥିଲା। କିଛି ଲୋକ କହୁଥିଲେ ଯେ, ପବ୍ଲିସିଟି ପାଇବାକୁ ପପୁ ଏମିତି କରୁଛନ୍ତି, ତ ଆଉ କିଛି ଲୋକ କହୁଛନ୍ତି ଯେ, ପପୁଙ୍କ ଆଗାମୀ ଫିଲ୍ମ ପାଇଁ ପପୁ ଚର୍ଚ୍ଚା ସାଉଁଟୁଛନ୍ତି।

ଜଣେ କଳାକାରଙ୍କୁ ଅପମାନିତ କରିବା ଘଟଣାରେ ପପୁଙ୍କ ବିରୋଧରେ ନିଶ୍ଚିତକୋଇଲି ଥାନାରେ ମାମଲା ରୁଜୁ କରିଥିଲେ ନାଗରିକ ସୁରକ୍ଷା ମଞ୍ଚ।

କ୍ଷମା ମାଗି ମାଗି ଗଲା ପପୁଙ୍କ ୨୦୧୯

ବାରମ୍ବାର ଭୁଲ କରୁଛନ୍ତି ଓ ବାରମ୍ବାର କ୍ଷମା ମାଗୁଛନ୍ତି କମେଡି କିଙ୍ଗ୍‌ ପପୁ ପମ୍‌ ପମ୍‌। ମିଷ୍ଟର କହ୍ନେୟା ପୋଷ୍ଟର ବିବାଦରେ ଦୂତୀ ଚାନ୍ଦଙ୍କୁ କ୍ଷମା ମାଗିଥିବା ପପୁ ପୁଣି ରାନୁ ମଣ୍ଡଳଙ୍କ ଘଟଣାରେ ମୁଣ୍ଡ ନୁଆଁଇଥିଲେ।

ପପୁ ସୋସିଆଲ ମିଡିଆରେ ଏକ ଭିଡିଓ କରି କହିଥିଲେ, ‘‘ରାନୁ ମଣ୍ଡଳ ହେଉଛନ୍ତି ଜଣେ ଅସାଧାରଣ ବ୍ୟକ୍ତିତ୍ୱ। ସେ ଗାଇଥିବା ଗୀତ ଯେମିତି ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବ ସେଥିପାଇଁ ମୁଁ ଏବଂ ମୋର ବନ୍ଧୁ ଉଦ୍ୟମ କରିଥିଲୁ। ଏହା ହେଉଛି ଜଣେ କଳାକାରର ଆଉ ଜଣେ କଳାକାର ପ୍ରତି ପ୍ରକୃତ ଉପହାର। ସବୁ କଥାରୁ ଦୋଷ ବାହାର କଲେ ବାହାରିବ। ଲୋକ ତ ଭଗବାନଙ୍କର ଦୋଷ ବାଛୁଛନ୍ତି, ମୁଁ ମଣିଷ। ଏହି ଭିଡିଓ ଯଦି କାହାକୁ କଷ୍ଟ ଦେଇଥିବ ସେଥିପାଇଁ ମୁଁ କ୍ଷମା ମାଗୁଛି।’’

ତେବେ ୨୦୧୯ରେ ପପୁ ପମ୍‌ ପମ୍‌ ବହୁ ବାଦ ବିବାଦରେ ପସିଛନ୍ତି। ଏବେ ଦେଖିବାକୁ ବାକି ରହିଲା ପପୁଙ୍କ ୨୦୨୦ବର୍ଷ କେମିତି କଟୁଛି।

Comment