ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉଣେଇଶର ଚର୍ଚ୍ଚିତ ଅପରାଧ। ୨୦୧୯ ଦୀପାବଳି ରାତି ଭୁବନେଶ୍ଵରରେ ଘଟିଥିଲା ଅମରେଶ ନାଏକ ହତ୍ୟାକାଣ୍ଡ। କ’ଣ ଥିଲା ହତ୍ୟାକାଣ୍ଡର କାରଣ । ଜାଣନ୍ତୁ ଓଡ଼ିଶାଲାଇଭ୍‌ର ‘ଫ୍ଲାସ୍‌ ବ୍ୟାକ-୨୦୧୯’ ରିପୋର୍ଟରେ।

କିଛି ଦିନ ପରେ ସରିଯିବ ୨୦୧୯। ଆରମ୍ଭ ହେବ ନୂଆବର୍ଷ। ଏହା ପୂର୍ବରୁ ନଜର ପକାଇବା ୨୦୧୯ରେ ଘଟିଥିବା ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଉପରେ। ସମସ୍ତଙ୍କର ମନେ ଥିବ ୨୦୧୯ ଦୀପାବଳି ରାତିରେ ରାଜଧାନୀ ଭୁବନେଶ୍ଵରରେ ଘଟିଥିବା ଅମରେଶ ନାଏକ ହତ୍ୟାକାଣ୍ଡ ଘଟଣା। ଦୀପାବଳି ରାତିରେ ଲିଭି ଗଲା ଅମରେଶଙ୍କ ଜୀବନ ଦୀପ। ଭାଇଗିରି ଯୋଗୁଁ ଗଡ଼ିଲା ମୁଣ୍ଡ। କିଛି ଦୁର୍ବୃତ୍ତ ସଂଘବଦ୍ଧ ଭାବରେ ଅମରେଶଙ୍କୁ ଆକ୍ରମଣ କରିଥିଲେ। କାଠ ଫାଳିଆ, ବହ୍ଲାରେ ତାଙ୍କୁ ନିର୍ମମ ଭାବେ ପିଟି ପିଟି ହତ୍ୟା କରିଥିଲେ।

ଏହି ହତ୍ୟାକାଣ୍ଡର ମୁଖ୍ୟକାରଣ ରାଜଧାନୀରେ ଭାଇଗିରି ଓ ପତିଆରା। ମୃତକ ଅମରେଶ ନାଏକ ନାଁରେ ରାଜଧାନୀର ବିଭିନ୍ନ ଥାନାରେ ମାମଲା ରହିଥିଲା। ଦିପାବଳୀ ରାତିରେ ବାଣ ଫୁଟାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀରେ ଲଢେଇର ପରିଣିତି ଥିଲା ଏହି ହତ୍ୟାକାଣ୍ଡ।

କେମିତି ଘଟିଥିଲା ହତ୍ୟାକାଣ୍ଡ?

ଭାଇଗିରି ଓ ପତିଆରା ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତା ରହିଥିଲା। ମୁହାଁମୁହିଁ ହେବା ପାଇଁ ଦୁଇ ଗୋଷ୍ଠୀ ଖୋଜୁଥିଲେ ମୌକା। ୨୦୧୯ ଦିପାବଳୀ ରାତିରେ ମିଳିଥିଲା ସେହି ମୌକା। ଅମରେଶ ଦୀପାବଳି ରାତିରେ ଏୟାରଫିଲ୍ଡ ଥାନା କପିଳ ପ୍ରସାଦ ଅଞ୍ଚଳରେ ସାଙ୍ଗ ମାନଙ୍କ ସହ ମିଶି ରାସ୍ତା କଡ଼ରେ ଭୋଜି କରୁଥିଲେ। ଗୋଟିଏ ପଟେ ଭୋଜି ରନ୍ଧା ଚାଲିଥିଲା ଏବଂ ଅନ୍ୟପଟେ ବାଣ ଫୁଟାଇ ଉତ୍ସବ ପାଳୁଥିଲେ ଅମରେଶ ଏବଂ ତାଙ୍କ ସାଙ୍ଗ।

ଏହି ସମୟରେ ୧୦ରୁ ୧୨ ଜଣ ଯୁବକ ସେହି ରାସ୍ତା ଦେଇ ଯାଉଥିଲେ। ତାଙ୍କ ଦେହରେ ବାଣ ଛିଟ୍‌କା ପଡ଼ିବାରୁ ସେମାନେ ଆସି ଅମରେଶ ଓ ତାଙ୍କ ସାଙ୍ଗମାନଙ୍କ ସହ ଯୁକ୍ତି କରିଥିଲେ। ବିବାଦ ବଢ଼ିଥିଲା। ଟାର୍ଗେଟକୁ ଆସିଥିଲେ ଅମରେଶ। ଏହି ୧୦ରୁ ୧୨ ଜଣ ଯୁବକ ଅମରେଶ ଓ ତାଙ୍କ ସାଙ୍ଗମାନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଅମରେଶଙ୍କ ସାଙ୍ଗମାନେ ଦୌଡ଼ି ପଳାଇଥିଲେ। ଅମରେଶ ବି ଜୀବନ ବଞ୍ଚାଇବାକୁ ଦୌଡ଼ିଥିଲେ। କିନ୍ତୁ ରକ୍ଷା ପାଇ ନଥିଲେ। ସେହି ୧୨ ଜଣ ଯୁବକଙ୍କ ହାବୁଡ଼ରେ ପଡ଼ି ଯାଇଥିଲେ ଅମରେଶ। ମାଡ଼ ମାରି ଲହୁଲୁହାଣ କରିଦେଲେ। ଶେଷରେ ଅମରେଶଙ୍କ ଜୀବନ ଚାଲି ଯାଇଥିଲା।

ପୋଲିସ ଆରମ୍ଭ କଲା ତଦନ୍ତ

ହତ୍ୟାକାଣ୍ଡରେ ବର୍ତ୍ତି ଯାଇଥିବା ଅମରେଶର ଜଣେ ସାଙ୍ଗ ଏନେଇ ଅମରେଶଙ୍କ ଘରେ ଖବର ଦେଇଥିଲେ। ଅମରେଶଙ୍କ ପରିବାର ଲୋକ ପୋଲିସରେ ଏତଲା ଦେଇଥିଲେ। ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଛାନ୍‌ଭିନ ଆରମ୍ଭ କରିଥିଲା। ଅମରେଶଙ୍କ ସାଙ୍ଗଙ୍କ ଅଭିଯୋଗ ଆଧାରରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୧୨ ଜଣ ଅଭିଯୁକ୍ତଙ୍କୁ ଖୋଜିବାକୁ ଲାଗିଲା ପୋଲିସ। ଏମାନଙ୍କ ଧରିବାକୁ ଜାଲ ବିଛାଇଥିଲା କମିସନରେଟ ପୋଲିସ।

ହତ୍ୟାକାଣ୍ଡରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ପରେ ଅମରେଶ ନାଏକ ହତ୍ୟାକାଣ୍ଡରେ ୫ ଜଣ ଅଭିଯୁକ୍ତଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଜଗଦିଶ ଗଜେନ୍ଦ୍ର ଓରଫ ରାଜା , ଜିତେନ୍ଦ୍ର ମଲ୍ଲୀକ ଓରଫ ଜିତୁ ଏହି ଦୁଇଜଣଙ୍କୁ ପ୍ରଥମେ କମିଶନରେଟ ପୋଲିସ ଭୁବନେଶ୍ଵର ଉପକଣ୍ଠ ବାଳକାଟି ଅଞ୍ଚଳରୁ ଗିରଫ କରିଥିଲା। ପରେ ପୋଲିସ ହେପାଜତକୁ ଆସିଥିଲା ତୃତୀୟ ଅଭିଯୁକ୍ତ ଶଙ୍କର ବସ୍ତିଆ। ଶଙ୍କର ଧରା ପଡିବା ପରେ ବଳରାମ ନନ୍ଦ ଓରଫ କୁନା ଓ ରିଙ୍କୁ ସାହୁକୁ ଗିରଫ କରିଛି କମିଶନରେଟ ପୋଲିସ। ଏହି ହତ୍ୟାକାଣ୍ଡରେ ଆହୁରି ୧୦ରୁ ୧୨ ଜଣ ଫେରାର୍‌ ଥିବା ଜଣାପଡ଼ିଛି।

Comment