ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ଶେଷ ହେବାକୁ ଯାଉଥିବା ବର୍ଷରେ ଓଡ଼ିଶାର କ୍ଷମତା ରାଜନୀତିରେ ପରିବର୍ତ୍ତନ ଅପେକ୍ଷା ଗତାନୁଗତିକତା ହିଁ ଅଧିକ ଦେଖିବାକୁ ମିଳିଥିଲା। ଶାସକ ବିଜେଡି ବିଧାନସଭା ନିର୍ବାଚନ ଜିତି ପୁଣି ଥରେ କ୍ଷମତାକୁ ଫେରିଥିବା ବେଳେ ବିଜେପି ପାଇଁ ବର୍ଷଟି ନିରୁତ୍ସାହଜନକ ଥିଲା, ଯଦିଓ ହତାଶ ହେବାର କିଛି କାରଣ ନଥିଲା।

ନିର୍ବାଚନର ପାଞ୍ଚ ବର୍ଷ ପୂର୍ବରୁ ଯେଉଁ ମିଶନ ୧୨୦ କଥା କୁହାଯାଉଥିଲା ତାହାକୁ ଭୋଟରମାନେ ଆଦୌ ଗ୍ରହଣ କରିନଥିଲେ। ଦଳର ସଭାପତି ଅମିତ ଶହଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ନେତା ସମସ୍ତେ ରାଜ୍ୟରେ ସରକାର ଗଠନ କରିବାର ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ଧୂଳିସାତ ହୋଇଯାଇଥିଲା।

ଶାସକ ବିଜେଡି ସହ ବିଜେପିର ମୁକାବିଲା ମନୋବୃତ୍ତି ଦଳ ପାଇଁ କୌଣସି ପ୍ରକାର ରାଜନୈତିକ ଫାଇଦା ଆଣିନଥିଲା। ଦଳକୁ ଲୋକଙ୍କ ପାଖରେ ନତମସ୍ତକ ହେବାକୁ ପଡ଼ିଥିଲା। ଦୀର୍ଘ ୧୯ ବର୍ଷ ଧରି ବିଜେଡି ପକ୍ଷରୁ ଯେଉଁ ସବୁ କାର୍ଯ୍ୟକ୍ରମ କରାଯାଇଥିଲା ତାହା ଦଳକୁ  ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ସହାୟକ ହୋଇଥିଲା। ଅବଶ୍ୟ କେନ୍ଦ୍ରରେ ଥିବା ବିଜେପି ସରକାର ପକ୍ଷରୁ ଓଡ଼ିଶାରେ ବେଶ୍ କିଛି ପ୍ରକଳ୍ପ ଘୋଷଣା କରାଯାଇଥିଲା। କିନ୍ତୁ ତାହା ଭୋଟରମାନଙ୍କ ଉପରେ କୌଣସି ପ୍ରଭାବ ବିସ୍ତାର କରି ପାରିନଥିଲା।

୨୦୧୯ରେ ଅନୁଷ୍ଠିତ ନିର୍ବାଚନ ପାଇଁ ଉଭୟ ବିଜେପି ଓ ବିଜେଡି ମଧ୍ୟରେ ବେଶ୍ କିଛି ରାଜନୈତିକ ଆତସବାଜି ହୋଇଥିଲା। ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସି ବିଭିନ୍ନ ସ୍ଥାନରେ  ଅନୁଷ୍ଠିତ ନିର୍ବାଚନ ସଭାରେ ଯୋଗ ଦେଇଥିଲେ ଓ ନବୀନ ପଟ୍ଟନାୟକଙ୍କ ପ୍ରତି ଦଳ ପକ୍ଷରୁ ବିଭିନ୍ନ ପ୍ରକାର କଟୁ ମନ୍ତବ୍ୟ ଦିଆଯାଇଥିଲା। ପୋଡା ଟ୍ରାନ୍ସଫର୍ମରଠାରୁ ଆରମ୍ଭ କରି ନିକମ୍ମ। ସରକାର ଏହିଭଳି ଅନେକ ବିଶେଷଣ ପଦ ନବୀନଙ୍କ ସରକାର ପ୍ରତି ବ୍ୟବହାର କରାଯାଇଥିଲା। ଏସବୁ ସତ୍ତ୍ୱେ ବିଧାନସଭା ନିର୍ବାଚନରେ ଦଳକୁ ମାତ୍ର ୨୩ଟି ଆସନ ମିଳିଥିଲା।

କିନ୍ତୁ ଲୋକସଭା ନିର୍ବାଚନରେ ଦଳ ଖୁବ୍ ଭଲ ପ୍ରଦର୍ଶନ କରିଥିଲା। ମୋଦୀଙ୍କ ସପକ୍ଷରେ ସମଗ୍ର ଦେଶରେ ଯେଉଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଥିଲା ତାହା ଓଡ଼ିଶାରେ ମଧ୍ୟ ଦେଖାଯାଇଥିଲା। ୨୧ ଲୋକସଭା ଆସନ ଭିତରୁ ୮ଟିରେ ନିର୍ବାଚନ ଜିତି ବିଜେପି ନିଜ ପାଇଁ ଏକ ସୁଦୃଢ଼ ରାଜନୈତିକ ସ୍ଥାନ ଅଧିକାର କରିଥିଲା।

ଓଡିଶା ବିଜେପି ପାଇଁ ୨୦୧୯ ବର୍ଷଟି ଉଲ୍ଲେଖଯୋଗ୍ୟ ହେବାର ଅନ୍ୟ ଏକ କାରଣ ଦୁଇ ଜଣ ସାଂସଦ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ଅଳଙ୍କୃତ କରିଥିଲେ।

Comment