ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆସୁଛି ନୂଆବର୍ଷ। ସମସ୍ତଙ୍କ ନିକଟରୁ ୨୦୧୯ ବିଦାୟ ନେବା ପୂର୍ବରୁ ଏକ ବଡ଼ ଘଟଣା ଉପରେ ନଜର ପକାଇବେ ଯାହା ସାରାଦେଶକୁ ଦୋହଲାଇ ଦେଇଥିଲା।

ଉରି ଆତଙ୍କବାଦୀ ଆକ୍ରମଣ ଲୋକଙ୍କ ମନରୁ ନଯାଉଣୁ ୨୦୧୯ରେ ହୋଇଥିଲା ଆଉ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ। କାଶ୍ମୀରର ପୁଲଓ୍ୱାମାଠାରେ ଘଟିଥିଲା ଏହି ଘଟଣା। ଆତଙ୍କବାଦୀମାନେ ବିସ୍ଫୋରଣ ଘଟାଇ ସିଆର୍‌ପିଏଫ୍ ଯବାନଙ୍କ ଗାଡ଼ି ଉଡ଼ାଇ ଦେଇଥିଲେ। ଫଳରେ ୪୦ ଜଣ ଯବାନ ସହିଦ ହୋଇଥିବା ବେଳେ ୪୫ ଜଣ ଗୁରୁତର ଆହତ ହୋଇଥିଲେ।

ଏହି ଘଟଣାରେ କିଏ ନିଜ ସ୍ୱାମୀକୁ ହରାଇଥିଲା ତ କିଏ ବାପାକୁ ହରେଇଥିଲା ଆଉ କିଏ ନିଜ ଯବାନ ପୁଅକୁ ହରାଇ ବେସାହାରା ହୋଇପଡ଼ିଥିଲା। ସେହିପରି କେହି ଯବାନ ନିଜ ବିବାହର ପ୍ରସ୍ତୁତି କରି ଚାକିରିକୁ ଯାଇଥିଲା ବେଳେ କଫିନରେ ନିଜ ଗାଁକୁ ଫେରିଥିଲେ। ଏମିତି ଏକ ଘଟଣା ସହିଦଙ୍କ ପରିବାରକୁ ଦୋହଲାଇ ଦେଇଥିଲା।

ଏହି ଲୋମ ଟାଙ୍କୁରା ଘଟଣା ପାଇଁ ଜୈସ-ଇ-ମହମ୍ମଦ ଆତଙ୍କବାଦୀ ସଙ୍ଗଠନ ନିଜକୁ ଦାୟୀ କରିଥିଲା। ଏହି ଆକ୍ରମଣ ପରେ ଆତଙ୍କବାଦୀଙ୍କୁ କଡ଼ା ଜବାବ ଦେବା ପାଇଁ ସାରା ଦେଶବାସୀ ଦାବି କରିଥିଲେ।

 କେମିତି ଘଟିଲା ଏହି ଘଟଣା?

୨୫୦୦ ଯବାନଙ୍କୁ ନେଇ ସିଆର୍‌ପିଏଫ୍‌ର ୭୦ଟି ଗାଡ଼ି ଜମ୍ମୁରୁ ଶ୍ରୀନଗର ଯାଉଥିଲା। ଫେବ୍ରୁଆରି ୧୪ ତାରିଖ ଭୋର୍ ୩ଟା ୩୦ରୁ ଏହି ବସ୍‌ଗୁଡ଼ିକ ଶ୍ରୀନଗର ଅଭିମୁଖେ ବାହାରିଥିଲା। ସନ୍ଧ୍ୟା ସୁଦ୍ଧା ଶ୍ରୀନଗରରେ ପହଞ୍ଚିବାର ଥିଲା। ହେଲେ ପୁଲଓ୍ୱାମା ନିକଟରେ ଆତଙ୍କବାଦୀମାନେ ଶକ୍ତିଶାଳୀ ବିସ୍ଫୋରଣ ଘଟାଇଥିଲେ। ଯବାନମାନେ ଶ୍ରୀନଗର ଯାଉଥିବା ଖବର ପାଇ ଆତଙ୍କବାଦୀମାନେ ଏକ କାର୍‌ରେ ବିସ୍ଫୋରକ ଭର୍ତ୍ତି କରି ରଖିଥିଲେ।

ରାସ୍ତାରେ ଆଗ ପଛ ହୋଇ ଯବାନମାନଙ୍କ ଗାଡ଼ି ଯାଉଥିବା ବେଳେ ହଠାତ୍ ବିସ୍ଫୋରକ ଭର୍ତ୍ତି କାର୍‌ଟି ମାଡ଼ି ଆସିଥିଲା। ସିଆର୍‌ପିଏଫ୍‌ର ଗୋଟି ବସ୍‌ ସହ ସିଧାସଳଖ ପିଟି ହୋଇଥିଲା। ଏହି ବସ୍‌ରେ ୩୯ ଜଣ ଯବାନ ଥିଲେ। ଏହି ବସ୍‌ ସମେତ ଅନ୍ୟ ବସ୍‌ ବି କ୍ଷତିଗ୍ରସ୍ତ ହୋଇଥିଲା।pulwama

 ମୁଖ୍ୟ ଅଭିଯୁକ୍ତ ଥିଲା ଆଦିଲ ଅହମ୍ମଦ

ଆତଙ୍କବାଦୀ ଆଦିଲ ଅହମ୍ମଦ ଡାରକୁ ଏହି ଆତ୍ମଘାତୀ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଥିଲା। ବିସ୍ଫୋରକ ଭର୍ତ୍ତି କାରକୁ ଆଦିଲ ଅହମ୍ମଦ ହିଁ ଚଳାଉଥିଲା। ସିଆର୍‌ପିଏଫ୍ ବସ୍ ପୁଲଓ୍ୱାମା ଅତିକ୍ରମ କରୁଥିବା ବେଳେ ଆଦିଲ ବିସ୍ଫୋରକ କାର୍ ନେଇ ବସ୍‌କୁ ଧକ୍କା ଦେଇଥିଲେ।

Comment