ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ରିଲାଏନ୍ସ କମ୍ପାନିର ପ୍ରତିଷ୍ଠାତା ଧୀରୁଭାଇ ଅମ୍ବାନୀଙ୍କ ଜନ୍ମଦିନ।

ଜୀବନରେ ଆଗକୁ ବଢ଼ିବାକୁ ହେଲେ ପ୍ରଥମେ ନିଜର ଅଭିଳାଷକୁ ଉଚ୍ଚ ରଖିବାକୁ ପଡ଼ିବ। ଏହାପରେ ଯାଇ ଜଣେ ମଣିଷ ଜୀବନରେ ଆଗକୁ ବଢ଼ିପାରିବ। ଉଚ୍ଚ ଅଭିଳାଷ ବିନା କୌଣସି ମଣିଷ କେବେ ବି ଜୀବନରେ ଆଗକୁ ବଢ଼ିପାରିବ ନାହିଁ। ଏମିତି କିଛି ଲକ୍ଷ୍ୟ ରଖି ଆଗକୁ ବଢ଼ିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରୀର ପ୍ରତିଷ୍ଠାତା ତଥା ଭାରତର ଜଣାଶୁଣା ଶିଳ୍ପପତି ଧୀରୁଭାଇ ଅମ୍ବାନୀ।୧୯୩୨ ମସିହା ଡିସେମ୍ବର ୨୮ ତାରିଖରେ ଜନ୍ମଗ୍ରହଣ କରିଥିବା ଧୀରୁଭାଇ ଅମ୍ବାନୀଙ୍କର ଆଜି ଜନ୍ମଦିନ। ମୃତ୍ୟୁ ପୂର୍ବରୁ ଭାରତୀୟ ଶିଳ୍ପ ଜଗତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ ଭାବେ ପରିଚିତ ଧୀରୁଭାଇ ଅମ୍ବାନୀ ପ୍ରତିଷ୍ଠା କରିଥିଲେ ରିଲାଏନ୍ସ ଇଣ୍ଡଷ୍ଟ୍ରୀ। ବର୍ତ୍ତମାନ ତାଙ୍କର ଦୁଇ ପୁଅ ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀ ମଧ୍ୟ ତାଙ୍କ ବାପାଙ୍କ ଭଳି ଦେଶରେ ଜଣେ ଜଣେ ଧନୀଶାଳୀ ବ୍ୟକ୍ତିଭାବେ ପରିଚିତି ହାସଲ କରିପାରିଛନ୍ତି।
ଧୀରୁଭାଇ ଅମ୍ବାନୀଙ୍କ ଜନ୍ମ ଗୁଜୁରାଟର ଜୁନାଗଡ଼ ଜିଲ୍ଲାରେ ହୋଇଥିଲା। ତାଙ୍କର ପୂରାନାମ ଥିଲା ଧୀରଜଲାଲ୍ ହୀରାଚାନ୍ଦ ଅମ୍ବାନୀ। ଜୁନାଗଡ଼ରୁ ସେ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ। ସ୍କୁଲ ଶିକ୍ଷା ଶେଷ କରିବା ପରେ ଜୀବନରେ ଟଙ୍କା ଉପାର୍ଜନ କରିବା ସହ ନିଜକୁ ଜଣେ ସଫଳ ବ୍ୟକ୍ତି ଭାବେ ଗଢ଼ିତୋଳିବାକୁ ପ୍ରଚେଷ୍ଟା ଆରମ୍ଭ କରିଥିଲେ ଧୀରୁଭାଇ ଅମ୍ବାନୀ। ଏଥିପାଇଁ ସେ କିଛି ଦିନ ବିଦେଶ ଯାଇ ସେଠାରେ ଥିବା ଏକ ଗ୍ୟାସ୍ ଷ୍ଟେସନରେ କାମ କରିବା ଆରମ୍ଭ କରିଦେଇଥିଲେ। କିନ୍ତୁ କିଛି ଦିନ ପରେ ସେ ସେଠାରୁ ଭାରତ ଚାଲିଆସିଥିଲେ।ଏହାପରେ ସେ ମାତ୍ର ୫୦ ହଜାର ଟଙ୍କାରୁ ତାଙ୍କର ଗୋଟିଏ ଅଫିସ୍ ଆରମ୍ଭ କରିଥିଲେ। ମାତ୍ର ୩୫୦ ବର୍ଗଫୁଟର ଏକ ଘର ସହ ତିନୋଟି ଚୌକି ଓ ଗୋଟିଏ ଟେଲିଫୋନ୍ ସହ ନିଜର ବ୍ୟବସାୟ ଆରମ୍ଭ କରିଥିଲେ ଧୀରୁଭାଇ ଅମ୍ବାନୀ।  ଅଫିସ୍ ଆରମ୍ଭ କରିବାର କିଛି ଦିନ ଭିତରେ ସେ ଭାରତୀୟ ବଜାରକୁ ଭଲ ଭାବେ ପଢ଼ିସାରିଥିଲେ। ଭାରତୀୟ ବଜାର କ’ଣ ଚାହୁଁଛି ଏବଂ ଭାରତୀୟ ବଜାରର କ’ଣ ବ୍ୟବସାୟ କଲେ ସଫଳତା ମିଳିପାରିବ ସେ ନେଇ ଧୀରୁ ଭାଇ ଆଲୋଚନା କରିବା ଆରମ୍ଭ କରିଦେଇଥିଲେ। ସେଥିରୁ ସେ ଜାଣିପାରିଥିଲେ ଯେ, ଭାରତରେ ପଲିଷ୍ଟର କପଡ଼ା ବ୍ୟବସାୟର ଗୁରୁତ୍ୱ ଚାହିଦା ରହିଛି। ସେହିପରି ଭାରତରୁ ମସଲା ନେଇ ବିଦେଶରେ ବିକ୍ରି କଲେ ଏହା ବେଶ ଲାଭଦାୟକ ହେବ ବୋଲି ସେ ଜାଣିପାରିଥିଲେ। ତେଣୁ ସେ ତାଙ୍କର ରିଲାଏନ୍ସ କମ୍ପାନି ପ୍ରତିଷ୍ଠା କରି ସେଥିରେ ଏହି ପଲିଷ୍ଟର କପଡ଼ା ଓ ଭାରତୀୟ ମସଲାର ବ୍ୟବସାୟ ଆରମ୍ଭ କରିଥିଲେ।ଏହାପରେ ରିଲାଏନ୍ସ କମ୍ପାନି ଧୀରେ ଧୀରେ ସଫଳତାର ଶୀର୍ଷ ଛୁଇଁବାକୁ ଆରମ୍ଭ କରିଥିଲା। ଏପରିକି ୨୦୦୦ ମସିହାରେ ଧୀରୁ ଭାଇ ଅମ୍ବାନୀ ଦେଶର ସୁବୁଠାରୁ ଧନୀ ବ୍ୟକ୍ତିର ମାନ୍ୟତା ପାଇଥିଲେ। କିନ୍ତୁ ଏହାର ଠିକ୍ ଦୁଇ ବର୍ଷ ପରେ ଅର୍ଥାତ ୨୦୦୨ ମସିହା ଜୁଲାଇ ୬ ତାରିଖରେ ଧୀରୁ ଭାଇ ଅମ୍ବାନୀଙ୍କର ପରଲୋକ ଘଟିଥିଲା। ୫୦ ହଜାର ଟଙ୍କାରୁ ଆରମ୍ଭ ହୋଇଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଧୀରୁ ଭାଇଙ୍କ ମୃତ୍ୟୁ ବେଳକୁ ୬୨ ହଜାର କୋଟି ଟଙ୍କାର କମ୍ପାନିରେ ପରିବର୍ତ୍ତନ ହୋଇସାରିଥିଲା। କମ୍ପାନିର ଏହି ସଫଳତା କେବଳ ଧୀରୁ ଭାଇ ଅମ୍ବାନୀଙ୍କୁ ଯୋଗୁଁ ସମ୍ଭବ ହୋଇଥିଲା ବୋଲି କୁହାଯାଇଥିଲା।ପ୍ରଥମେ ପ୍ରଥମେ କେବଳ ପଲିଷ୍ଟର କପଡ଼ା ଓ ଭାରତୀୟ ମସଲା ବ୍ୟବସାୟ କରୁଥିବା ରିଲାଏନ୍ସ କମ୍ପାନି ସେତେବେଳକୁ କେବଳରେ ଏହି ବ୍ୟବସାୟରେ ସୀମିତ ନଥିଲା। ଏହାସହ ରିଲାଏନ୍ସ କମ୍ପାନି ପେଟ୍ରୋକେମିକାଲ୍ସ, ଯୋଗାଯୋଗ, ସୂଚନା, ଟେକ୍ନୋଲୋଜି, ବିଦ୍ୟୁତ, ଟେକ୍ସଟାଇଲ୍ କ୍ଷେତ୍ରରେ ମଧ୍ୟ ନିଜର ବ୍ୟବସାୟ ଆରମ୍ଭ କରିସାରିଥିଲା। ତାଙ୍କ ପରେ ତାଙ୍କର ଏହି କମ୍ପାନି ତାଙ୍କର ଦୁଇ ପୁଅ ମୁକେଶ ଅମ୍ବାନୀ ଓ ଅନୀଲ ଅମ୍ବାନୀଙ୍କ ହାତରେ ରହିଥିଲା। ମୁକେଶ ଅମ୍ବାନୀ ଆଜି ତାଙ୍କ ବାପାଙ୍କ ଭଳି ଦେଶର ସବୁଠାରୁ ଧନୀ ବ୍ୟକ୍ତି ହେବାର ଗୌରବ ଅର୍ଜନ କରିଛନ୍ତି।

Comment