ଓଡ଼ିଶାଲାଇଭ୍‌ ବ୍ୟୁରୋ

୩.୪ ଡିଗ୍ରୀ ସହ ସୋନପୁର ରାଜ୍ୟର ସବୁଠୁ ଥଣ୍ଡା ସହର।

ପ୍ରଚଣ୍ଡ ଶୀତରେ ଥରୁଛି ସାରା ରାଜ୍ୟ। ଜାଡ଼ ପ୍ରଭାବରୁ ଘରୁ ବାହାରକୁ ବାହାରିବା କଷ୍ଟକର ହୋଇପଡ଼ିଲାଣି। ଥଣ୍ଡା ଆଉ ତା’ ସାଙ୍ଗକୁ ଶୀତୁଆ ପବନ ରାଜ୍ୟବାସୀଙ୍କୁ ଅସ୍ତବ୍ୟସ୍ତ କରିଦେଉଛି। ରବିବାର ରାଜ୍ୟର ୧୫ଟି ସହରରେ ପାରଦ ୧୦ ଡିଗ୍ରୀ ଥିବା ବେଳେ ସବୁଠୁ ଥଣ୍ଡା ସହର ଭାବେ ସୋନପୁରରେ ସର୍ବନିମ୍ନ ୩.୪ ଡିଗ୍ରୀ ରେକର୍ଡ କରାଯାଇଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ରିପୋର୍ଟ ଅନୁଯାୟୀ, ୪.୬ ଡିଗ୍ରୀ ସହ ଅନୁଗୁଳ ଦ୍ୱିତୀୟ ଥଣ୍ଡା ସହର ଥିବା ବେଳେ ୫ ଡିଗ୍ରୀ ସହ ଫୁଲବାଣୀ ରହିଛଇ ତୃତୀୟ ସ୍ଥାନରେ। ସେହିପରି ଦାରିଙ୍ଗିବାଡ଼ିରେ ୫.୫ ଡିଗ୍ରୀ, ଟିଟିଲାଗଡ଼ରେ ୬.୧ ଡିଗ୍ରୀ, ଭବାନୀପାଟଣାରେ ୬.୫ ଡିଗ୍ରୀ, କେନ୍ଦୁଝର ୬.୬ ଡିଗ୍ରୀ ଏବଂ ଝାରସୁଗୁଡ଼ାରେ ପାରଦ ୭.୩ ଡିଗ୍ରୀରେ ରହିଛି।

ସମ୍ବଲପୁରରେ ପାରଦ ୭.୩ ଡିଗ୍ରୀ ଥିବା ବେଳେ ବଲାଙ୍ଗିରରେ ୮ ଡିଗ୍ରୀ, ବାଲେଶ୍ୱର ୮.୬ ଡିଗ୍ରୀ, ସୁନ୍ଦରଗଡ଼ ଓ ବାରିପଦାରେ ୯ ଏବଂ କୋରପୁଟରେ ୪.୬ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟପକ୍ଷରେ ଟୁଇନ୍‌ସିଟିରେ ମଧ୍ୟ ଭୀଷଣ ଥଣ୍ଡା ଅନୁଭୂତ ହୋଇଛି। କଟକ ସର୍ବନିମ୍ନ ୮.୮ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱରରେ ୧୨ ଡିଗ୍ରୀ ରେକର୍ଡ ହୋଇଛି।

ଓଡ଼ିଶା ତଥା ଦେଶ ଦୁନିଆର ଟିକିନିଖି ଖବର ପାଇବା ପାଇଁ ଅଗ୍ରଣୀ ନ୍ୟୁଜ୍ ପୋର୍ଟାଲ ‘ଓଡ଼ିଶାଲାଇଭ୍’ର ହ୍ଵାଟ୍ସଆପ୍ ଗ୍ରୁପରେ ଯୋଗ ଦିଅନ୍ତୁ। ଲିଙ୍କ୍ କ୍ଲିକ୍ କରନ୍ତୁ: https://chat.whatsapp.com/IRipWbC83HpD1JetdjgdJX

Comment