ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଲୋକପର୍ବ ‘ଚଇତି’ ଓ ପଲ୍ଲିଶ୍ରୀ ମେଳା ୨୦୧୯ର ଚତୁର୍ଥ ସନ୍ଧ୍ୟାରେ ମୁଖ୍ୟ ଅତିଥି ରୂପେ ହସ୍ତତନ୍ତ୍ର ଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପଦ୍ମିନୀ ଦିଆନ କହିଥିଲେ, ‘‘ରାଜ୍ୟରେ ‘ଚଇତି’ ଗଣପର୍ବ ହେଉଛି ସ୍ୱତନ୍ତ୍ର। ଏହାକୁ ଲୋକେ ସାରା ବର୍ଷ ଅପେକ୍ଷା କରିଥା’ନ୍ତି। ଏହି ମାଟିରେ ସରଳ ଅଦିବାସୀ ଲୋକେ ବସବାସ କରିଥା’ନ୍ତି। ରାଜ୍ୟର କୋଣ ଅନୁକୋଣରୁ ଏଠାକୁ ଦର୍ଶକ ଓ କଳାକାର ଆସିଥା’ନ୍ତି। ‘ଚଇତି’ ଦ୍ୱାରା ଜିଲ୍ଲାର ପର୍ଯ୍ୟଟନର ବିକାଶ ହୋଇପାରିବ। ଏଠାକାର ପର୍ଯ୍ୟଟନ ଓ ଆଦିବାସୀ ପରମ୍ପରା ସମଗ୍ର ଓଡ଼ିଶା ତଥା ସାରା ଦେଶରେ ରାୟଗଡ଼ା ଜିଲ୍ଲାରର ଐତିହ୍ୟକୁ ପରିଚୟ ମିଳିଥାଏ।’’

ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ପ୍ରମୋଦ କୁମାର ବେହାରଙ୍କ ଅଧ୍ୟକ୍ଷତାରେ ‘ଚଇତି’ର ଚତୁର୍ଥ ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ପ୍ରସ୍ତୁତିରେ ଭୁବନେଶ୍ୱରର ପ୍ରଜ୍ଞା ଗ୍ରୁପ୍ ଓ ଭଗବତୀ ଗୋଟିପୁଅ କଳାକେନ୍ଦ୍ରର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଗୋଟିପୁଅ ନୃତ୍ୟ ଶୀତୁଆ ସନ୍ଧ୍ୟାରେ ଦର୍ଶକଙ୍କୁ ବିମୁଗ୍ଧ କରିଥିଲା।

ଅନ୍ୟପଟେ ମଣିପୁରୀ, ଛଉ ଓ ସମ୍ବଲପୁରୀ ନୃତ୍ୟଶିଳ୍ପୀଙ୍କ ଦ୍ଵାରା ନୃତ୍ୟ ପ୍ରଦର୍ଶନ ମଞ୍ଚରେ ରୋମାଞ୍ଚ ଆଣିଥିଲା। ସମ୍ବଲପୁରୀ କଳାକାରଙ୍କ ନୃତ୍ୟର ତାଳେତାଳେ ଝୁମିଲେ ଦର୍ଶକ।

ଏଥିସହିତ ରାୟଗଡ଼ା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା କଳାକାରଙ୍କ ଦ୍ୱାରା ଲୋକନୃତ୍ୟ ମଞ୍ଚସ୍ଥ ହୋଇଥିଲା। ଆଦିବାସୀ ଲୋକନୃତ୍ୟ, ଘୁମୁରା, କନ୍ଧମାଳ ଜିଲ୍ଲାର ପାରମ୍ପରିକ ଆଦିମ ନୃତ୍ୟ ଦର୍ଶକଙ୍କୁ ଚତୁର୍ଥ ଦିନ ଶେଷ ଯାଏଁ ଭରପୂର ମନୋରଞ୍ଜନର ଖୋରାକ ଯୋଗାଇଥିଲା।

‘ଚଇତି’ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଅନୁସୂଚିତ ଜାତି ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା, ପଦ୍ମଶ୍ରୀ ହଳଧର ନାଗ, ସମନ୍ୱିତ ଆଦିବାସୀ ବିକାଶ ପ୍ରକଳ୍ପ ଅଧିକାରୀ ଟୁକୁ ବାରିକ, ଜେକେ କାଗଜ କଳା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଏସ୍‌କେ ନାଥ, ଉତ୍କଳ ଆଲୁମିନା ପ୍ରକଳ୍ପ ମୁଖ୍ୟ ଏନ ନାଗେଶ ଓ ଜିଲ୍ଲା ପ୍ରକଳ୍ପ ଅଧିକାରୀ ଅମୃତ ଋତୁରାଜ ଅନ୍ୟ ପ୍ରମୁଖ ଅଧିକାରୀ ଉପସ୍ଥିତ ରହିଥିଲେ।

ଏହି ଅବସରରେ ଜିଲ୍ଲାପାଳ ପ୍ରମୋଦ କୁମାର ସ୍ମୃତି ମାନପତ୍ର ଦେଇ ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

LEAVE A REPLY

Please enter your comment!
Please enter your name here