ଓଡ଼ିଶାଲାଇଭ୍‌ ବ୍ୟୁରୋ

କିଛିଦିନ ପରେ ନିର୍ଭୟା ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଯିବ। ଜାଣନ୍ତୁ, ଏହାକୁ ନେଇ କ’ଣ କହୁଛନ୍ତି ଲୋକେ।

ନିର୍ଭୟା ଗଣଦୁଷ୍କର୍ମକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ସାଧାରଣ ଲୋକ। ନିର୍ଭୟା ଗଣଦୁଷ୍କର୍ମର ସମସ୍ତ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତାରିଖ ଘୋଷଣା ସରିଛି। ଜାନୁଆରି ୨୨ ତାରିଖରେ ସମସ୍ତ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଯିବ। ଦୋଷୀଙ୍କ ପାଖରେ ଶେଷ ନିଶ୍ଵାସ ପାଇଁ ଆଉ ମାତ୍ର ୧୩ ଦିନ ବାକି ଅଛି। ଏହି ଫାଶୀ ଦଣ୍ଡକୁ ଅପେକ୍ଷା କରି ରହିଛି ସାରା ଦେଶ।

ଏହା ମଧ୍ୟରେ ଫାଶୀକୁ ନେଇ ଲୋକେ କ’ଣ କହୁଛନ୍ତି? ଏହା ଜାଣିବା ପାଇଁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଥିଲା ଓଡ଼ିଶାଲାଇଭ୍‌ ଟିମ୍‌।

“କୋର୍ଟଙ୍କ ନିଷ୍ପତ୍ତି ମୁଁ ବହୁତ ଖୁସି ଅଛି। ହେଲେ ଏହି ନିଷ୍ପତ୍ତି ଆଉ ଟିକେ ଜଲ୍‌ଦି ନେବାର ଥିଲା। ଗୋଟେ ନିରୀହ ଝିଅକୁ ନ୍ୟାୟ ଦେବାକୁ ୭ ବର୍ଷ ଲାଗିଗଲା। ଏହି ପ୍ରକ୍ରିୟା ଆଉ ଟିକେ କମ୍‌ ଦିନରେ ହୋଇଯାଇଥିଲେ ଭଲ ଲାଗିଥାନ୍ତା” କହିଛନ୍ତି ଭୁବନେଶ୍ଵରର ଜଣେ ସାଧାରଣ ଜନତା।

ଦୁଷ୍କର୍ମ ଭଳି ଅପରାଧରେ ନ୍ୟାୟ ଜଲଦି ମିଳିବା ଦରକାର। ଶୁଣାଣିରେ ବିଳମ୍ଵ ହେଉଥିବାରୁ ଅପରାଧୀଙ୍କ ମନରେ ଡର ରହୁନାହିଁ। ଏଭଳି ଅପରାଧରେ ଦୋଷୀଙ୍କୁ ଦଣ୍ଡ ଶୀଘ୍ର ମିଳିବା ପାଇଁ ସରକାରଙ୍କୁ ଏ ଦିଗରେ ଦୃଷ୍ଟି ଦେବା ଦରକାର ବୋଲି ଜଣେ ମହିଳା ନିଜ ମତ ଦେଇଛନ୍ତି।

ଗୋଟିଏ ପଟରେ ୭ ବର୍ଷ ପରେ ନ୍ୟାୟ ଓ ଅନ୍ୟ ପଟେ ହାଇଦ୍ରାବାଦରେ ଦୋଷୀଙ୍କୁ ପୋଲିସର ଏନକାଉଣ୍ଟର ଏହି ଘଟଣାରେ କେଉଁ ନ୍ୟାୟ ଠିକ? ଏହା ଉପରେ ଲୋକେ କ’ଣ କହୁଛନ୍ତି? ଓଡ଼ିଶାଲାଇଭ୍‌ ଟିମ୍‌କୁ ଏଭିଳି କିଛି ପ୍ରଶ୍ନର ଉତ୍ତର ଦେଇଥିଲେ ସାଧାରଣ ଜନତା।

ହାଇଦ୍ରାବାଦ ଏନକାଉଣ୍ଟର ସଂପୂର୍ଣ୍ଣ ଭୁଲ। କାରଣ ପୋଲିସର କୌଣସି ଅଧିକାର ନାହିଁ କାହାକୁ ଏନକାଉଣ୍ଟର କରି ମାରିବା। ଯଦି ଏମିତି ହୁଏ ତ ପୋଲିସ ସମସ୍ତଙ୍କୁ ଏନକାଉଣ୍ଟର କରିବ। ଆଇନ ଉପରେ କାହାର ବିଶ୍ଵାସ ରହିବ ନାହିଁ। ତେଣୁ ଆଇନ ଉପରେ ବିଶ୍ଵାସ କରି ରହିଲେ ସଠିକ ନ୍ୟାୟ ମିଳିବ ବୋଲି ଜଣେ ଜନତା ନିଜ ମତ ପ୍ରକାଶ କରିଥିଲେ।

କେହି ଏହି ଏନକାଉଣ୍ଟରକୁ ବିରୋଧ କରିଥିଲା ବେଳେ ଆଉ କିଏ ଏନକାଉଣ୍ଟରକୁ ସମର୍ଥନ ଜଣାଇଥିଲେ। ଜଣେ ଜନତା ଏହାକୁ ସମର୍ଥନ ଜଣାଇ କହିଥିଲେ ଯେ, ଏମିତି ଏନକାଉଣ୍ଟର ହେଲେ ଅପରାଧୀଙ୍କ ଭୟ ରହିବ ଆଉ ଝିଅମାନେ ମଧ୍ୟ ଜାଣିବେ ତାଙ୍କ ପ୍ରତି ଭୁଲ ହେଲେ ତାଙ୍କୁ ନ୍ୟାୟ ମିଳି ପାରିବ।

ନିକଟରେ କମିସନରେଟ ପୋଲିସ ମହିଳା ସୁରକ୍ଷା ପାଇଁ ଏସ୍‌ପିଓ ନିଯୁକ୍ତି କରିବେ ବୋଲି ନିଷ୍ପତ୍ତି ନେଇଥିଲେ। ଏହାକୁ ନେଇ କିଛି ଜନତା ନିଜ ମତ ରଖିଥିଲେ।

ପୂର୍ବରୁ ମଧ୍ୟ ବହୁତ ପ୍ରକାର ଯୋଜନା ବାହାରିଛି। ହେଲେ କିଛି ହୋଇପାରୁ ନାହିଁ। ତେଣୁ ଯେଉଁ ପର୍ଯ୍ୟନ୍ତ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିନାହିଁ କିଛି ହୋଇପାରିବ ନାହିଁ। ତେଣୁ ଆଗ ମାନସିକତା ପରିବର୍ତ୍ତନ ପାଇଁ ସଚେତନ କରାଯାଉ ବୋଲି ଜଣେ ମହିଳା କହିଛନ୍ତି।

LEAVE A REPLY

Please enter your comment!
Please enter your name here