ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ବୌଦ୍ଧ ବିଧାନସଭା ନିର୍ବାଚନୀ ମାମଲାକୁ ଶୁଣାଣି ପୂର୍ବରୁ ଖାରଜ କରିବା ନେଇ ଶୁକ୍ରବାର ବିଧାୟକ ପ୍ରଦୀପ କୁମାର ଅମାତଙ୍କ ପକ୍ଷରୁ ଏକ ପିଟିସନ୍ ଦାଖଲ କରାଯାଇଛି। ଏହି ପିଟିସନ୍ ଦାଖଲ ପରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ କେ ଆର ମହାପାତ୍ର ମାମଲାର ଶୁଣାଣିକୁ ଆସନ୍ତା ଫେବ୍ରୁଆରି ୫ ତାରିଖକୁ ଧାର୍ଯ୍ୟ କରିଛନ୍ତି।

ଆବେଦନକାରୀ ଶ୍ରୀ ପ୍ରଧାନ ଗତ ବିଧାନସଭା ନିର୍ବାଚନରେ ବୌଦ୍ଧରୁ ବିଜେପିରୁ ପ୍ରାର୍ଥୀ ହୋଇ ହାରିଥିଲେ। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ପ୍ରଦୀପ କୁମାର ଅମାତ ବିଜୟ ଲାଭ କରିଥିଲେ। ନିର୍ବାଚନ ପରିଚାଳନାରେ ତ୍ରୁଟି ପାଇଁ ଏଭଳି ଘଟିଲା ବୋଲି ଦର୍ଶାଇ ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିବା ସହ ବିଧାୟକ ପଦବୀ ରବ୍ଦ ପାଇଁ ନିବେଦନ କରିଥିଲେ।

ଏହି ମାମଲାରେ ହାଇକୋର୍ଟ ବିଧାୟକଙ୍କୁ ଜବାବ ଦାଖଲ ଲାଗି ନୋଟିସ୍ ଜାରି କରିଥିଲେ। ଏହି ନୋଟିସର ଜବାବ ରଖିବା ପରେ ବିଧାୟକଙ୍କ ପକ୍ଷରୁ ଏହି ମାମଲାର କୌଣସି ବୈଧତା ନଥିବା ଦର୍ଶାଇ ଆଜି ଏକ ପିଟିସନ୍ ଦାଖଲ କରାଯାଇଛି। ତେଣୁ ମାମଲାକୁ ଶୁଣାଣି ପୂର୍ବରୁ ଅଦାଲତ ଖାରଜ କରିବାକୁ ବିଧାୟକଙ୍କ ପକ୍ଷରୁ ଅଦାଲତଙ୍କୁ ପ୍ରାର୍ଥନା କରାଯାଇଛି। ବିଧାୟକଙ୍କ ପକ୍ଷରୁ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟ ପ୍ରସାଦ ମିଶ୍ର ପରିଚାଳନା କରୁଥିଲେ।

Comment