ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ‘‘ମୋ ସ୍ୱାମୀଙ୍କ ଗିରଫଦାରୀ ପଛରେ ବଡ ଧରଣର ଷଡ଼ଯନ୍ତ୍ର ରହିଛି। ଭିଜିଲାନ୍ସ ୧ଲକ୍ଷ ଟଙ୍କା ଜବତ କରିଛି ବୋଲି ଯେଉଁ ଦାବି କରିଛି ତାହା ସଂପୂର୍ଣ୍ଣ ମିଛ। ସିଧାସଳଖ ଭାବେ ଭିଜିଲାନ୍ସ  କୌଣସି ଟଙ୍କା ଜବତ କରିନାହିଁ’’, ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି ତୁଷିମା ମିଶ୍ର।

ତୁଷିମା ହେଉଛନ୍ତି ଆଇଏଏସ୍‌ ବିଜୟକେତନ ଉପାଧ୍ୟାୟଙ୍କ ସ୍ତ୍ରୀ। ଉଦ୍ୟାନ କୃଷି ବିଭାରେ ଦୁର୍ନୀତି ଅଭିଯୋଗରେ ବିଜୟକେତନଙ୍କୁ ଗିରଫ କରିଛି ଭିଜିଲାନ୍ସ। ଗିରଫ ହେବା ପରେ ଯେଉଁ ଷଡ଼ଯନ୍ତ୍ର କଥା ନିଜେ ବିଜୟକେତନ ଗଣମାଧ୍ୟମ ଆଗରେ କହିଥିଲେ ଆଜି ସେହିକଥା କଟକରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ତାଙ୍କ ସ୍ତ୍ରୀ ତୁଷିମା ମିଶ୍ର।

ତୁଷିମା କହିଛନ୍ତି ଯେ, ସିଧାସଳଖ ଭାବେ ଭିଜିଲାନ୍ସ ବିଜୟକେତନଙ୍କଠାରୁ  କୌଣସି ଟଙ୍କା ଜବତ କରିନାହିଁ। ଭିଜିଲାନ୍ସ ପକ୍ଷରୁ ବିଜୟକେତନଙ୍କ ବାସଭବନ ସମେତ ଅନ୍ୟ କେତେକ ସ୍ଥାନରେ  ଚଢ଼ାଉ କରାଯାଇଥିଲା। କିନ୍ତୁ କୌଣସିଠାରେ ଭିଜିଲାନ୍ସ ଆୟ ବହିର୍ଭୁତ ସମ୍ପତ୍ତି ଠାବ କରିପାରି ନାହିଁ। ଗତ ଡିସେମ୍ବର ୩୦ରେ ବିଜୟକେତନ ଏକ ମିଟିଂରେ ବସିଥିବାବେଳେ ଭିଜିଲାନ୍ସ ତାଙ୍କୁ ଜେରା କରିବାକୁ କହି ଡାକି ଆଣିଥିଲା। ଏପରିକି ଘର ଯାଞ୍ଚ୍ ବେଳେ ଭିଜିଲାନ୍ସ ଟିମ୍ କୌଣସି ସର୍ଚ୍ଚ ୱାରେଣ୍ଟ ଦେଇ ପାରିନଥିଲେ।

ଘର ସର୍ଚ୍ଚ ଚାଲିଥିବାବେଳେ ଅପରାହ୍‌ଣ ସାଢେ ୨ଟା ସୁଦ୍ଧା ବିଜୟଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା। ସଂପତ୍ତି ଜବତ ନେଇ ଭିଜିଲାନ୍ସର ସମସ୍ତ ଅଭିଯୋଗ ଭିତ୍ତିହୀନ ତଥା ମନଗଢା କାହାଣୀ। କେବଳ ବିଜୟକେତନଙ୍କୁ ବଦନାମ୍ କରିବା ଲାଗି ଭିଜିଲାନ୍ସ ଏଭଳି ଏକ ଷଡଯନ୍ତ୍ର କରିଛି ବୋଲି ତୁଷିମା କହିଛନ୍ତି।

ତୁଷିମା ଆହୁରି ସାଂଘାତିକ ଅଭିଯୋଗ କରିଛନ୍ତି। ଆଇଏଏସ୍‌ମାନଙ୍କ ଭିତରେ ଭାଗ ଭାଗ ହୋଇଥିବା ସେ କହିଛନ୍ତି। ଓଡ଼ିଆ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ଅଣ ଓଡ଼ିଆ ଅଫିସରମାନେ ଷଡ଼ଯନ୍ତ୍ର କରୁଥିବା ତୁଷିମା ଅଭିଯୋଗ ଆଣିଛନ୍ତି।

Comment