ଓଡ଼ିଶାଲାଇଭ୍‌ ବ୍ୟୁରୋ

କଟକ: ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ଆଇନଜୀବୀ ସାବିତ୍ରୀ ରଥଙ୍କ ନାମ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିଶ କରିଛନ୍ତି। ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କଲେ ସେ ହାଇକୋର୍ଟ ବିଚାରପତି ଭାବେ ନିଯୁକ୍ତି ପାଇବେ। ସାବିତ୍ରୀ ରଥଙ୍କ ନାମକୁ ଯଦି କେନ୍ଦ୍ର ସରକାର ଅନୁମୋଦନ କରନ୍ତି ତାହେଲେ ସେ ହାଇକୋର୍ଟର ତୃତୀୟ ମହିଳା ବିଚାରପତି ହେବେ।

ହାଇକୋର୍ଟର ସର୍ବପ୍ରଥମ ମହିଳା ବିଚାରପତି ଭାବେ ଜଷ୍ଟିସ୍ ଅମୀୟା କୁମାରୀ ପାଢୀ ନିଯୁକ୍ତି ପାଇଥିଲେ। ସେ ୧୯୮୮ ମସିହାରୁ ୧୯୯୫ ମସିହା ପର୍ଯ୍ୟନ୍ତ ବିଚାରପତି ଭାବେ କାର୍ଯ୍ୟ କରିଥିଲେ। ତାଙ୍କ ପରେ ଦ୍ୱିତୀୟ ମହିଳା ବିଚାରପତି ଭାବେ କୁମାରୀ ଜଷ୍ଟିସ୍ ସଞ୍ଜୁ ପଣ୍ଡା ନିଯୁକ୍ତି ପାଇଥିଲେ। ସେ ଏବେ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି।

ବର୍ତ୍ତମାନ ଅତିରିକ୍ତ ସରକାରୀ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ସାବିତ୍ରୀ ରଥ ହେଉଛନ୍ତି ଓଡିଶାର ପୂର୍ବତନ ପୋଲିସ୍ ଡିଜି ପ୍ରଫୁଲ୍ଲ ରଥଙ୍କ ଝିଅ। କଟକରେ ତାଙ୍କ ସ୍କୁଲ ଶିକ୍ଷା ଶେଷ  ହେବା ପରେ ସେ ଦିଲ୍ଲୀ ଆଇନ ବିଶ୍ୱବିଦ୍ୟାଳୟରେ ସେ ଆଇନ ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ଭାବେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ।

ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ତଥା ବର୍ତ୍ତମାନର ଗୋଆ ରାଜ୍ୟ ମାନବାଧିକାର କମିସନ ଅଧ୍ୟକ୍ଷ ଥିବା ପ୍ରଫୁଲ୍ଲ ମିଶ୍ରଙ୍କ ନିକଟରେ ସେ ଆଇନଜୀବୀ ଭାବେ କାମ ଆରମ୍ଭ କରିଥିଲେ। ପରେ ସେ ଭିଜିଲାନ୍ସର ଓକିଲ ଭାବେ କାର୍ଯ୍ୟ କରିଥିଲେ। ହାଇକୋର୍ଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲା ପରିଚାଳନା କରିଥିବା ସାବିତ୍ରୀ ରଥଙ୍କୁ ବିଚାରପତି ଭାବେ ନିଯୁକ୍ତି ପାଇଲେ ଓଡ଼ିଶା ହାଇକୋର୍ଟ ବିଚାରପତି ସଂଖ୍ୟା ୧୪ରେ ପହଞ୍ଚିବ।

Comment