ଓଡ଼ିଶାଲାଇଭ୍ ବ୍ୟୁରୋ
କଟକ: ଏସ୍ସିବି ମେଡିକାଲ ସମ୍ପ୍ରସାରଣ କାର୍ଯ୍ୟକୁ ଆଗେଇ ନେବା ପାଇଁ ପ୍ରଶାସନ ପକ୍ଷରୁ ଏବେ ଉଦ୍ୟମ ଜାରି ରହିଛି। ଏଥିଲାଗି ଜିଲ୍ଲା ପ୍ରଶାସନ ସମେତ ସରକାରଙ୍କ ସ୍ତରରେ କାର୍ଯ୍ୟ ସମୀକ୍ଷା ଚାଲିଛି। ଏନେଇ ବୁଧବାର କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଆର୍ଡିସି ଅନିଲ୍ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଉଚ୍ଛେଦ କାର୍ଯ୍ୟକୁ ଶାନ୍ତିଶୃଙ୍ଖଳାର ସହ ଆଗେଇ ନେବା ପାଇଁ ପ୍ରଶାସନର ପଦକ୍ଷେପ ରହିବ ସେ ସମ୍ପର୍କରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଏସ୍ସିବି ସମ୍ପ୍ରସାରଣ ଲାଗି ଆବଶ୍ୟକ ଥିବା ସରକାରୀ ଜମିରୁ ପ୍ରଶାସନ ଦଖଲ ନେବା ପାଇଁ କି ପ୍ରକାର ପଦକ୍ଷେପ ନେଉଛି କେତେ ଜମି ଉଚ୍ଛେଦ କରାଯାଇଛି ଏବଂ ବିସ୍ଥାପିତଙ୍କୁ ଥଇଥାନ କରାଯାଇଛି ସେ ସମ୍ପର୍କରେ ପ୍ରତ୍ୟେହ ସନ୍ଧ୍ୟାରେ ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ସମୀକ୍ଷା ହେବ। ଜିଲ୍ଲାପାଳ ଅଧ୍ୟକ୍ଷତାରେ ଆୟୋଜିତ ହେବାକୁ ଥିବା ଏହି ସମୀକ୍ଷା ବୈଠକରେ ସିଏମ୍ସି, ରାଜସ୍ୱ, ମହାନଦୀ ସାଉଥ୍ ଡିଭିଜନ୍, ବ୍ୟାରେଜ୍ ଡିଭିଜନ୍ ବିଭାଗ ସମେତ ଅନ୍ୟାନ୍ୟ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଉପସ୍ଥିତ ରହି ସେମାନଙ୍କର ରିପୋର୍ଟ ପ୍ରଦାନ କରିବେ ବୋଲି ଆରଡିସି ଶ୍ରୀ ସାମଲ କହିଛନ୍ତି।
ଜିଲ୍ଲାପାଳ ପ୍ରତିଦିନ ସନ୍ଧ୍ୟାରେ ସମୀକ୍ଷା କରି ଉକ୍ତ ରିପୋର୍ଟ ଆରଡିସିଙ୍କୁ ପଠାଇବେ ବୋଲି ସୂଚନା ମିଳିଛି। ସେହିପରି ବିସ୍ଥାପିତ ହେଉଥିବା ବସ୍ତିବାସିନ୍ଦାଙ୍କ ରହିବା ଲାଗି ସ୍ଥିର ହୋଇଥିବା ନିମପୁରସ୍ଥିତ ପିଇବା ପାଣି, ଶୌଚାଳୟ ଆଦି ବନ୍ଦୋବସ୍ତ କରିବା ପାଇଁ ଆର୍ଡିସି ସିଏମ୍ସି କମିସନରଙ୍କୁ ନିର୍ଦ୍ଦେଶ ହୋଇଛନ୍ତି। ଉକ୍ତ କାର୍ଯ୍ୟ ୧୫ ଦିନ ମଧ୍ୟରେ ସାରିବା ପାଇଁ ସିଏମ୍ସିକୁ କୁହାଯାଇଛି।
ଏସ୍ସିବି ସମ୍ପ୍ରସାରଣ ଲାଗି ସ୍ଥିର ହୋଇଥିବା ଜାଗା ମଧ୍ୟରୁ କେତେ ଜାଗା ଅଧିଗ୍ରହଣ କରାଯାଇଛି ଏବଂ କେଉଁ ବିଭାଗର କେତେ ସରକାରୀ ଜାଗା ଜବର ଦଖଲ ହୋଇରହିଛି, କେତେ କ୍ୱାର୍ଟର୍ସ ରହିଛି ସେ ସମ୍ପର୍କରେ ୭ ଦିନ ମଧ୍ୟରେ ସର୍ଭେ କରି ରିପୋର୍ଟ ନେବା ପାଇଁ ଆରଡିସି ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛି। ସେହିପରି କେତେ ବସ୍ତି ରହିଛି ସେ ସମ୍ପର୍କରେ ମଧ୍ୟ ତାଲିକା ନେବା ପାଇଁ ଆରଡିସି ନିର୍ଦ୍ଦେଶ ଦେଇଛନ୍ତି। ଆଜି ଯୋବ୍ରା ଖଲାସୀ ଲେନ୍ ଅଞ୍ଚଳରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ଜଳସମ୍ପଦ ବିଭାଗର ଥିବା ଦୀର୍ଘ ବର୍ଷର ପୁରୁଣା ୱାର୍କସପ ସମେତ କେତେକ ଅରିତ୍ୟକ୍ତ ଘରକୁ ପ୍ରଶାସନ ପକ୍ଷରୁ ବୁଧବାର ଭାଙ୍ଗି ଦିଆଯାଇଛି । ଯୋବ୍ରା କେନାଲ ରୋଡରେ ସିଏମ୍ସିର ଥିବା କେତେକ ପିଣ୍ଡିଗୁଡ଼ିକୁ ମଧ୍ୟ ଉଚ୍ଛେଦ କରାଯାଇଛି ।