ଓଡ଼ିଶାଲାଇଭ୍‌ ବ୍ୟୁରୋ

(କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ): ପୁଣି ଅଡୁଆରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଅନୁଭବଙ୍କ ନାଁରେ ଥାନାରେ ଏତଲା। ନିର୍ବାଚନ ସମୟରେ ତିଆରି ହୋଇଥିବା ଫ୍ଲେକ୍ସ ଓ ପୋଷ୍ଟର ବାବଦକୁ ବାକି ଟଙ୍କା ଦେଇ ନଥିବାରୁ ତାଙ୍କ ନାଁରେ ଥାନାରେ ଏତଲା ଦେଇଛନ୍ତି ସ୍ମୃତି ରଞ୍ଜନ ସ୍ଵାଇଁ ନାମକ ଜଣେ ବ୍ୟବସାୟୀ।

କେନ୍ଦ୍ରାପଡ଼ା ସଦରଥାନା ଗରାପୁରଠାରେ ବଳଦେବଜିୟୁ ଆଡ୍ ମିଡିଆ ନାମରେ ଏକ ଫ୍ଲେସ ପ୍ରିଣ୍ଟିଂ ବ୍ୟବସାୟ କରିଛନ୍ତି ଗରାପୁର ଗାଁର ସ୍ମୃତି ରଞ୍ଜନ ସ୍ଵାଇଁ। ସ୍ମୃତି ରଞ୍ଜନ କେନ୍ଦ୍ରାପଡ଼ା ସଦର ଥାନାରେ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ଏକ ଅଭିଯୋଗ କରିଛନ୍ତି।

ସ୍ମୃତିଙ୍କ ଅଭିଯୋଗ ଅନୁସାରେ ଗତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଅନୁଭବ ମହାନ୍ତି ବିଜୁ ଜନତାଦଳର ପ୍ରାର୍ଥୀ ହୋଇ ନିର୍ବାଚନ ଲଢୁଥିଲେ। ସେହି ନିର୍ବାଚନରେ ଅନୁଭବ ବ୍ୟାନର, ପୋଷ୍ଟର, ଷ୍ଟିକର, ହୋର୍ଡିଂ ଆଦି ବାବଦକୁ ୩୨ ଲକ୍ଷ ୫୬ ହଜାର ୪୦୦ ଟଙ୍କାର କାମ କରାଇଥିଲେ।

ଅନୁଭବ ୩ଟି କିସ୍ତିରେ ତାଙ୍କୁ ୨୧ଲକ୍ଷ ୧୦ ହଜାର ୯୬୧ ଟଙ୍କା ଦେଇଛନ୍ତି। ବାକି ୧୧ ଲକ୍ଷ ୪୫ ହଜାର ୪୩୯ ଟଙ୍କା ଅନୁଭବ ତାଙ୍କୁ ପରେ ଦେଇଦେବାକୁ କହିଥିଲେ। ହେଲେ ସାଂସଦ ଭାବେ ନିର୍ବାଚିତ ହୋଇ ସାରିବା ପରେ ବାକି ଟଙ୍କା ଦେବାକୁ କହି ଆଉ ଦେଉ ନାହାନ୍ତି। ବାରମ୍ବାର ସ୍ମୃତି ରଞ୍ଜନ ଅନୁଭବଙ୍କୁ ମାଗି ମାଗି ନିରାଶ ହେବା ପରେ ସେ ଆଜି ପୋଲିସର ସହାୟତା ଲୋଡ଼ିଛନ୍ତି।

ଏହି ଅଭିଯୋଗର ନକଲ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରାପଡ଼ା ଏସପି ଓ କେନ୍ଦ୍ରାପଡ଼ା ଏସଡିପିଓଙ୍କ ନିକଟକୁ ପଠାଇଛନ୍ତି। ଏନେଇ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

Comment