ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀମନ୍ଦିର ପାଣ୍ଠିର ସମସ୍ତ ଟଙ୍କାକୁ ଏଣିକି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ। ପୂର୍ବଭଳି ଘରୋଇ ବ୍ୟାଙ୍କରେ ଆଉ ଏହି ଟଙ୍କା ରହିବ ନାହିଁ। ବୁଧବାର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

ଏଥିସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ ଏଥିପାଇଁ ବ୍ୟାଙ୍କମାନଙ୍କୁ ଆବେଦନ କରିବାକୁ ପଡ଼ିବ। ଯେଉଁ ବ୍ୟାଙ୍କ ସବୁଠୁ ଅଧିକ ସୁଧ ଦେବ ବୋଲି କହିବ ସେହି ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠିର ୫୦ ପ୍ରତିଶତ ଅର୍ଥ ରଖାଯିବ।

ସେହିପରି ଏହା ତଳକୁ ଯେଉଁ ଦୁଇଟି ବ୍ୟାଙ୍କ ଅଧିକ ସୁଧ ଦେବେ ବୋଲି ପ୍ରତିଶ୍ରୁତି ଦେବେ ସେହି ବ୍ୟାଙ୍କରେ ବାକି ୫୦ ପ୍ରତିଶତ ଅର୍ଥ ରଖାଯିବ। ଏହିପରି ଭାବେ ମୋଟ ୩ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ଶ୍ରୀମନ୍ଦିର ପାଣ୍ଠିକୁ ରଖାଯିବ। ଏଥିସହିତ ଶ୍ରୀମନ୍ଦିର ହୁଣ୍ଡିରୁ ସଂଗୃହୀତ ହେଉଥିବା ଟଙ୍କାକୁ କେବଳ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରଖାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି।

ଏଥିସହିତ ମୁମ୍ବାଇରେ ଆୟୋଜିତ ହୋଇଥିବା ଅଦିନିଆ ରଥାଯାତ୍ରାକୁ ନେଇ ବୈଠକରେ ଆଲୋଚନା ହୋଇଥିବା ସେ କହିଛନ୍ତି। ଖୁବଶୀଘ୍ର ଗଜପତି ମହାରାଜ ଦିବ୍ୟସିଂହ ଦେବ ଇସ୍କନ ମୁଖ୍ୟଙ୍କୁ ଭେଟି ଏସମ୍ବନ୍ଧରେ ଆଲୋଚନା କରିବେ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି।

Comment