ଓଡ଼ିଶାଲାଇଭ୍‌ ବ୍ୟୁରୋ  

ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କ ରହସ୍ୟ ଜନକ ମୃତ୍ୟୁ ଘଟଣା ଉପରୁ ହଟି ପାରୁନି ପରଦା। ହତ୍ୟାକାଣ୍ଡକୁ ୫ ଦିନ ବିତିଥିଲେ ବି ପୋଲିସ ଏପର୍ଯ୍ୟନ୍ତ ତଦନ୍ତ କରୁନି ବୋଲି ଅଭିଯୋଗ କରିଛନ୍ତି ରାଜ୍ୟ ସୂଚନା ଅଧିକାର ଅଭିଯାନର ଆବାହକ ପ୍ରଦୀପ ପ୍ରଧାନ। ହେଲେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ରଞ୍ଜନଙ୍କର ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

ପ୍ରଦୀପ ପ୍ରଧାନ ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି, “କେନ୍ଦ୍ରାପଡ଼ା ଜିଲ୍ଲାର ସୂଚନାଅଧିକାର କର୍ମୀ ରଞ୍ଜନ ଦାସଙ୍କ ହତ୍ୟା ଘଟଣାରେ ରାଜନେତାଙ୍କ ଚାପରେ ପୋଲିସ୍ ଚୁପ ବସିଛି। ତଦନ୍ତର ନା ଧରୁନି। କେନ୍ଦ୍ରାପଡ଼ା ପୋଲିସ ଉପରୁ ଭରସା ମଧ୍ୟ ତୁଟିଲାଣି। ରଞ୍ଜନଙ୍କ ହତ୍ୟା ଘଟଣାରେ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ଏକ ଟିମ୍ ଦ୍ଵାରା ତଦନ୍ତ କରିବାକୁ ଓଡିଶା ସୂଚନାଅଧିକାର ଅଭିଯାନ ପକ୍ଷରୁ ପୋଲିସ ଡିଜିଙ୍କ ନିକଟରେ ଅଭିଯୋଗ କରାଯିବ।“

କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ବେରୁହାଁ ଗାଁ ନିକଟରେ ଫେବ୍ରୁଆରି ୧ ତାରିଖ ସକାଳେ ଜଣେ ଯୁବକର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ। ଏନେଇ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବାରୁ ତାହା ସୂଚନା ଅଧିକାର କର୍ମୀ ରଞ୍ଜନ ଦାସଙ୍କର ବୋଲି ଜଣାପଡ଼ିଥିଲା। ରଞ୍ଜନଙ୍କୁ କେହି ଦୁର୍ବୃତ୍ତ ହତ୍ୟାକରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଇଥିଲା।

କଟକ ଏସ୍‌ସିବିରୁ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ପୋଲିସ ସୂଚନା ଦେଇଥିଲା।

Comment