ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଆଜିଠୁ ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଚାଲିବ ଧଉଳି-କଳିଙ୍ଗ ମହୋତ୍ସବ
  • ୧୨ ତାରିଖ ଯାଏଁ ଚାଲିବ ମହୋତ୍ସବ
  • ପଲ୍ଲବୀ ନୃତ୍ୟରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି
  • ରମା ବୈଦ୍ୟନାଥ ଓ ସାଥୀମାନଙ୍କ ଦ୍ୱାରା ଭାରତନାଟ୍ୟମ ପରିବେଷଣ
  • ବିଭୂଦତ୍ତ ଓ ସାଥୀମାନେ ପରିବେଷଣ କରିବେ ଛଉ ନୃତ୍ୟ

ଆଜି ସନ୍ଧ୍ୟାରୁ ଆରମ୍ଭ ହେବ ଧଉଳି-କଳିଙ୍ଗ ମେହୋତ୍ସବ। ଶାନ୍ତିସ୍ତୁପ ଧଉଳି ପାଦଦେଶରେ ଏହି ମହୋତ୍ସବ ତିନି ଦିନ ଧରି ଚାଲିବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଆୟୋଜିତ ଏହି ମହୋତ୍ସବ ୧୨ ତାରିଖରେ ଉଦ୍‌ଯାପିତ ହେବ। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ଏହି ମହୋତ୍ସବକୁ ସହଯୋଗ କରିଆସୁଛି।

ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଗୁରୁ କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହେବ। ଓଡ଼ିଶା ଡ୍ୟାନ୍ସ ଏକାଡେମୀ ଓ ସୃଜନର ନୃତ୍ୟ ଶିଳ୍ପୀମାନେ ପଲ୍ଲବୀ ନୃତ୍ୟ ପରିବେଷଣ କରି କେଳୁଚରଣ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ।

ଦ୍ଵିତୀୟ ପର୍ଯ୍ୟାୟରେ ନୂଆଦିଲ୍ଲୀରୁ ଆସିଥିବା ରମା ବୈଦ୍ୟନାଥ ଓ ସାଥୀମାନେ ଭାରତନାଟ୍ୟମ ପରିବେଷଣ କରିବେ। ରମା ବୈଦ୍ୟଦାଥନ ଭାରତନାଟ୍ୟମରେ ଏକ ସମ୍ମାନସ୍ପଦ ନାମ। ତାଙ୍କ ନୃତ୍ୟ ଦେଖି ଲୋକ ହୁଅନ୍ତି ବିଭୋର। ସିଙ୍ଗାପୁରଠୁ ଆରମ୍ଭ କରି ଆମେରିକା ପର୍ଯ୍ୟନ୍ତ ସବୁଠି ତାଙ୍କ ନୃତ୍ୟ ଦେଖିବାକୁ ଲୋକଙ୍କ ଆଗ୍ରହ ଦେଖାଯାଇଥାଏ।

ଏହା ବ୍ୟତୀତ ପ୍ରଥମ ସନ୍ଧ୍ୟାରେ ଛଉ ନୃତ୍ୟ ପରିବେଷଣ କରାଯିବ। ତୃତୀୟ ପର୍ଯ୍ୟାୟରେ ବିଭୂଦତ୍ତ ଓ ସାଥୀମାନେ ଛଉ ନୃତ୍ୟ ପରିବେଷଣ କରିବେ।

ଧଉଳି-କଳିଙ୍ଗ ମହୋତ୍ସବ ୨୦୦୩ ମସିହାରୁ ଶାନ୍ତିସ୍ତୂପ ଧଉଳି ପାଦଦେଶରେ ଅନୁଷ୍ଠିତ ହୋଇ ଆସୁଛି। ପୂର୍ବରୁ ଓଡ଼ିଶାରେ କେବଳ କୋଣାର୍କ ମହୋତ୍ସବ ହେଉଥିଲା। ଅନ୍ୟ କୌଣସି ମହୋତ୍ସବ ଯେତେବେଳେ ଆରମ୍ଭ ହୋଇ ନଥିଲା ସେତେବେଳେ ଧଉଳି କଳିଙ୍ଗ ମହୋତ୍ସବ ଆରମ୍ଭ ହୋଇଥିଲା।

ଧଉଳି-କଳିଙ୍ଗ ମହୋତ୍ସବ ବର୍ତ୍ତମାନ ଦେଶର ଅନ୍ୟ ଡ୍ୟାନ୍ସ ଫେଷ୍ଟିଭାଲ୍ ଭିତରେ ଏକ ଅଗ୍ରଣୀ ଫେଷ୍ଟିଭାଲ୍ ଭାବେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛି। ରାଜ୍ୟ ଓ ଦେଶର ବିଭିନ୍ନ ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ଲୋକନୃତ୍ୟ ସହ ସମରକଳାର ଅପୂର୍ବ ସମ୍ମିଶ୍ରଣ ଏହି ମଞ୍ଚରେ ପ୍ରତିବର୍ଷ ଅନୁଷ୍ଠିତ ହୋଇ ଆସୁଅଛି।

ଚଳିତବର୍ଷ ଓଡ଼ିଶୀ ସଙ୍ଗୀତ ଗୁରୁ ଘନଶ୍ୟାମ ପଣ୍ଡା, ଓଡ଼ିଶୀ ନୃତ୍ୟାଙ୍ଗନା ଆଲୋକା କାନୁନଗୋ, ପ୍ରବାସୀ ଓଡ଼ିଆ ଓ ଓଡ଼ିଶୀ ନୃତ୍ୟର ଅନ୍ୟତମ ପୃଷ୍ଠପୋଷକ ଦେବୀ ମିଶ୍ର, ନିରଞ୍ଜନ ତ୍ରିପାଠୀ ଓ ସ୍ଵାତୀ ତ୍ରିପାଠୀ ଏବଂ ଜୟଦେବ ଦାସଙ୍କୁ ଗୁରୁଗଙ୍ଗାଧର ପ୍ରଧାନ ସ୍ମୃତି ସମ୍ମାନରେ ସମ୍ମାନିତ କରାଯିବ।

ଧଉଳି-କଳିଙ୍ଗ ମହୋତ୍ସବରେ ‘ଓଡ଼ିଶାଲାଇଭ୍‌’ ଡିଜିଟାଲ ମିଡିଆ ପାର୍ଟନର୍‌ ରହିଛି।

Comment