ଓଡ଼ିଶାଲାଇଭ୍‌ ବ୍ୟୁରୋ

ଧଉଳି-କଳିଙ୍ଗ ମହୋତ୍ସବର ଅନ୍ତିମ ସନ୍ଧ୍ୟାରେ ଭାରତର ଶାସ୍ତ୍ରୀୟ ନୃତ୍ୟରେ ଶାନ୍ତି, ପ୍ରେମର ବାଣୀ, ସମରକଳାର ପରକାଷ୍ଠା ସହିତ ଇତିହାସର ଗୌରବ ପରିବେଷିତ।

ରାଜ୍ୟ ପର୍ଯ୍ୟଟନ ବିଭାଗ ଦ୍ୱାରା ପରିଚାଳିତ ଏବଂ ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ ଓ ଆର୍ଟ ଭିଜନର ମିଳିତ ଉଦ୍ୟମରେ ଆୟୋଜିତ ୧୫ତମ ଧଉଳି ମଳିଙ୍ଗ-ମହୋତ୍ସବର ରବିବାର ଥିଲା ଶେଷ ସନ୍ଧ୍ୟା।

ସନ୍ଧ୍ୟାର ପ୍ରଥମ ଚରଣରେ ଥିଲା ଭାରତର ବିଶିଷ୍ଟ ଶାସ୍ତ୍ରୀୟ ନୃତ୍ୟ ଓଡ଼ିଶୀ କାର୍ଯ୍ୟକ୍ରମ। ବାଙ୍ଗାଲୋରରୁ ଆସିଥିବା ମଧୁଲିତା ମହାପାତ୍ର ଓ ସାଥୀଙ୍କ ଦ୍ୱାରା ପ୍ରଥମେ ଶିଭମ ଧିମାହୀ ପରେ ପରେ ହରି ସ୍ମରଣମ ମାଡ଼ୋ ପରିବେଶିତ ହୋଇଥିଲା। ଏହି ନୃତ୍ୟକୁ ସଂରଚନା କରିଥିଲେ ମଧୁଲିତା ମହାପାତ୍ର।

ପରବର୍ତ୍ତୀ ପ୍ରସ୍ତୁତିରେ ଥିଲା ନୂଆଦିଲ୍ଲୀରୁ ଆସିଥିବା ରାଣି ଖନ୍ନମ ଓ ସାଥୀଙ୍କ ଦ୍ୱାରା ପ୍ରଥମେ ନାଚତ ସୁଧାଙ୍ଗ ଶ୍ରୀ ନନ୍ଦ ନନ୍ଦନ ପରେ ପରେ ଯୁମୁନାଷ୍ଟକମ ପରିବେଶିତ ହୋଇଥିଲା ଯେଉଁଥିରେ କଥକ ନୃତ୍ୟର ସୌନ୍ଦର୍ଯ୍ୟ ବିଭାବ ଏବଂ ତାତ୍ତ୍ୱିକ ବିଶ୍ଳେଷଣକୁ କଳାକାରମାନେ ଅତି ଚମତ୍କାର ଭାବେ ପରିବେଷଣ କରି ସମସ୍ତଙ୍କୁ ବିମୋହିତ କରିଥିଲେ।

ଅନ୍ତିମ ସନ୍ଧ୍ୟାର ପରବର୍ତ୍ତୀ ପ୍ରସ୍ତୁତିଟି ଥିଲା କେରଳରୁ ଆସିଥିବା ଶ୍ରୀଜିତ ଟି.ଆର ଓ ସାଥୀଙ୍କ ଦ୍ୱାରା ସମକାଳ ନୃତ୍ୟ କଲାରି ପାଇଟୁ। ନିରବତାର ଭଙ୍ଗୁରତା ବିପଦର ଅସ୍ଥିରତା ଏବଂ ଗତିଚଳନର ଏକ ଅପୂର୍ବ ସମନ୍ୱୟ ଏହି ନୃତ୍ୟ ମାଧ୍ୟମରେ ପ୍ରତିଫଳିତ ହୋଇଥିଲା।

ଅନ୍ତିମ ସଂଧ୍ୟାର ଅନ୍ତିମ ପ୍ରସ୍ତୁତିରେ ଥିଲା ଭୁବନେଶ୍ୱରର ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀ, ବାଙ୍ଗାଲୋରର କର୍ଣ୍ଣକୁପିୟା କ୍ରିଏସନ ଓ କଟକର ମୋକ୍ଷ ଅନୁଷ୍ଠାନର ମହମଦ ସୈଫୁଲ ହକଙ୍କ ମିଳିତ ସହଯୋଗରେ ଏକ ଅଭିନ୍ନ ନୃତ୍ୟ କାର୍ଯ୍ୟକ୍ରମ ‘ମେକ ଇନ ଓଡ଼ିଶା’। ଓଡ଼ିଶାର ଐତିହାସିକ ଗୌରବ ଓ ଉଚ୍ଚକୋଟିର କଳାକୁ ସେମାନେ ତାଙ୍କ ନୃତ୍ୟ ମାଧ୍ୟମରେ ପ୍ରତିପାଦିତ କରିଥିଲେ। ଓଡ଼ିଶୀ ସହିତ ସମକାଳୀନ ଓ ଆଧୁନିକ ନୃତ୍ୟରେ ପ୍ରସ୍ତୁତ ଏହି ଫ୍ୟୁଜନ ବେଶ ଚମତ୍କାର ଓ ଚିତ୍ତାକର୍ଷକ ଥିଲା ଯାହାକୁ ଦର୍ଶକ ଶେଷ ପର୍ଯ୍ୟନ୍ତ ରହି ଉପଭୋଗ କରିଥିଲେ।

ଉଦ୍‌ଯାପନୀ ସନ୍ଧ୍ୟାର ଅତିଥିମାନେ ଥିଲେ ମେଜର ଜେନେରାଲ ବସନ୍ତ କୁମାର ମହାପାତ୍ର, ଭାରତୀୟ ବିଦ୍ୟା ଭବନର ଡକ୍ଟର ଏସ. କେ ଟାମୋଟିଆ, ଏନ.ଟି.ପିସିର ଜେନେରାଲ ମ୍ୟାନେଜର ସେବାତନ ଜୋସେଫ, ନୃତ୍ୟ ସମିକ୍ଷକ ଡକ୍ଟର ସୁନିଲ କୋଠାରୀ, ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗର ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର, ଆର୍ଟ ଭିଜନର ସମ୍ପାଦକ ଗୁରୁ ଇଲିୟାନା ସିତାରିଷ୍ଟି, ଓଡ଼ିଶା ଡ଼୍ୟାନ୍ସ ଏକାଡ଼େମୀର ସମ୍ପାଦକ ଗୁରୁ ଅରୁଣା ମହାନ୍ତି।

କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଅନୁଜା ତାରିଣି ମିଶ୍ର ଓ ଡକ୍ଟର ଶ୍ରୀନିବାସ ଘଟୁଆରୀ।

Comment